ଯନ୍ତ୍ରୀଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର କଲେ ଦୁର୍ବୃତ୍ତ; ଥାନାରେ ହେଲା ଲିଖିତ ଅଭିଯୋଗ, ବାରମ୍ୱାର ଏଭଳି ଘଟଣା ପରେ ବି ଚୁପ୍ ବସିଛି ପୋଲିସ
12/09/2022 at 5:56 PM

ଫୁଲବାଣୀ ୧୨/୦୯: ପୁଣି ଫୁଲବାଣୀ ସହରରେ ଜଣେ ଯନ୍ତ୍ରୀଙ୍କ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ଯନ୍ତ୍ରୀଙ୍କ ପରିଚୟ ଫୁଲବାଣୀ ମୁନିସିପାଲିଟିର ସରକାରୀ ଯନ୍ତ୍ରୀ ଇଂ. ନୀଳକଣ୍ଠ ନାୟକ। ସୂଚନା ଯୋଗ୍ୟ ଯେ, ମୁନିସିପାଲିଟି କାର୍ଯ୍ୟାଳୟ ଆଗରେ ଯନ୍ତ୍ରୀ ନାୟକଙ୍କ ବାସଭବନ ଆଗରେ କିଛି ଦୁର୍ବୃତ୍ତ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ l ଏନେଇ ନୀଳକଣ୍ଠ ନାୟକ ସ୍ଥାନୀୟ ଟାଉନ ଥାନାରେ ଏତଲା ଦେଇଥିଲେ।
ତେବେ ସହରରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ଉପରେ ଲଗାତାର ଆକ୍ରମଣ ହେବା ଓ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଯନ୍ତ୍ରୀ ଓ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ସୋମବାର ମୁନିସିପାଲିଟି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ସହିତ ସମସ୍ତ କର୍ମଚାରୀମାନେ ମିଳିତ ଭାବେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିକରି ପୋଲିସ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁଙ୍କୁ ଭେଟି ଜଣାଇ ତାଙ୍କ ଦାବି ଜଣାଇଥିଲେ।
ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଫୁଲବାଣୀ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ କିଛି ଦୁର୍ବୃତ୍ତ ଗାଳିଗୁଲଜ କରିବା ସହ ଖରାପ ବ୍ୟବହାର କରିବା ନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି l ସେହିପରି ଅଗଷ୍ଟ ୧୬ ରେ ଫୁଲବାଣୀ ପିଡବ୍ଲୁଡିର ଅନ୍ୟ ଜଣେ ଯନ୍ତ୍ରୀଙ୍କୁ ମଧ୍ୟ ଜଣେ ଦୁର୍ବୃତ୍ତ କୋର୍ଟ ଛକରେ ଛୁରୀରେ ଆକ୍ରମଣ କରିଥିଲl l ଏନେଇ ସମ୍ପୃକ୍ତ ଆହତ ଯନ୍ତ୍ରୀ ଥାନାରେ ଏତେଲା ଦେଇଥିଲେ ମଧ୍ୟ ପୋଲିସ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନିl
କେବଳ ସେତିକି ନୁହେଁ ଗତବର୍ଷ ମଧ୍ୟ ସରୋଜ ପାଢ଼ୀ ନାମକ ଜଣେ ସହକାରୀ ଯନ୍ତ୍ରୀଙ୍କ ଘରେ ଦୁର୍ବୃତ୍ତମାନେ ପଶି ମାଡ଼ ମାରିବା ସହ ଭଙ୍ଗାରୁଜା କରିଥିଲେ l ତେବେ ପୋଲିସ ତୁରନ୍ତ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକରା ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି