ବିଫଳ ଆକ୍ଟର ସଫଳ ମିନିଷ୍ଟର: ଏମିତି ଥିଲା ମୋଦୀଙ୍କ ନୂଆ ମନ୍ତ୍ରୀ ଚିରାଗ ପାସୱାନଙ୍କ ରାଜନୈତିକ ଯାତ୍ରା

Published By : Prameya-News7 Bureau | June 09, 2024 IST

internet

ନୂଆଦିଲ୍ଲୀ: ବାପା ରାମବିଳାଶ ପାସୱାନଙ୍କ ମୃତ୍ୟୁ ପରେ ଦାଦା ପଶୁପତି ପାରଶଙ୍କ ଶତ୍ରୁତା ସହ ଲଢ଼ି ସଂଘର୍ଷ କରି ନିଜ ଭାଗ୍ୟ ବଦଳାଇବାରେ ସକ୍ଷମ ହୋଇଛନ୍ତି ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ମୁଖ୍ୟ ଚିରାଗ ପାସୱାନ। ରବିବାର ହାତୀ ତାଙ୍କ ମୁଣ୍ଡରେ ସୁନା କଳସ ଢାଳିଛି। ସେ ମୋଦୀ ସରକାର ତୃତୀୟ ପାଳିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

୨୦୨୪ ଲୋକସଭା ଆସନରେ ଚିରାଗ ପାସୱାନ୍‌ ହାଜିପୁର ଲୋକସଭା ଆସନରୁ ରେକର୍ଡ ସଂଖ୍ୟକ ଭୋଟ୍‌ରେ ନିର୍ବାଚନ ଜିତିଛନ୍ତି। ଚିରାଗଙ୍କୁ ୬.୧୪ ଲକ୍ଷ ଭୋଟ୍ ମିଳିଥିବା ବେଳେ ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିବା ଆର୍‌ଜେଡି ପ୍ରାର୍ଥୀଙ୍କୁ ୧.୭ ଲକ୍ଷ  ଭୋଟ୍ ମିଳିଥିଲା। ଆଉ ଆଜି ଚିରାଗ ମନ୍ତ୍ରୀ ଭାବେ ଶପଥ ନେବା ପରେ ବିହାର ରାଜନୀତିରେ ଏକ ବଡ଼ ଚେହେରା ଭାବେ ଉଭା ହୋଇଛନ୍ତି। ଆସନ୍ତୁ ସଂକ୍ଷେପରେ ତାଙ୍କ ରାଜନୈତିକ ଯାତ୍ରା ଉପରେ ନଜର ପକାଇବା।

ଅଭିନେତାରୁ ରାଜନେତାର ଯାତ୍ରା
 
ଚିରାଗ ପାସୱାନ ୧୦ ବର୍ଷ ହେବ ରାଜନୀତିରେ ଅଛନ୍ତି। ଏହା ପୂର୍ବରୁ ସେ ସିନେମାରେ ଜଗତରେ ସକ୍ରିୟ ଥିଲେ। ହିନ୍ଦୀ ସିନେମା ‘ମିଲେ ନା ମିଲେ ହମ’ରେ ଚିରାଗ ଅଭିନୟ କରିଥିଲେ। ତାଙ୍କ ବିପକ୍ଷରେ ବର୍ତ୍ତମାନର ହିମାଚଳ ପ୍ରଦେଶ ମଣ୍ଡି ସାଂସଦ କଙ୍ଗନା ରାଣାୱତ ନାୟିକା ଭୂମିକାରେ ଅଭିନୟ କରିଥିଲେ। ହେଲେ ଅଭିନୟ କ୍ୟାରିୟର ଭଲ ନହେବାରୁ ଚିରାଗ ପାସୱାନ ରାଜନୀତିରେ ଯୋଗ ଦେଇଥିଲେ। ବାପାଙ୍କ କହିବା ପରେ ସେ ୨୦୧୪ରେ ଜମୁଇ ଲୋକସଭା ଆସନରେ ନିର୍ବାଚନ ଲଢ଼ି ଜିତିଥିଲେ। ଏବଂ ୨୦୧୯ରେ ମଧ୍ୟ ପୁଣିଥରେ ଏହି ଆସନରୁ ସଂସଦ ହୋଇଥିଲେ।   

୨୦୨୦ରେ ରାମ ବିଳାଶ ପାସୱାନ୍‌ଙ୍କ ମୃତ୍ୟୁ ପରେ ତାଙ୍କ ଦାଦା ପଶୁପତି ପାରଶ ବିଦ୍ରୋହ କରି ଏଲ୍‌ଜେପି ଦଳକୁ ନିଜ ଅକ୍ତିଆର୍‌ରେ ନେଇଯାଇଥିଲେ। ସେତେବେଳେର ମୋଦୀ ସରକାର ମଧ୍ୟ ପଶୁପତିଙ୍କୁ ଏଲ୍‌ଜେପି ନେତା ଭାବେ ଗ୍ରହଣ କରିଥିଲେ। ଏହାସତ୍ତ୍ୱେ ବି ଚିରାଗ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଦଳର ନେତୃତ୍ୱ ନେଇଥିଲେ। ଏବଂ ସ୍ୱାଧୀନ ଭାବେ ଲଢ଼ିଥିଲେ। 

ଜେଡିୟୁ ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀ ଛିଡ଼ା କରିବାର ରଣନୀତି ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱଧାନୀ ଦଳର ପ୍ରଦର୍ଶନକୁ ହ୍ରାସ କରିଥିଲା। ଫଳରେ ୨୦୧୫ରେ ଜେଡିୟୁ ପାଇଥିବା ୭୦ ଆସନକୁ ହ୍ରାସ କରି ୨୦୨୦ରେ ମାତ୍ର ଦଳ ମାତ୍ର ୪୩ ଆସନ ଜିତିଥିଲା। ଏହି ରାଜନୈତିକ ଷ୍ଟ୍ରାଟେଜୀ ପାଇଁ ବିହାରରେ ଚିରାଗଙ୍କର ଏକ ମଜଭୁତ ରାଜନେତା ଛବି ତିଆରି ହୋଇଥିଲା ।

ଦୁଇ ଭାଗ ହେଲା ଏଲ୍‌ଜେପି

୨୦୨୦ରେ ରାମ ବିଳାଶ ପାସୱାନଙ୍କ ବିୟୋଗ ପରେ ୨୦୨୧ରେ ଦାଦା ପଶୁପତି ପାରସ ଓ ଚିରାଗଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ହୋଇଥିଲା। ପଶୁପତି ଏଲ୍‌ଜେପି ଦଳର ୬ ସାଂସଦଙ୍କୁ ଫସେଇ ନିଜ ଆଡ଼କୁ ନେଇ ଯାଇଥିଲେ। ଚିରାଗଙ୍କ ପାଖରେ ମାତ୍ର ଜଣେ ସାଂସଦ ଥିଲେ। ସେତେବେଳେ ବିଜେପି ସରକାର ମଧ୍ୟ ବିଦ୍ରୋହୀ ପଶୁପତି ପାରସକୁ ସମର୍ଥନ କରିଥିଲା। ତାଙ୍କୁ କେନ୍ଦ୍ରମନ୍ତ୍ରୀ ମଧ୍ୟ କରିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଦଳର ଚିହ୍ନ ବି ପଶୁପତି ପାରସଙ୍କୁ ଦିଆଯାଇଥିଲା। ଚିରାଗ ଏନ୍‌ଡିଏରୁ ମଧ୍ୟ ବିଦା ହୋଇଥିଲେ। ଏହାସତ୍ତ୍ୱେ ବି ଚିରାଗ ମୋଦୀଙ୍କ ପ୍ରତି ବିଶ୍ୱସ୍ତ ରହିଥିଲେ। ଏହାପରେ ଚିରାଗ ପାସୱାନ ବିହାରରେ ଆଶ୍ରୀର୍ବାଦ ଯାତ୍ରା ଆରମ୍ଭ କରିଥିଲେ। ଯାହା ଲୋକଙ୍କୁ ପ୍ରଭାବିତ କରିଥିଲେ।

ରାଜନୈତିକ ପୁନରୁତ୍ଥାନ

ବିହାରର ରାଜନୀତିରେ ଚିରାଗଙ୍କ ବ୍ୟକ୍ତତ୍ୱ ଚମକିବା ପରେ ୨୦୨୩ରେ ବିଜେପି ତାଙ୍କୁ ଏନ୍‌ଡିଏକୁ ଫେରାଇ ଆଣିଥିଲା। ୨୦୨୪ ଲୋକସଭା ନିର୍ବାଚନରେ ଆସନ ବୁଝାମଣାରେ ଚିରାଗ ଦଳକୁ ବିହାରର ୫ ଲୋକସଭା ଆସନ ମିଳିଥିଲା। ପାରସଙ୍କୁ ସାଇଟ୍ କରି ହାଜିପୁର ଆସନ ବି ଚିରାଗଙ୍କୁ ମିଳିଥିଲା। କାରଣ ଏହି ଆସନ ତାଙ୍କ ବାପା ରାମବିଳାସ ପାସୱାନଙ୍କ ଗଡ଼ ଥିଲା।  ଏହାପରେ ଚିରାଗ ଜାମୁଇ ଆସନ ଛାଡ଼ି ହାଜିପୁରରୁ ନିର୍ବାଚନ ଲଢ଼ି ଜିତିଥିଲେ। ଏବେ ସେ ମୋଦୀଙ୍କ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.