ନୂଆଦିଲ୍ଲୀ: ଘରୋଇ ଟେଲିକମ କମ୍ପାନୀଗୁଡ଼ିକର ବାରମ୍ବାର ଟାରିଫ ବୃଦ୍ଧିରେ ନୟାନ୍ତ ଜନତା ଏବେ ପୁଣିଥରେ ବିଏସଏନଏଲ ପାଖକୁ ଫେରିବାକୁ ଚାହୁଁଛନ୍ତି। ହେଲେ ବିଏସଏନଏଲର ଏଭଳି ହାଲ୍ ଯେ, କମ୍ପାନୀ ୫ଜି ତ’ ଦୂରର କଥା ଏପର୍ଯ୍ୟନ୍ତ ଠିକ୍ସେ ୪ଜି ଓ ୨ଜି ସେବା ବି ଯୋଗାଇପାରିନାହିଁ । ଇଣ୍ଟରନେଟ୍ ଟୁଜି ଭଳି ସ୍ଲୋ ହେଉଥିବାବେଳେ, ନେଟୱର୍କ ସମସ୍ୟା ମଧ୍ୟ ରହିଛି। ହେଲେ ଦିନ ଥିଲା ବିଏସଏନଏଲ ଘରୋଇ କମ୍ପାନୀକୁ ଟକ୍କର ଦେଇ ଚାଲୁଥିଲା। ଭଲ ଲାଭ ବି କରୁଥିଲା। ହେଲେ ହଠାତ୍ କଣ ଏମିତି ହେଲା ଯେ, ବିଏସଏନଏଲର କମର ଭାଙ୍ଗିଗଲା। ଆଜି ସଂସ୍ଥା କେବଳ ଜନତା ନୁହେଁ ସରକାରଙ୍କ ଉଦାସୀନତାର ବି ଶିକାର ହୋଇଛି। ଯଦିଓ ମୋଦୀ ସରକାର ବିଏସଏନଏଲକୁ ପୁନରୁଦ୍ଧାର କରିବା ପାଇଁ ଲାଗିପଡ଼ିଥିଲେ। ହେଲେ ଯେଉଁ ନୀତି ଅବଲମ୍ବନ କରାଗଲା ସେଥିରେ କମ୍ପାନୀ ଆଣ୍ଠେଇ ପଡ଼ିଥିବା ବିଏସଏନଏଲ ଏମ୍ପଲୟମେଣ୍ଟ ୟୁନିୟନ ବା ଇୟୁ ଦାବି କରିଛି।
ପ୍ରକୃତରେ ଘରୋଇ କମ୍ପାନୀଗୁଡ଼ିକର ରିଚାର୍ଜ ପ୍ଲାନ୍ ବୃଦ୍ଧିକୁ ନେଇ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଛି BSNL ଇୟୁ । ଏହି ଚିଠିରେ ଘରୋଇ ଟେଲିକମ୍ କମ୍ପାନିଙ୍କ ଟାରିଫ୍ ବୃଦ୍ଧିକୁ ଅବାଞ୍ଚିତ ବୋଲି କହିବା ସହ, ବିଏସଏନଏଲ ଏମାନଙ୍କ ସହ ଟକ୍କର ଦେଇପାରୁନଥିବାରୁ ଏଭଳି ଟାରିଫ୍ ବୃଦ୍ଧି କରାଯାଉଛି ବୋଲି କହିଛି ସଂଘ। ୪ଜି ଏବଂ ୫ଜି ସେବା ନ ଯୋଗାଇପାରିବାରୁ BSNL ଟେଲିକମ୍ ସେବା ଦେବାରେ ପଛରେ ପଡ଼ି ଯାଇଛି। ଏଥିପାଇଁ ସରକାରଙ୍କ ଉଦାସୀନତା ଦାୟୀ ବୋଲି ସଂଘ କହିଛି। ତେବେ କାହିଁକି ସେବା ଯୋଗାଇବାରେ ପଛରେ ପଡ଼ିଛି BSNL ? BSNLର ପଛରେ ପଡ଼ିବା କିଭଳି ପାଲଟିଛି ଟାରିଫ୍ ବୃଦ୍ଧିର କାରଣ ? ଜାଣିବା ବିସ୍ତାରରେ।
BSNL ବା ଭାରତ ସଞ୍ଚାର ନିଗମ ଲିମିଟେଡ। ଦେଶର ଏକମାତ୍ର ସରକାରୀ ଟେଲିକମ୍ ସଂସ୍ଥା। ଏକଦା ମୋବାଇଲ ଏବଂ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଇଥିବା ଅଗ୍ରଣୀ କମ୍ପାନି ଏବେ ସଙ୍କଟରେ। ଉନବିଂଶ ଶତାବ୍ଦୀ ଶେଷ ଏବଂ ବିଂଶ ଶତାବ୍ଦୀର ଆରମ୍ଭ ବେଳେ କମ୍ପାନି ଛୁଇଁଥିଲା ସଫଳତାର ଶିଖର। ଏହି ସମୟରେ କମ୍ପାନି ଭାରତୀ ଏୟାରଟେଲକୁ ମଧ୍ୟ କଡ଼ା ଟକ୍କର ଦେଉଥିଲା। ୨୦୦୭ ଆସିବା ବେଳକୁ କମ୍ପାନି ବାର୍ଷିକ ପ୍ରାୟ ୪୦ ହଜାର କୋଟିର ଲାଭ କରୁଥିଲା। ତେବେ ସବୁକିଛି ତ’ ଠିକ୍ ଠାକ୍ ଚାଲିଥିଲା। ସରକାରୀ କମ୍ପାନୀ ଭଲ ଲାଭ ବି କରୁଥିଲା। ହେଲେ ହଠାତ୍ କଣ ଏମିତି ହେଲା ଯେ BSNL ପଛରେ ପଡ଼ିଗଲା ?
୨ଜି ସ୍କାମ ଥିଲା ବଡ଼ କାରଣ:
ବିଏସଏନଏଲର ଡାଉନଫଲ ଆରମ୍ଭ ହୋଇଥିଲା ୨୦୦୭ ଶେଷ ଭାଗରେ। ଏହି ସମୟରେ ୟୁପିଏ ସରକାରରେ ହୋଇଥିବା ୨ଜି ସେକ୍ଟ୍ରମ ସ୍କାମ୍, କମ୍ପାନୀ ଅଧପତନର କାରଣ ହୋଇଥିଲା। ମାତ୍ର ଦୁଇ ବର୍ଷ ମଧ୍ୟରେ କମ୍ପାନିର ଲାଭରେ ପ୍ରାୟ ୮୧ ପ୍ରତିଶତ କମିଗଲା। କମ୍ପାନିର ରାଜସ୍ୱ ୬ ପ୍ରତିଶତକୁ ଖସିଆସିଲା। ଆଉ ସେବେଠାରୁ BSNL କ୍ଷତି ଧାରା ଏବେବି ଜାରି ରହିଛି। ୨୦୨୪ ସୁଦ୍ଧା କମ୍ପାନୀକୁ ୭୧,୧୯୯ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। BSNLର ମାର୍କେଟ ଶେୟାର ବର୍ତ୍ତମାନ ୧୦ ପ୍ରତିଶତରୁ କମ୍ ରହିଛି।
ଜିଓ ଆସିବା ପରେ ସ୍ଥିତିକୁ ଆହୁରି ଉତ୍କଟ କରିଥିଲା
BSNL ପାଇଁ ପରିସ୍ଥିତି ସେତେବେଳେ ଆହୁରି ଉତ୍କଟ ହେଲା, ଯେତେବେଳେ ଜିଓ ଏହାର ଖୁବ୍ ଶସ୍ତା ପ୍ଲାନ ସହ ବଜାର ଏଣ୍ଟ୍ରି କଲା । ଜିଓର ଶସ୍ତା ପ୍ଳାନ୍ ସହ ଦ୍ରୁତ ଇଣ୍ଟରନେଟ୍ ସେବା ଗ୍ରାହକଙ୍କୁ ବିଏସଏନଏଲଠାରୁ ମୁହଁ ଫେରାଇବାକୁ ବାଧ୍ୟ କଲା। ଜିଓ ଆସିବା ପରେ ଅନ୍ୟ ବେସରକାରୀ କମ୍ପାନି ମଧ୍ୟ ସ୍ୱଳ୍ପ ମୂଲ୍ୟରେ ଟେଲିକମ ସେବା ଯୋଗାଇ ଦେଲେ। ହେଲେ BSNL ଟାରିଫ୍ ପ୍ଲାନରେ ବୃଦ୍ଧି କରିନଥିଲା। କିନ୍ତୁ ୨ଜି ଏବଂ ୩ଜି ସେବାକୁ ଅପଗ୍ରେଡ ନକରିପାରିବା ଯୋଗୁ କମ୍ପାନିକୁ ଅତ୍ୟଧିକ କ୍ଷତି ସହିବାକୁ ପଡ଼ିଲା। ଫଳରେ କମ୍ପାନୀର ରାଜସ୍ୱ ଏକ ପ୍ରକାର ଶେଷ ହୋଇଗଲା ଭଳି ସ୍ଥିତି ସୃଷ୍ଟି ହେଲା। ଗୋଟିଏ ପଟେ ନିଜର ସ୍ଥିତି ବଜାୟ ରଖିବାକୁ ସଂଘର୍ଷ ପୁଣି କର୍ମଚାରୀଙ୍କ ଦରମା ଭଳି ବିଭିନ୍ନ ସମସ୍ୟା କମ୍ପାନୀକୁ ଦେବାଳିଆ ସ୍ଥିତିରେ ଛିଡ଼ା କରିଦେଲା।
ଭାରତ ସରକାର ଆଣିଥିଲେ ରିଭାଇଭଲ ପ୍ଲାନ୍
BSNLର ଏଭଳି ଦୂରାବସ୍ଥାକୁ ଦୂର କରିବାକୁ କେନ୍ଦ୍ର ସରକାର ୨୦୧୯ରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ରିଭାଇଭଲ ପ୍ଳାନ୍ ଆଣି ଆଣି କମ୍ପାନୀକୁ ପୁଣିଥରେ ମଜଭୁତ ସ୍ଥିତିରେ ଛିଡ଼ା କରିବାକୁ ଉଦ୍ୟମ ହୋଇଥିଲା। ସରକାର କୋଟି କୋଟି ଟଙ୍କାର ପ୍ୟାକେଜ୍ ବି ଘୋଷଣା କଲେ। ରିଭାଇଭଲ ଯୋଜନାରେ ତିନି ପର୍ଯ୍ୟାୟରେ ସରକାରଙ୍କ ୧.୩୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜର ଘୋଷଣା କଲେ। ଏହି ପ୍ଲାନ ଅନୁଯାୟୀ କମ୍ପାନିର ଖର୍ଚ୍ଚ କମ୍ କରିବାକୁ ଭିଆରଏସ ଦେବା, ସୋଭେରିନ୍ ଗ୍ୟାରେଣ୍ଟି ବଣ୍ଡ୍ ମାଧ୍ୟମରେ ଋଣ ପରିଶୋଧ, ପୁଞ୍ଜି ନିବେଶ ମାଧ୍ୟମରେ ୪ଜି ସେବା ପାଇଁ ସ୍ପେକ୍ଟ୍ରମର ଆବଣ୍ଟନ, ବିବିଏନଏଲ ଏବଂ ବିଏସଏନଲକୁ ବିଲୟ ଭଳି ବିଭିନ୍ନ ଯୋଜନା ହାତକୁ ନିଆଯାଇଥିଲା।
୨୦୨୩ରେ କେନ୍ଦ୍ର କ୍ୟାବିନେଟ ତୃତୀୟ ପ୍ୟାକେଜ ଅନୁଯାୟୀ, ୮୯ ହଜାର କୋଟି ଟଙ୍କା ଘୋଷଣା କରିଥିଲେ। ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି BSNL ୪ଜି ଏବଂ ୫ଜି ପାଇଁ ୭୦୦ ମେଗାହର୍ଟଜ, ୩୩୦୦ ମେଗାହର୍ଟଜ, ୨୬ ଗିଗା ହର୍ଟଜ ଏବଂ ୨୫୦୦ ମେଗାହର୍ଟଜ ସ୍ପେକ୍ଟ୍ରମ ମଧ୍ୟ ଘୋଷଣା କରାଯାଇଥିଲା । ଯାହାର ମୂଲ୍ୟ ପ୍ରାୟ ୮୮ ହଜାର ୫୧୫ କୋଟିରୁ ଅଧିକ। ହେଲେ ଏସବୁ ସତ୍ତ୍ୱେ ମଧ୍ୟ କମ୍ପାନି ପଛରେ ରହିଛି। କେବଳ ସେତିକି ନୁହେଁ, ୨୦୨୩ ମେ ମାସରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ଆସନ୍ତା କିଛି ସପ୍ତାହରେ ୪ଜି ସେବା ଲଞ୍ଚ କରାଯିବ ଏବଂ ଡିସେମ୍ବର ସୁଦ୍ଧା ୫ଜିକୁ ଅପଗ୍ରେଡ କରାଯିବ। ହେଲେ ୨୦୨୩ ଯାଇ ୨୦୨୪ ହେଲା। ୫ଜି କଥା ଦୂରେ ଥାଉ ଠିକ୍ସେ ୪ଜି ବି ଲଞ୍ଚ ହୋଇପାରିଲା ନାହିଁ।
କର୍ମଚାରୀ ସଂଘର ଅସନ୍ତୋଷ
ଏହି ଘଟଣାକୁ ନେଇ BSNL କର୍ମଚାରୀ ସଂଘ ଅସନ୍ତୋଷ ପ୍ରକାଶ କରିଛି। କମ୍ପାନୀ ୪ଜି ଓ ୫ଜି ସେବା ଯୋଗାଇ ନ ଦେଇପାରିବାର କାରଣ ସରକାରୀ ପ୍ରତିବନ୍ଧକ ବୋଲି ସଂଘ କହିଛି। କାରଣ ସରକାର ନୋକିଆ ଓ ଏରିକ୍ସନ ଭଳି ବିଦେଶୀ କମ୍ପାନୀଙ୍କ ଠାରୁ ଉପକରଣ କିଣିବାକୁ ବ୍ୟାନ୍ କରିବାରୁ BSNL ୪ଜି ଓ ୫ଜି ଉପକରଣ କିଣିପାରୁ ନାହିଁ କି ସେବା ଯୋଇଗାଇ ଦେଇପାରୁ ନାହିଁ। ବଜାରରେ ପ୍ରତିଯୋଗିତା ନକରିପାରିବାରୁ ଘରୋଇ ଟେଲିକମ୍ କମ୍ପାନିଗୁଡ଼ିକ ମନ ଇଚ୍ଛା ଟାରିଫ୍ ବୃଦ୍ଧି କରୁଛନ୍ତି ଓ ଲୋକେ ହନ୍ତସନ୍ତ ହେଉଛନ୍ତି ବୋଲି କମ୍ପାନୀ କହିଛି।
ଘରୋଇ କମ୍ପାନି ଲାଭରେ ଚାଲିଛନ୍ତି: EU
ତେବେ ଘରୋଇ କମ୍ପାନୀର ଟାରିଫ ବୃଦ୍ଧିକୁ ସମାଲୋଚନା କରିଛି BSNL କର୍ମଚାରୀ ସଂଘ। ଘରୋଇ କମ୍ପାନୀ ଲାଭରେ ଚାଲିଛନ୍ତି। ରେଭିନ୍ୟୁ ବୃଦ୍ଧି କରାଇବା କଥା କେବଳ ଭ୍ରମିତ କରିବାକୁ କୁହାଯାଇଛି। ରିଲାଏନ୍ସ ଜିଓ ଗତ ଆର୍ଥିକ ବର୍ଷରେ ୨୦,୦୬୭ କୋଟି ଟଙ୍କା ଲାଭ କରିଛି। ଏୟାରଟେଲ ମଧ୍ୟ ୭,୪୬୭ କୋଟି ଟଙ୍କା ଲାଭ କରିଛି। ତେଣୁ ଏଭଳି ବୃଦ୍ଧି ସାଧାରଣ ଲୋକଙ୍କୁ ଅସୁବିଧା ପହଞ୍ଚାଇବ। ଏହା ସଂପୂର୍ଣ୍ଣ ଅବାଞ୍ଛିତ ବୋଲି BSNL କହିଛି।
ବିଳମ୍ବ ନକରି ନିଆଯାଉ ଆବଶ୍ୟକ ପଦକ୍ଷେପ
ଲୋକଙ୍କୁ ଦରବୃଦ୍ଧିରୁ ନିସ୍ତାର ଦେବା ପାଇଁ BSNL କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଛି। ସଂଘ କେନ୍ଦ୍ରମନ୍ତ୍ରୀଙ୍କୁ ବିଏସଏନଏଲ ୪ଜି ଲଞ୍ଚକୁ ବିଳମ୍ବ ନକରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅପିଲ କରିଛି। ସୂଚନା ଅନୁଯାୟୀ, ସରକାର ବିଏସଏନଲ ୪ଜି ସର୍ଭିସ ପଞ୍ଜାବରେ ଆରମ୍ଭ କରିଛି। ଏହି ସେବା ଟିସିଏସ ଏବଂ C-DoT ଦ୍ୱାରା ନିର୍ମିତ ହୋଇଛି। ତେବେ ଆସନ୍ତା ଅଗଷ୍ଟ ମାସରୁ ଏହା ପୂରା ଦେଶରେ ଲାଗୁ ହେବା ନେଇ ଅନୁମାନ କରାଯାଉଛି।
ତାମିଲ ନାଡୁରେ BSNL ୪ଜି ସେବା ଆରମ୍ଭ
ସରକାରୀ କମ୍ପାନୀ ବିଏସଏନଏଲ ତାମିଲନାଡୁରେ ୪ଜି ସେବା ଆରମ୍ଭ କରିଛି। ଥିରୁଭାଲୁର ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ନୋଚିଲି, କୋଲାଥୁର, ପଲିପେଟ, ଥିରୁଭେଲାଭୋୟାଲ ଏବଂ ପୋନେରୀ ବିଏସଏନଏଲ ୪ଜି ସେବା ଆରମ୍ଭ କରିଛି। କମ୍ପାନୀ ଧୀରେ ଧୀରେ ସାରା ଦେଶରେ ଏହି ସେବା ଲାଗୁ କରିବାକୁ ଜୋର୍ଦାର ଚେଷ୍ଟା ଚଳାଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ନିହାତି ଆବଶ୍ୟକ। ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଏହାପରେ ୪ଜି ସେବା ଆରମ୍ଭ ହେବ। ତା ସହିତ ଆଖାପାଖ ଜିଲ୍ଲାଗୁଡ଼ିକରେ କମ୍ପାନୀ ସେବା ଯୋଗାଇବାକୁ ଚେଷ୍ଟା କରିବ ବୋଲି ବିଏସଏନଏଲ ପକ୍ଷରୁ ସୂଚନା ମିଳିଛି।