ବାଲେଶ୍ବର/ସୋର: ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା। ଛାତ୍ରଙ୍କ ମୃତ ଦେହ ସ୍କୁଲ ଆଗରେ ରଖି ଧାରଣା ଦେଲେ ଗ୍ରାମବାସୀ ଓ ଅଭିଭାବକ। ସ୍କୁଲରେ ପଶି ଭଙ୍ଗାରୁଜା ମଧ୍ୟ କରିଛନ୍ତି ଗ୍ରାମବାସୀ। ଘଟଣା ଘଟିଛି ବାଲେଶ୍ବର ଖନ୍ତାପଡ଼ା ଥାନା କୋଳିଗାଁ ବଂଶୀଧର ବିଦ୍ୟାପୀଠରେ।
ସୂଚନା ଅନୁଯାୟୀ, ଶନିବାର ସ୍କୁଲର ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ମନୋରଞ୍ଜନ ମଳିକ ଗତକାଲି ବିଦ୍ୟାଳୟ ଅଫିସ ଘରେ ନିସ୍ତୁକ ମାଡ଼ ମାରିଥିଲା। ଯେଉଁଥିରେ ଗୁରୁତର ହୋଇପଡ଼ିଥିଲେ ଛାତ୍ର ଜଣକ। ଆଉ ଆଜି ରବିବାର ତାଙ୍କର ବାଲେଶ୍ୱର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଛାତ୍ରଙ୍କ ପରିବାର ପକ୍ଷରୁ ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇଛି। ମୃତ ଛାତ୍ରଙ୍କ ନାମ ସୁମନ କୁମାର ଦାସ।
ଆହୁରି ପଢ଼ନ୍ତୁ: ଅପହରଣ ପରେ ହତ୍ୟା, ଦୁଇ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ
ପରିବାର ଲୋକଙ୍କ କହିବା ଅନୁଯାୟୀ, ସ୍କୁଲରେ ପଢ଼ୁଥିବା ହିନ୍ଦୀ ଶିକ୍ଷକଙ୍କ ପୁତୁରା ସୂର୍ଯ୍ୟକାନ୍ତ ମଳିକ ସହ ସୁମନର ଝଗଡ଼ା ହୋଇଥିଲା। ଆଉ ଏହି ଘଟଣାରେ ହିନ୍ଦୀ ଶିକ୍ଷକ, ସୁମନକୁ ଡାକି ଅଫିସ ଘରେ ଘଟଣା ବାବଦରେ ପଚାରିଥିଲେ। ଆଉ ଏହି ସମୟରେ ଉତ୍ୟକ୍ତ ହୋଇ ସୁମନକୁ ଗୋଇଠା, ବିଧା, ବାଡ଼ିରେ ପିଟିଥିଲେ ଏବଂ ସୁମନଙ୍କ ଡ଼ାହାଣ ଛାତିରେ ଏକ ଗୋଇଠା ମାରିଥିଲେ। ଏମିତିକି ଏହି ବାବଦରେ ଘରେ ନକହି ବାକୁ ଧମକ ଦେଇଥିଲେ।
ତେବେ ସୁମନ ଘରେ ମଧ୍ୟ ଏକଥା କହିନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶୋଇଥିଲା ବେଳେ ହଠାତ ବାନ୍ତି ହୋଇଥିଲା। ଆଉ ସୁମନର ପରିବାର ଲୋକ ଏ ବାବଦରେ ପଚାରିବାରୁ ସୁମନ ଘଟଣା ସମ୍ପର୍କରେ ସବୁକଥା କହିଥିଲେ। ପୁଅର ଏପରି ଅବସ୍ଥା ଦେଖି ମା ବାପା ସୁମନଙ୍କୁ ଖନ୍ତାପଡ଼ା ଡାକ୍ତରଖାନାକୁ ନେଇ ଯାଇଥିଲେ। ଚିକିତ୍ସା ସମୟରେ ସୁମନର ଅବସ୍ଥା ଗୁରୁତର ହେବାରୁ ଖନ୍ତାପଡ଼ା ଡାକ୍ତର ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସମୟରେ ଆଜି ସୁମନର ମୃତ୍ୟୁ ହୋଇଯାଇଛି। ଏହା ପରେ ବିଦ୍ୟାଳୟ ସମ୍ମୁଖରେ ସ୍କୁଲରେ ଭଙ୍ଗାରୁଜା କରିବା ସହିତ ଶବ ରଖି ଗ୍ରାମବାସୀ ଧାରଣା ବସିଛନ୍ତି, ଖନ୍ତାପଡା ପୋଲିସ ପହଁଚି ବୁଝାସୁଝା କରୁଛନ୍ତି।