କର୍ତ୍ତବ୍ୟ ଆଗରେ ଫିକା ପଡିଗଲା ରକ୍ତର ସଂପର୍କ…
4/05/2020 at 9:42 PM

ଭୁବନେଶ୍ବର୪/୫: କର୍ତ୍ତବ୍ୟ ଆଗରେ ଫିକା ପଡିଛି ରକ୍ତ ସଂପର୍କ । ମହାମାରୀ କରୋନାକୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ଉଦହାରଣ ସୃଷ୍ଟି କରିଛନ୍ତି ରାଜ୍ୟର ଦୁଇ କରୋନା ଯୋଦ୍ଧା । ରାଜ୍ୟବାସୀଙ୍କ ସେବା ଆଗରେ ପରିବାର ପାଇଁ ଥିବା ଗୁରୁଦାୟୀତ୍ବ ଯେମିତି ଫିକା ପଡିଯାଇଛି । ମାଲକାନଗିରରେ କାର୍ଯ୍ୟରତ ଜଣେ ପୋଲିସ କନଷ୍ଟେବଲ ଓ ଚାନ୍ଦବାଲି ତହସିଲଦାର ଏମତି ଉଦାହରଣ ପାଲଟିଛନ୍ତି।
ମାଲକାନଗିର ଜିଲ୍ଲା କେନାଲ ରୋଡରେ କାର୍ଯ୍ୟରତ ଏହି କନେଷ୍ଟବଲଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରଦାର । ଓଡିଶା ପୋଲିସରେ କାର୍ଯ୍ୟରତ ଏହି କରୋନା ଯୋଦ୍ଧା ମୋତିସିଂ ନାୟକଙ୍କୁ ମିଳିଛି ଭୁରିଭୁରି ପ୍ରଶଂସା । ଡ୍ୟୁଟି ଥିବାରୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଏହି କରୋନା ଯୋଦ୍ଧା ନିଜ ସ୍ତ୍ରୀକୁ ହସ୍ପିଟାଲକୁ ନେଇପାରି ନଥିଲେ । ସାହି ପଡିଶାଙ୍କ ସହାୟତାରେ ଜିଲ୍ଲା ସଦର ହସ୍ପିଟାଲରେ ତାଙ୍କ ସ୍ତ୍ରୀଙ୍କୁ ଭର୍ତ୍ତି କରାଯାଇଥିଲା ଏହି କରୋନା ଯୋଦ୍ଧାଙ୍କ ଏକ ଶିଶୁପୁତ୍ର ଜନ୍ମ ହୋଇଛି । ସ୍ତ୍ରୀ ମିତାରାଣୀ ଭୋତ୍ରାଙ୍କ ପ୍ରସବ ବେଦାନା ଓ ପରିବାର ପାଇଁ କର୍ତ୍ତବ୍ୟ ଆଗରେ ଲୋକଙ୍କୁ ସେବା ଯୋଗାଇବା ପ୍ରଥମ ଦାତୀତ୍ବ ବୋଲି କନଷ୍ଟେବଳ ମୋତିସିଂ କହିଛନ୍ତି।
ସେହିପରି ଆଉଜଣ କରୋନା ଯୋଦ୍ଧା ହେଉଛନ୍ତି ରାଜ୍ୟ କରୋନା ହଟସ୍ପଟ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର । ଗୁରୁତର ସୁଶାନ୍ତଙ୍କ ବାପା ଏବେ ଆଇସିୟୁରେ ଚିକିତ୍ସିତ । ଜୀବନ ଯୁଦ୍ଧରେ ସଂଗ୍ରାମ କରୁଥିବା ବାପାଙ୍କୁ ସମୟ ଦେବା ପାଇଁ ଯାଇ ପାରୁନାହାନ୍ତି ସୁଶାନ୍ତ । କାରଣ କରୋନା ମହାମାରୀ ସମୟରେ ଚାନ୍ଦବାଲି ବାସୀଙ୍କୁ ସେବା ଯୋଗାଇବା ତଙ୍କ ପାଇଁ ପ୍ରଥମ କର୍ତ୍ତବ୍ୟ ବୋଲି ସୁଶାନ୍ତ କହିଛନ୍ତି । ଚାନ୍ଦବାଲି ତହସିଲଦାରଙ୍କ କର୍ତ୍ତବ୍ୟନିଷ୍ଠା କୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ।
କରୋନା ଭଳି ବିପତ୍ତି ମୁକାବିଲା ପାଇଁ କେବଳ ଆମ ରାଜ୍ୟର ଏହି ଦୁଇ କରୋନା ଯୋଦ୍ଧା ନୁହନ୍ତି, ଦେଶର କୋଣ ଅନୁକୋଣରେ କାର୍ଯ୍ୟରତ କରୋନା ଯୋଦ୍ଧା ମାନେ ପରିବାର ଦାୟୀତ୍ବ ଠାରୁ ଦେଶବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରି ଜନସାଧାରଣଙ୍କ ପାଖରେ ସମ୍ମାନର ପାତ୍ର ହୋଇଛନ୍ତି ।