ପୁରୀ: ଆସନ୍ତାକାଲି ଖୋଲିବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଗଲା ଏସଓପି। ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସଓପି ପ୍ରଦାନ କରାଯାଇଛି। ଏ ନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ରତ୍ନଭଣ୍ଡାର ଚାବି ନ ଖୋଲିଲେ ଭଙ୍ଗା ହେବ। ଏସଓପି ଆଧାରରେ କାମ କରିବେ ଟିମ୍। ଏହି ଆଧାରରେ ଗଣତି, ମଣତି କରିବେ ଟିମ୍।
ପ୍ରେସମିଟରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ପ୍ରଥମ ଚାବିରେ ଖୋଲିବାକୁ ଟିମ୍ ଉଦ୍ୟମ କରିବେ। ଚାବିରେ ନ ଖୋଲିଲେ ତାଲା ଭଙ୍ଗାଯିବ। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯିବ। ଏହା ସହିତ କାଲିଠାରୁ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ ଏବଂ କ୍ରମାଗତ ଭାବେ ଚାଲିବ। କେତେବେଳେ ଖୋଲିବ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ଵ ଦିଆଯାଇଛି। ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ। ରତ୍ନଭଣ୍ଡାରରେ ମରାମତି ନେଇ ବି ଅନୁଧ୍ୟାନ ହେବ। ନିଜ ନିଜର ଦାୟିତ୍ଵ ନେଇ କାମ କରିବେ କମିଟି ସଦସ୍ୟ।
ରତ୍ନଭଣ୍ଡାର ଭିତରେ ଏସଆଇ ପ୍ରତିନିଧି ଅନୁଧ୍ୟାନ କରିବେ। ରତ୍ନଭଣ୍ଡାର ଗଣତି, ମଣତି ନେଇ ଆରବିଆଇର ସହାୟତା ନିଆଯିବ। ରତ୍ନଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଗଣତିରେ ଆରବିଆଇ ସହାୟତା ନିଆଯିବ। ସେମାନଙ୍କ ପ୍ରତିନିଧି ଉପସ୍ଥିତ ରହିବେ। ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ। ଅଳଙ୍କାର ଗୁଡ଼ିକର ଡିଜିଟାଲ୍ ଫଟୋଗ୍ରାଫି କରାଯିବ। ଫଟୋଗ୍ରାଫି କରାଯାଇ ଏକ ଡିଜିଟାଲ୍ କାଟାଲଗ୍ ତିଆରି ହେବ। ଆଗାମୀ ଦିନ ପାଇଁ ଏହା ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।
କିଛି ସମୟ ଆଗରୁ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସଓପି ପ୍ରଦାନ କରାଯାଇଛି। ଏସଓପିରେ କେଉଁମାନେ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ,ରତ୍ନଭଣ୍ଡାରର ଗଣତି, ମଣତି କିଭଳି ହେବ ତାହା ଉଲ୍ଲେଖ ରହିଛି। ଏହା ପୂର୍ବରୁ ଆଜି ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ଏସଓପି ପ୍ରଦାନ କରିଛନ୍ତି। ଏହି ଏସଓପି ଜଷ୍ଟିସ ବିଶ୍ଵନାଥ ରଥଙ୍କ ନେତୃତ୍ଵାଧୀନ ୧୬ ଜଣିଆ କମିଟି ପ୍ରସ୍ତୁତ କରିଛନ୍ତି।