ତୃତୀୟ ଶ୍ରୀକ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ସହିତ ସରିଲା ରଥଯାତ୍ରା

Published By : Prameya-News7 Bureau | July 11, 2022 IST

ନୀଳଗିରି ୧୧/୦୭: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା ସରିଛି। ଆଜି ବହୁଡ଼ାଯାତ୍ରାର ଶେଷ ଦିନରେ ରଥ ଯାଇ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣଙ୍କ ଭେଟ ହୋଇଥିଲା। ଏହାପରେ ମା ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତାଙ୍କର ମାନ ଭଞ୍ଜନ କରିବା ପରେ ତିନିଠାକୁର ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଗତକାଲି ଗୁଣ୍ଡିଚା ମନ୍ଦିରରୁ ଚତୁର୍ଦ୍ଧାମୂରତିଙ୍କ ରଥ ଅଧରାସ୍ତାରେ ବିଧି ମୁତାବକ ଅଟକିଥିଲା। ଶୁଖିଲା ଭୋଗ ଖାଇ ତିନିଠାକୁର ରାତ୍ରିଯାପନ ପରେ ଆଜି ପୁଣି ରଥଟଣା ୪:୩୦ ସମୟରେ ଆରମ୍ଭ ହୋଇଥିଲା। ରାସ୍ତାରେ ଅଟକି ଅଟକି ମହାପଭୁ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀ ମନ୍ଦିର ପାଖରେ ପହଞ୍ଚିଥିଲେ।

ପରେ ମହାପ୍ରଭୁ ଆଜ୍ଞାମାଳ ମନ୍ଦିର ପ୍ରବେଶ ଉଦ୍ଧିଷ୍ଟରେ ଲକ୍ଷ୍ମୀଙ୍କ ପାଖକୁ ପଠାଇବା ପରେ ମା ଲକ୍ଷ୍ମୀ ଭେଟ ମଣ୍ଡପକୁ ଆସିଥିଲେ। ମହାପ୍ରଭୁ ଓ ଲକ୍ଷ୍ମୀଙ୍କର ଦୁଇ ଆଖିର ମିଳନ ହେବାନେଇ ଉଭୟଙ୍କଠାରେ ପୂଜାର୍ଚ୍ଚନା ହୋଇ ଆଳତୀ ହୋଇଥିଲା। ଉପସ୍ଥିତ ହଜାର ହଜାର ଭକ୍ତ ଲକ୍ଷ୍ମୀନାରାୟଣଙ୍କ ଏହି ଭେଟ ଦେଖିଥିଲେ। ପରେ ଅଧରପଣା ଲାଗି ହେବା ପରେ ଏହାକୁ ରଥର ସାରଥି,ଘୋଡ଼ା,ଭୁତ ପ୍ରେତ ଓ ପୂର୍ବପୁରୁଷଙ୍କ ଲାଗି ଉଦିଷ୍ଟ ହୋଇଥିଲା। ମହାପ୍ରଭୁଙ୍କଠାରେ ଗଇଠାଳ ନୀତି ସମାପନ ହେବା ପରେ ମାଆ ଲକ୍ଷ୍ମୀଙ୍କୁ ମନାଇବା ପାଇଁ ମହାପ୍ରଭୁ ଆଣିଥିବା ରସଗୋଲାକୁ ଦେଇ ତାଙ୍କୁ ମନାଇଥିଲେ। ଏହି ନୀତିପୂଜା ଗୁଡିକ ସମାପନ ହୋଇ ବିଳମ୍ବିତ ରାତ୍ରୀରେ ଚତୁର୍ଦ୍ଧାମୁରତି ରଥରୁ ଶ୍ରୀମନ୍ଦିର ରତ୍ନ ମଣ୍ଡପକୁ ବିଜେ କରିଥିଲେ।  

ସେହିପରି ମହନ୍ତମନ୍ଦିର ଦ୍ୱାରା ସାନ ରଥକୁ ମହିଳାମାନେ ଟାଣି ଟାଣି ଆଣିଥିଲେ। ପରମ୍ପରା ଅନୁସାରେ ଚାଲି ଆସୁଥିବା ଏହି ରଥକୁ ପରେ ମହିଳାମାନଙ୍କୁ ଟାଣିବାକୁ ଅନୁମତି ମିଳିଥିଲା। ତେବେ ବାହୁଡାଯାତ୍ରାର ଶେଷ ଦିନରେ ସାଂସଦ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବିଜେଡି ନେତା ସନ୍ତୋଷ ଖଟୁଆ, ଏନଏସି ଚେୟାରମ୍ୟାନ ଅମ୍ବିକା ଦାସ, ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକ, ଦିଗମ୍ବର ସ, ଶୁଭେନ୍ଦୁ ବିଶ୍ୱାଳ, କରୁଣା କର ସ୍ୱାଇଁଙ୍କ ସହିତ ବହୁ ବରିଷ୍ଠ ବ୍ୟକ୍ତି, ସାମ୍ବାଦିକ ଓ ଶତାଧିକ ଭକ୍ତ ସାମିଲ ହୋଇଥିଲେ। ଶୃଙ୍ଖଳିତ ଭାବେ ନୀଳଗିରିର ରଥଯାତ୍ରା ସରିଥିବାରୁ ହୋଇଥିବାରୁ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଓ ଏସଡିପିଓ ରିତେଶ କୁମାର ମହାପାତ୍ର ଅଞ୍ଚଳବାସୀଙ୍କୁ ସାଧୁବାଦ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.