ଆଦାନୀ ପ୍ରସଙ୍ଗରେ ଇଡି ଅଫିସ୍ ପର୍ଯ୍ୟନ୍ତ ବିରୋଧୀଙ୍କ ରାଲି, ଅଧାରେ ଅଟକାଇଲା ପୋଲିସ୍
15/03/2023 at 4:22 PM

ନୂଆଦିଲ୍ଲୀ, ୧୫/୦୩: ଆଦାନୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳମାନେ ସଂସଦରେ ଲଗାତାର କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି। ଏହାରି ମଧ୍ୟରେ ମଙ୍ଗଳବାର ୧୮ ବିରୋଧୀ ଦଳ ସାଂସଦ ଏହି ପ୍ରସଙ୍ଗକୁ ନେଇ ସଂସଦ ଭବନରୁ ଇଡି କାର୍ଯ୍ୟାଳୟକୁ ଏକ ରାଲି କରିଛନ୍ତି। ସେ ଏଜେନ୍ସୀକୁ ଅଭିଯୋଗ କରିବେ। ଅବଶ୍ୟ ଏହି ରାଲିରେ ଏନସିପି ଏବଂ ଟିଏମସି ସାଂସଦ ଭାଗ ନେଇନାହାଁନ୍ତି। ତେବେ ଦିଲ୍ଳୀ ପୋଲିସ୍ ବିଜୟ ଚୌକଠାରେ ରାଲି କରୁଥିବା ବିରୋଧୀ ସାଂସଦଙ୍କୁ ଅଟକାଇଛି।
ସୂଚନାଯୋଗ୍ୟ, କଂଗ୍ରେସ ସହ ବିରୋଧୀ ଦଳ ଆଦାନୀ ମାମଲାର ଯାଞ୍ଚ ପାଇଁ ଜେପିସି ଦାବି କରିଛନ୍ତି। ବର୍ତ୍ତମାନ ବିଜେଟ ଅଧିବେଶନରେ ମଧ୍ୟ ବିରୋଧୀ ଦଳ ଆଦାଣୀ ମାମଲାକୁ ଅସ୍ତ୍ର କରିଛି। ସେହିଭଳି ଶାସକ ଦଳ ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ କ୍ଷମା ମାଗିବାକୁ ଦାବି କରିଛି। ଯାହା ଫଳରେ ସଂସଦ କାର୍ଯ୍ୟ ହୋଇପାରୁନାହିଁ।
କଂଗ୍ରେସ୍ ଆଦାନୀ ମାମଲାରେ ସକ୍ରିୟ ଭାବରେ ବିରୋଧ କରୁଛି। ଏହି ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ଚେଷ୍ଟା କରୁଛି ଏବଂ ଦେଶସାରା ପ୍ରଦର୍ଶନ କରୁଛି। ବିଭିନ୍ନ ରାଜ୍ୟରେ କଂଗ୍ରେସ କମିଟି ଆଦାନୀ ମାମଲାରେ ବିକ୍ଷୋଭ ଶୋଭାଯାତ୍ରା ମଧ୍ୟ କରୁଛି। ସେହିଭଳି କଂଗ୍ରେସ ଅଧ୍ୟକ୍ଷ ମଲ୍ଳିକାର୍ଜୁନ୍ ଖଡ଼ଗେ ମଧ୍ୟ ସଂସଦରେ ଲଗାତାର ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି।
ସେପଟେ ତୃଣମୂଳ କଂଗ୍ରେସ ଅଲଗା ଭାବରେ ଏଲପିଜି ମୂଲ୍ୟ ବୃଦ୍ଧିକୁ ନେଇ ସଂସଦ ପରିସରରେ ଗାନ୍ଧୀ ପ୍ରତିମା ସାମ୍ନାରେ ଧାରଣା ଦେଇଛି ଏବଂ ସରକାରଙ୍କୁ ଜବାବ ମାଗିଛି। ଟିଏମସି ସାଂସଦ ଏଲପିଜି ମୂଲ୍ୟ ବୃଦ୍ଧିକୁ ନେଇ ସରକାରଙ୍କ ବିରୋଧରେ ନାରାବାଜି ଏବଂ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜବାବ ଦେବାକୁ ଦାବି କରିଛି।