ଦକ୍ଷିଣ କୋରିଆନ ଫିଲ୍ମ ଦେଖିବା ପଡିଲା ମହଙ୍ଗା, ଦୁଇ ଛାତ୍ରଙ୍କୁ ଗୁଳି କରି ହତ୍ୟା କଲା ଉତ୍ତର କୋରିଆ

Published By : Prameya-News7 Bureau | December 06, 2022 IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ଫିଲ୍ମ ଦେଖିବା ପଡିଲା ମହଙ୍ଗା। ଉତ୍ତର କୋରିଆରେ ହାଇସ୍କୁଲର ଦୁଇ ନାବାଳକ ଛାତ୍ରଙ୍କୁ ଦକ୍ଷିଣ କୋରିଆ ଫିଲ୍ମ ଦେଖିବାରୁ ନିର୍ମମ ଭାବେ ହତ୍ୟା କରାଯାଇଛି। ୨୦୨୦ରେ ଉତ୍ତର କୋରିଆରେ ଦକ୍ଷିଣ କୋରିଆ ସଙ୍ଗୀତ ଏବଂ ଫିଲ୍ମ କିମ୍ବା ଡ୍ରାମା ଦେଖିବା ଏବଇ ଅନ୍ୟକୁ ଦେଖାଇବା ପାଇଁ ସେୟାର କରାଯିବା ଉପରେ ବ୍ୟାନ୍ ଲଗାଯାଇଛି। ଯଦି କେହି  ଏମିତି ଅପରାଧ କରିବାରେ ଧରା ପଡନ୍ତି ତେବେ ତାଙ୍କୁ କଠୋର ଶାସ୍ତି ଦିଆଯାଏ।

ଏହି ଅଭିଯୋଗରେ ଧରା ପଡିବାରୁ ଦୁଇ ଛାତ୍ରଙ୍କୁ ଲୋକଙ୍କ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି। ପ୍ରଶାସନ ପକ୍ଷରୁ ଏମିତି ଦଣ୍ଡ ଦିଆଯାଇ ଲୋକଙ୍କ ନିକଟକୁ ସନ୍ଦେଶ ପଠାଇ ଦିଆଗଲା ଯେ, ଦେଶର ଆଇନ ବିରୋଧରେ ଯାଇ ଯିଏ କାମ କରିବ ତାକୁ ଏମିତି ଦଣ୍ଡ ମିଳିବ।

ଉଲ୍ଲେଖନୀୟ ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆ ଦୁଇ ପଡୋଶୀ ହୋଇ ଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ଚରମ ଶତ୍ରୁତା ରହିଛି। ଏହି କାରଣରୁ ଉତ୍ତର କୋରିଆରେ ଦକ୍ଷିଣ କୋରିଆକୁ ନେଇ କଠୋର ନିୟମ ତିଆରି କରାଯାଇଛି। ରେଡିଓ ଫ୍ରି ଏସିଆ ଅନୁସାରେ, ଦକ୍ଷିଣ କୋରିଆ ଫିଲ୍ମ ଦେଖିବା ଅଭିଯୋଗରେ ଦୁଇ ଛାତ୍ରଙ୍କୁ ଏୟାର ଫିଲ୍ଡ ଅଣାଗଲା। ପ୍ରଥମେ ସ୍ଥାନୀୟ ଲୋକଙ୍କୁ ବଳପୂର୍ବକ ଡକାଗଲା ଏବଂ ସମସ୍ତଙ୍କ ସାମ୍ନାରେ ଦୁଇ ନାବାଳକଙ୍କୁ ଗୁଳି କରି ହତ୍ୟା କରାଗଲା।

ଅକ୍ଟୋବର ମାସ ଆରମ୍ଭରେ ଏହି ଛାତ୍ରଙ୍କୁ ଦକ୍ଷିଣ କୋରିଆ ଡ୍ରାମା ଦେଖିବା ଏବଂ ଏହାକୁ ଲୋକଙ୍କ ଗହଣରେ ସେୟାର କରିବା ଅଭିଯୋଗରେ ଅଟକ ରଖାଯାଇଥିଲା। ଯେବେ ଛାତ୍ରଙ୍କୁ ଗିରଫ କରାଗଲା ସେତେବେଳକୁ ସେମାନେ ବହୁ ସଂଖ୍ୟାରେ ଦକ୍ଷିଣ କୋରିୟନ ଏବଂ ଆମେରିକନ ଟେଲିଭିଜନ ଶୋ ଦେଖି ସାରିଥିଲେ। ନିଜ ସାଙ୍ଗମାନଙ୍କୁ ସେୟାର କରିବା ସମୟରେ ଦୁଇ ନାବାଳକ ଛାତ୍ର ଧରା ପଡିଥିଲେ। ଆଉ ଏବେ ଦୁହିଁଙ୍କୁ ଗୁଳି କରାଯାଇ ହତ୍ୟା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.