ମମତା ବାନାର୍ଜୀଙ୍କ ସହ ଆଲୋଚନା ଲାଗି ରାଜି ହେଲେ ଆନ୍ଦୋଳନକାରୀ ଡାକ୍ତର

Published By : Prameya-News7 Bureau | September 14, 2024 IST

କୋଲକାତା ୧୪।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ମଧ୍ୟାହ୍ନରେ କୋଲକାତାରେ ବିରୋଧ ପ୍ରଦର୍ଶନ କରୁଥିବା ଜୁନିୟର ଡାକ୍ତରଙ୍କୁ ବିକ୍ଷୋଭ ସ୍ଥଳକୁ  ଯାଇ ଭେଟିଥିଲେ, ଏହା ପରେ ଆନ୍ଦୋଳନକାରୀ ଡାକ୍ତର ତାଙ୍କ ସହ ଆଲୋଚନା  ଲାଗି ରାଜି ହୋଇଯାଇଛନ୍ତି। ଏ ନେଇ ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଇ-ମେଲ କରିଥିବା ବେଳେ ସେମାନେ ମମତାଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ପାରଦର୍ଶିତାରେ ସମସ୍ତ ପ୍ରସଙ୍ଗରେ ଆଲୋଚନା ଲାଗି ପ୍ରସ୍ତୁତ ବୋଲି ସୂଚିତ କରିଛନ୍ତି। 

ତେବେ ଏହା ପୂର୍ବରୁ ମମତା ବାନାର୍ଜୀ ସଲ୍ଟ ଲେକ୍‌ରେ ବିରୋଧ ପ୍ରଦର୍ଶନସ୍ଥଳରେ ବସିଥିବା ଡାକ୍ତରଙ୍କୁ ଯେତେଶୀଘ୍ର ସମ୍ଭବ ଡ୍ୟୁଟିକୁ ଫେରିବା ପାଇଁ ନିବେଦନ କରିଛନ୍ତି। ଏହା ସହ ମମତା ଏହି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯେ ରାଜ୍ୟ ସରକାର ଗତ ଦିନରେ ବିକ୍ଷୋଭରେ ସାମିଲ ଡାକ୍ତରଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବନି। ତେବେ ମୁଖ୍ୟମନ୍ତ୍ରୀ ବିକ୍ଷୋଭକାରୀ ଡାକ୍ତରଙ୍କୁ କିଛି ସମୟ ମାଗିଛନ୍ତି ଓ କହିଛନ୍ତି ସେମାନଙ୍କ ସମସ୍ତ ଦାବି ଉପରେ ବିଚାର କରିବେ ।  

ତେବେ ଜୁନିୟର ଡାକ୍ତରମାନେ ମମତା ବାନାର୍ଜୀଙ୍କ ସହ ହୋଇଥିବା ଆଲୋଚନା ପରେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇନାହିଁ ସେମାନେ ସେ ପର୍ଯ୍ୟନ୍ତ ଦାବିରୁ ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି। ମମତା ବାନାର୍ଜୀ ଶୁକ୍ରବାର କହିଥିଲେ ଯେ ଜୁନିୟର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଗିଡି ଯାଇଛି ଓ ଏଥି ପାଇଁ ଏପର୍ଯ୍ୟନ୍ତ ୨୯ଟି ମୂଲ୍ୟବାନ ଜୀବନ ଚାଲିଯାଇଛି। ଜୁନିୟର ଡାକ୍ତରଙ୍କ ସହ ଗୁରୁବାର ଆଲୋଚନା ଉଦ୍ୟମ ବିଫଳ ହେବା ପରେ ମମତା ବାନାର୍ଜୀ ଶନିବାର ଆନ୍ଦୋଳନ ସ୍ଥଳକୁ ଯାଇ ଡାକ୍ତରଙ୍କୁ ଭେଟିଥିଲେ। 

ଏହି ଡାକ୍ତରମାନେ ସଲ୍ଟଲେକସ୍ଥିତ ସ୍ୱାସ୍ଥ୍ୟବିଭାଗର ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତେବେ ମାମଲାରେ ଦୋଷୀଙ୍କୁ କ୍ଷମା ଦିଆଯିବନି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ମମତା ଡାକ୍ତରଙ୍କୁ ଭେଟି ଫେରିଯିବା ପରେ ଜୁନିୟର ଡାକ୍ତରମାନେ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ। ଏହା ପରେ ୱେଷ୍ଟବେଙ୍ଗଲ ଜୁନିୟର ଡାକ୍ତର ଫ୍ରଣ୍ଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇ-ମେଲ ଲେଖିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.