ଆନ୍ଦୋଳନକାରୀ କୃଷକଙ୍କୁ ବୁଝାଇବେ ପ୍ରଧାନମନ୍ତ୍ରୀ, ୨୫ରେ କରିବେ ସମ୍ଵୋଧନ

Published By : Prameya-News7 Bureau | December 23, 2020 IST

ଲକ୍ଷ୍ନୌ ୨୩।୧୨: ଡିସେମ୍ବର ୨୫ ଅର୍ଥାତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ  ବାଜପେୟୀଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକଙ୍କୁ ପୁଣି ଥରେ ସମ୍ବୋଧିତ କରିବେ। ଏଥର ଅସନ୍ତୁଷ୍ଟ କୃଷକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ବୁଝାଇବା ସହ ନୂତନ କୃଷି ଆଇନର ଉପକାରିତା  ବିଷୟରେ ଜଣାଇବା । ଏଥି ସହ ଉତ୍ତର ପ୍ରଦେଶ ବିଜେପି କର୍ମକର୍ତ୍ତା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଚିଠି ନେଇ ଘର ଘର ଯିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଡିସେମ୍ବର ୨୫ରେ ପୂରା ଉତ୍ତର ପ୍ରଦେଶର କୃଷକଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ୨୫୦୦ ସ୍ଥାନରେ ଭିଡିଓ କନଫରେନ୍ସିଂ ଜରିଆରେ କୃଷକଙ୍କ ସହ ଯୋଡି ହେବେ।

ଉତ୍ତର ପ୍ରଦେଶର କୃଷକଙ୍କୁ ଯୋଡିବା ପାଇଁ ଏହା ସବୁଠୁ ବଡ ମେଗା କାର୍ଯ୍ୟକ୍ରମ ହେବାକୁ ଯାଉଛି। ଏକାକୀ ଅବଧରେ ୩୭୭ ସ୍ଥାନରେ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରାଯିବ। ସମଗ୍ର ଉତ୍ତର ପ୍ରଦେଶରେ ଅଢେଇ ହଜାର ସ୍ଥାନରେ କାର୍ଯ୍ୟକ୍ରମ କରାଯିବ।

ଅନ୍ୟପଟେ ଦିଲ୍ଲୀରେ ୨୮ତମ ଦିନରେ ପହଞ୍ଚିଛି କୃଷକଙ୍କ ଆନ୍ଦୋଳନ। ଆଲୋଚନା ପାଇଁ କୃଷକଙ୍କ ଟିମ୍ ଗଠନ କରାଯାଇଛି। ସରକାର ସହ ଆଲୋଚନା ପାଇଁ ଖସଡା ପ୍ରସ୍ତୁତ ହେଉଛି। ସରକାରଙ୍କ ପ୍ରସ୍ତାବ ଉପରେ ତର୍ଜମା ଚାଲିଛି। ଅନ୍ୟପଟେ ଆନ୍ଦୋଳନରତ କୃଷକଙ୍କୁ ମନାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କୃଷକଙ୍କୁ ଆନ୍ଦୋଳନରୁ ଓହରି ଯିବାକୁ ଅପିଲ୍ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଷାନ ସମ୍ମାନ ନିଧି ଯୋଜନାର ସପ୍ତମ କିସ୍ତି ରାଶି ଜାରି କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅବଧର କୃଷକଙ୍କ ସହ ଆଲୋଚନା କରିବେ। ଏଥିପାଇଁ ଉତ୍ତର ପ୍ରଦେଶ ବିଜେପି ପକ୍ଷରୁ ସ୍ଵତନ୍ତ୍ର ପ୍ରସ୍ତୁତି ଚାଲିଛି। ପ୍ରତ୍ୟେକ ଜିଲ୍ଲାରେ କୃଷକଙ୍କ ସହ ଆଲୋଚନା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯଦ୍ଵାରା କୃଷି  ଆଇନ ଉପରେ ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ଲୋକଙ୍କ ପାଖକୁ ପହଞ୍ଚି ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.