କଞ୍ଚାମାଲ ଶସ୍ତା ହେବା ଯୋଗୁ ହ୍ରାସ ହେଲା ପ୍ରଡକ୍ଟ ମୂଲ୍ୟ, ପ୍ୟାକ୍ରେ ବଢିଲା ଡିଟରଜେଣ୍ଟ ଓ ଡିସ୍ ୱାସ୍ ମାତ୍ରା
31/03/2023 at 7:05 PM

ମୁମ୍ବାଇ ୩୧।୩: କଞ୍ଚାମାଲର ଲଗାତାର ମୂଲ୍ୟ ହ୍ରାସ ଦେଶରେ ଦୈନନ୍ଦିନ ଘରୋଇ ଉପଯୋଗରେ ଆସୁଥିବା ଅନେକ ସାମଗ୍ରୀର ମୂଲ୍ୟରେ ହ୍ରାସ ହୋଇଛି। ଅନେକ ସାମଗ୍ରୀର ଦାମରେ ୧୦ରୁ ୨୫ ଟଙ୍କା ପର୍ଯ୍ୟନ୍ତ ଦର କମିଛି। କେବଳ ଏତିକି ନୁହେଁ ମୂଲ୍ୟ ବୃଦ୍ଧି ଯୋଗୁ ଓଜନ ହ୍ରାସ ହୋଇଥିବା ଡିଟରଜେଣ୍ଟ ଓ ଡିସୱାସ୍ ସାବୁନ ଏବେ ପୁରାକୁ ପୁରା ମାତ୍ରାରେ ମିଳିବା ଆରମ୍ଭ ହୋଇଛି। ଡିଟରଜେଣ୍ଚ ଓ ଡିସୱାସିଂ ସାବୁନରେ ଏହି ମାତ୍ରା ୧୭ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢିଛି।
ଦୈନନ୍ଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀଗୁଡିକର ମୂଲ୍ୟ ହ୍ରାସ ଓ ମାତ୍ରା ବୃଦ୍ଧି ଗ୍ରାହକଙ୍କୁ ଏବେ ବେଶ ଆଶ୍ୱସ୍ତ କରିଛି। କଞ୍ଚାମାଲ ମୂଲ୍ୟ ହ୍ରାସ ଲାଗି ନିଷ୍ପତ୍ତି ଏଫଏମସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ନେଇଥିଲେ, ଏଣୁ ନିଜର ଅନେକ ପ୍ରଡକ୍ଟର ମୂଲ୍ୟ ହ୍ରାସ କରିବା ସହ ମାତ୍ରା ବୃଦ୍ଧି କରିଛନ୍ତି। ଏଥିରେ ରିନ୍ ବାରର ଓଜନ୧୨୦ ଗ୍ରାମରୁ ବଢାଇ ୧୪୦ ଗ୍ରାମ କରିଦିଆଯାଇଛି। ସାବୁନର ଓଜନ ବୃଦ୍ଧି ହୋଇଥିଲେ ମଧ୍ୟ ମୂଲ୍ୟ ବୃଦ୍ଧି ହୋଇ ନାହିଁ ସେହି ପୁରୁଣା ଦାମ ୧୦ ଟଙ୍କା ଅଛି।

ସେହିପରି ସର୍ଫ ଏକ୍ସେଲ ମ୍ୟାଟିକ୍ ଲିକ୍ୱିଡ୍ ୧ ଲିଟର ପ୍ୟାକ୍ର ଦାମ ୨୨୦ ଟଙ୍କାରୁ ହ୍ରାସ କରି ୧୯୯ ଟଙ୍କା କରି ଦିଆଯାଇଛି। ସର୍ଫ ଏକ୍ସେଲ ଇଜି ୱାସ୍ ୧ ଲିଟର ପ୍ୟାକ୍ ଲିକ୍ୱିଡର ମୂଲ୍ୟ ୨୦୫ ଟଙ୍କାରୁ ୧୯୦ ଟଙ୍କାକୁ ହ୍ରାସ ହୋଇଛି। ବାସନକୁସନ ଓ ପୋଷାକ ସଫା ପାଇଁ କାମରେ ଆସୁଥିବା ଡିସୱାସ୍ କ୍ୟାଟଗରୀରେ ଭିମ ଲିକ୍ୱିଡର ୧୮୫ ଗ୍ରାମ ପ୍ୟାକ୍ ମୂଲ୍ୟ ୨୦ ଟଙ୍କାରୁ ହ୍ରାସ କରି ୧୫ ଟଙ୍କା କରିଦିଆଯାଇଛି। ସେହିପରି ଭିମ ବାରର ଓଜନ ୩୦୦ ଗ୍ରାମରୁ ବଢାଇ ୩୭୫ ଗ୍ରାମ କରିଦିଆଯାଇଥିବା ବେଳେ ମୂଲ୍ୟ ସେହି ୩୦ ଟଙ୍କା ରହିଛି।
ଏହି ସବୁ ପ୍ରଡକ୍ଟର ମୂଲ୍ୟ ଏପରି ଏକ ସମୟରେ ହ୍ରାସ ହୋଇଛି ଯେତେବେଳେ ଭାରତୀୟ ଏଫଏମସିଜି ଇଣ୍ଡଷ୍ଟ୍ରି ଗତ ୨ ବର୍ଷ ହେଲା ମୂଲ୍ୟ ବୃଦ୍ଧି ଓ ମାତ୍ରା କମାଇ କାରବାର କରୁଥିଲେ। ଏଥି ଯୋଗୁ ପ୍ରଡକ୍ଟର ବିକ୍ରୟ ପ୍ରଭାବିତ ହେଉଥିଲା। ଏଣୁ କମ୍ପାନୀଙ୍କୁ କ୍ଷତିରେ ବେପାର କରିବାକୁ ପଡୁଥିଲା। କମ୍ପାନୀ ମୂଲ୍ୟ ହ୍ରାସ ଓ ମାତ୍ରା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। କମ୍ପାନୀର ମ୍ୟେନେଜିଂ ଡାଇରେକ୍ଚର ତଥା ସିଇଓ ସଞ୍ଜିବ ମେହେଟ୍ଟା ପ୍ରଡକ୍ଚର ମୂଲ୍ୟ ଆଗାମୀ ବର୍ଷମାନଙ୍କରେ ଆହୁରି କମ୍ ହେବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଋଷିଆ ଓ ୟୁକ୍ରେନ ଯୁଦ୍ଧ ସମାପ୍ତ ହେଲେ ମୂଲ୍ୟ ଆହୁରି ହ୍ରାସ ହେବ।