ମନାକଲେ ବି ଚିଆଁ ଦେଉଛନ୍ତି କମ୍ପାନୀ; ଆର୍ଥିକ ସଙ୍କଟ ପାଇଁ ପ୍ରତିବାଦ କଲା କୁକୁଡ଼ା ଚାଷୀ ସଂଘ
12/09/2022 at 6:54 PM

ଢେଙ୍କାନାଳ ୧୨/୦୯: ଜିଲ୍ଳାରେ କୁକୁଡ଼ା ଚାଷୀମାନଙ୍କୁ ପ୍ରୋତ୍ସାହନ ଆଳରେ ବିଭିନ୍ନ କମ୍ପାନୀ ନାନା ହଇରାଣ କରୁଥିବା ଅଭିଯୋଗ ହୋଇଛି। ଫଳରେ କୁକୁଡ଼ା ଚାଷୀମାନେ ନାକେଦମ ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୁକୁଡ଼ା ଚାଷୀମାନଙ୍କ ସମସ୍ୟା କେହି ଶୁଣୁ ନାହାନ୍ତି। ଓଲଟା କୁକୁଡ଼ା ଚାଷୀମାନଙ୍କ ନାଁରେ କମ୍ପାନୀମାନେ ଥାନାରେ ମାମଲା ଦାୟର କରୁଛନ୍ତି। ଯାହାକୁ ନେଇ ଜିଲ୍ଲାବ୍ୟାପି କୁକୁଡ଼ା ଚାଷୀମାନଙ୍କ ମହଲରେ ଅସନ୍ତୋଷ ତୀବ୍ର ରୂପ ନେଇଛି। ଏପରିକି ଏହାର ପ୍ରତିବାଦ କରିବାକୁ ଯାଇ ଜିଲ୍ଲାର ସମସ୍ତ କୁକୁଡ଼ା ଚାଷୀ ଢେଙ୍କାନାଳ ସହରରେ ଏକ ବିରାଟ ପ୍ରତିବାଦ ଶୋଭଯାତ୍ରା କରିଛନ୍ତି।
ପରେ କୁକୁଡ଼ା ଚାଷୀମାନେ ଟାଉନ ଥାନା ଘେରାଉ କରିଥିଲେ। ତେବେ ପୁଲିସ ବୁଝାସୁଝା କରିବାରୁକୁକୁଡ଼ା ଚାଷୀ ଆନ୍ଦୋଳନରୁ ଓହରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ମନା କରିବା ସତ୍ତ୍ୱେ କମ୍ପାନୀମାନଙ୍କ ପକ୍ଷରୁ ଜବରଦସ୍ତ କୁକୁଡ଼ା ଚିଆଁ କୁକୁଡ଼ା ଫାର୍ମକୁ ପଠାଇ ଜବରଦସ୍ତ କୁକୁଡ଼ା ଦେବା ପାଇଁ ବାଧ୍ୟ କରୁଛନ୍ତି। ମାତ୍ର ଆବଶ୍ୟକ ଔଷଧ, ଭିଟାମିନ ଓ ଆନୁଷଙ୍ଗିକ ବ୍ୟବସ୍ଥାରେ କମ୍ପାନୀ ସହଯୋଗ କରୁନାହିଁ। ଫଳରେ ଚାଷୀମାନେ ବ୍ୟବସାୟରେ ଆର୍ଥିକ ସଙ୍କଟରେ ପଡୁଛନ୍ତି ବୋଲି ଜିଲ୍ଲା କୁକୁଡ଼ା ଚାଷୀ ସଂଘର ସଭାପତି ନରେନ୍ଦ୍ର ଖଟୁଆ କହିଛନ୍ତି।