ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ନୂଆପଡ଼ା ଗାଁର ବୃଦ୍ଧ ଦମ୍ପତ୍ତି ଆତ୍ମହତ୍ୟା କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ନେଇଛି। ଏହି ଦମ୍ପତ୍ତି ହେଲେ ଫିଲିପସ ବେହେରା ଓ ବାସନ୍ତୀ ତୁରୁକ। ନିଜ ଜମି ଉତ୍କଳ ଆଲୁମିନା କାରଖାନା ଜବର ଦଖଲ କରିଥିବା ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି କୌଣସି ସୁଫଳ ନମିଳିବାରୁ ଆଜି ଏହି ଚରମ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ।
ଘଟଣାରୁ ପ୍ରକାଶ ଯେ, ଉତ୍କଳ ଆଲୁମିନା କାରଖାନା ପାଇଁ ଜମି ଅଧିଗ୍ରହଣ ସମୟରେ ସେମାନଙ୍କ ୨୪ ଡିସିମିଲ୍ ଜମି ଅଧିଗ୍ରହଣ ହୋଇଥିଲା। ଏହି ଜମି ବାବଦର କ୍ଷତିପୂରଣ ଦେଇ କାରଖାନା କିନ୍ତୁ ୪୦ ଡିସିମିଲ ଜମି ଅକ୍ତିଆର କରିଥିବା ଉଭୟେ ଅଭିଯୋଗ କରିଛନ୍ତି। ଡିମୁଣ୍ଡି ମୌଜାରେ ସେମାନଙ୍କ ଅଧିକ ଅଧିଗ୍ରହଣ ହୋଇଥିବା ୧୬ ଡିସିମିଲ ଜମି ଉଦ୍ଧାର କରିବା ପାଇଁ ବାରମ୍ବାର ନିବେଦନ କରୁଛନ୍ତି। ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସେମାନଙ୍କ ଜାଣି ଫେରାଇବା ନିମନ୍ତେ ନିବେଦନ କରି ଆସୁଛନ୍ତି। ତେବେ କୌଣସି ସ୍ଥାନରେ ମଧ୍ୟ ସୁଫଳ ଏହି ବୃଦ୍ଧ ଦମ୍ପତି ପାଇନାହାନ୍ତି।
ବର୍ଷାଧିକ କାଳ ହେବ ସେମାନେ ନିଜର ସଂଗ୍ରାମ ଜାରି ରଖିଛନ୍ତି। କାରଖାନା ତରଫରୁ ସେମାନଙ୍କ ଜମିରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି। ତାହାର କ୍ଷତିପୂରଣ ପ୍ରଦାନ ନିମନ୍ତେ ବାରମ୍ବାର ଦାବି କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସେମାନେ କାନ୍ଦି କାନ୍ଦି ଦୁଃଖ ବଖାଣିଛନ୍ତି। ସବୁଠି ନିରାଶ ହୋଇ ଶେଷରେ ଆଜି ଆତ୍ମାହୁତି ଦେଇ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ଏହି ବୃଦ୍ଧ ଦମ୍ପତି ନେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଆଜି ଚାଲିଥିବା ସମୟରେ ଉଭୟେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ପୁଲିସ ସେମାନଙ୍କୁ ଉଠାଇ ନେଇଛି। ଏହି ଘଟଣା ସଂପର୍କରେ ପ୍ରଶାସନର କୌଣସି ମତାମତ ମିଳିପାରିନାହିଁ।