ପୁରୀ ବାଣ ଦୁର୍ଘଟଣା ନେଇ ନିଜ ଆଡୁ ମାମଲା ରୁଜୁ କଲା ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହ ବୋମା ନିଷ୍କ୍ରିୟକାରୀ ଦଳର ତଦନ୍ତ

Published By : Prameya-News7 Bureau | May 30, 2024 IST

ପୁରୀ ୩୦।୫: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ଉତ୍ସବ ବେଳେ ବାଣ ବିସ୍ଫୋରଣ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲା ପୋଲିସ । ଏ ନେଇ ପୁରୀ ଏସ୍‌ପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସମସ୍ତ ଗୁରୁତରଙ୍କୁ ବିଭିନ୍ନ ହସ୍ପିଟାଲକୁ ବୁଧବାର ଠାରୁ ସ୍ଥାନାନ୍ତର କରାଯାଇଛି । ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି । ସାଇଣ୍ଟିଫିକ୍ ଟିମ୍ ସହ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ଯାଇ ତଦନ୍ତ କରିଛନ୍ତି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୂର୍ବାହ୍ନରେ ଭୁବନେଶ୍ୱର ସମ୍ ଅଲ୍ଟିମେଟ୍ ହସ୍ପିଟାଲକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପୁରୀର ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଥିଲେ । ସେମାନଙ୍କର ଚିକିତ୍ସା ବ୍ୟବସ୍ଥାରେ ରହିଥିବା ମୁଖ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ପୁରୀ ବାଣ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ତଦନ୍ତ କରିବେ । 

ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ବୁଧବାର ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ, ଏହି ବାଣ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି ।

You Can Read :

ପୁରୀ ବାଣ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କ ପାଇଁ ୪ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.