କାରଖାନା ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ, ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ୍
25/05/2023 at 11:08 PM

ଟିଟିଲାଗଡ଼, ୨୫/୦୫: ଦୀର୍ଘ ଦିନର ନୀରବତା ପରେ ପୁଣି ଅଶାନ୍ତ ହୋଇ ଉଠିଛି ଟିଟିଲାଗଡ଼ ସହର ଉପକଣ୍ଠରେ ଥିବା ଗ୍ରାଫାଇଟ ଇଣ୍ଡିଆ ପାଓମେକ୍ସ ଷ୍ଟିଲ କାରଖାନା । ଏହି କାରଖାନା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନଦେଇ ରାଜ୍ୟର ଅନ୍ୟ ଅଞ୍ଚଳର ଯୁବକମାନଙ୍କୁ ନିଯୁକ୍ତିକୁ ନେଇ ବିବାଦ ରହିଆସିଛି। ଆଉ ଏବେ କାରଖାନାର ଅଧିକାରୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ପୁଣି ବିବାଦ ଦେଖାଦେଇଛି।
ଅଭିଯୋଗ ଅନୁଯାୟୀ, ପାଓମେକ୍ସ କାରଖାନାର ଫିନିସିଙ୍ଗ HOD ମ୍ୟାନେଜର ଯୁକ୍ତେଶ୍ଵର ମହାପାତ୍ର କାରଖାନା ଯାଉଥିବାବେଳେ ତିନିଜଣ ଯୁବକ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ତେବେ ମ୍ୟାନେଜର ଜଣକ ସେମାନଙ୍କ କବଳରୁ ଖସିବାରେ ସଫଳ ହୋଇଥିଲେ। କାରଖାନାର ଅନ୍ୟ ଅଧିକାରୀମାନେ ଗୁରୁତର ମ୍ୟାନେଜରଙ୍କୁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ।
ଏହି ମାମଲାରେ ଟିଟିଲାଗଡ଼ ଥାନାରେ ଏକ ଲିଖିତ ମାମଲା ରୁଜୁ ହୋଇଛି। କାରଖାନାରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କ ଛଟେଇକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରୁଛି ପୋଲିସ। ସେପଟେ ତିନିଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ଚିହ୍ନିଥିବା କହିଛନ୍ତି ଆହତ ମ୍ୟାନେଜର। ସେ କହିଛନ୍ତି ଠିକାରେ ଆସି କାମ କରୁଥିବା ଶ୍ରମିକ ଜଣକ ଅନ୍ୟ ଶ୍ରମିକମାନଙ୍କ ସହ ଦୁର୍ବ୍ୟବହାର, ଝଗଡା କରୁଥିବାରୁ କାରଖାନାରୁ ବାହାର କରିଦିଆଯାଇଥିଲା। ଆଉ ଏହାକୁ ନେଇ ସେ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରିଥାଇପାରନ୍ତି ବୋଲି କହିଛନ୍ତି ମ୍ୟାନେଜର।
ପୂର୍ବରୁ ଗତ ମାର୍ଚ୍ଚ ୫ ତାରିଖରେ କାରଖାନାର ଡେପୁଟି ଜେନେରାଲ ମ୍ୟାନେଜେର ରାଧେଶ୍ୟାମ ରାୟଙ୍କୁ କାରଖାନା ସମ୍ମୁଖରେ ଗାଡି ଭିତରେ ଜୀବନ୍ତ ଜାଳି ଦେଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ଟିଟିଲାଗଡ଼ ପୋଲିସ ଘଟଣାକୁ ଗୁରୁତ୍ବର ସହ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମାମଲାରେ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।