ନୂଆଦିଲ୍ଲୀ ୧୬।୫: ଦିଲ୍ଲୀ ମଦ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ କେସ୍ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫକୁ ଚ୍ୟାଲେଞ୍ଜ କରି ରୁଜୁ ଆବେଦନର ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଜି ଦିନର ଶୁଣାଣି କୋର୍ଟରେ ଶେଷ ହୋଇଥିବା ବେଳେ ଆଗାମୀ ଶୁଣାଣି ଶୁକ୍ରବାର ଅପରାହ୍ନ ସାଢେ ୨ଟାରେ ହେବ। ଏହି ଶୁଣାଣି କାଳରେ ଇଡି ୧୫ ମିନିଟ୍ ଓ କେଜରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭୀ ୪୫ ମିନିଟ୍ ସେମାନଙ୍କ ତର୍କ ରଖିବେ।
ସୁପ୍ରିମକୋର୍ଟରେ ଗୁରୁବାର ଶୁଣାଣି କାଳରେ କେଜରିୱାଲଙ୍କ ଓକିଲ କହିଛନ୍ତି ଯେ ଦୁର୍ନୀତିର ୧୦୦ କୋଟି ଟଙ୍କା ମଧ୍ୟରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେବଳ ୨ଟି ଧନରାଶିର ହିସାବ ଦେଇଛନ୍ତି। ଏହା ଉପରେ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନା ଅତିରିକ୍ତ ସୋଲିସିଟର ଜେନେରାଲ (ଏଏସଜି) ଏସ.ଭି. ରାଜୁଙ୍କୁ ଧନରାଶି ହ୍ରାସ କରି ୪୫ କୋଟି କରି ଦେଇନାହାନ୍ତିତ ବୋଲି ପ୍ରଶ୍ନ କରିଥିଲେ। ଏହା ଉପରେ ରାଜୁ କହିଥିଲେ ଯେ ଆମେ ୪୫ କୋଟି ଟଙ୍କାର ସନ୍ଧାନ ପାଇଯାଇଛୁ ବୋଲି କହିଥିଲୁ।
ଏଥିରେ ଜଷ୍ଟିସ୍ ଖନ୍ନା କହିଥିଲେ ଯେ ଆପଣ କହିଥିଲେ ପ୍ରାରମ୍ଭିକ ଜବତ ଅନିବାର୍ଯ୍ୟ ନୁହେଁ। ଆପଣ ପ୍ରଥମେ ଏହି ତର୍କ ରଖିଥିଲେ। ଏହା ଉପରେ ଏଏସଜି ରାଜୁ କହିଥିଲେ ଯେ ଆମେ ତର୍କ କରିଥିଲୁ ଯେ ମାମଲାରେ ଜବତ ଅଥବା କୋରକ ଅନିବାର୍ଯ୍ୟ ନୁହେଁ। ଏହା ବିନା ମଧ୍ୟ ଦୋଷ ପ୍ରମାଣିତ କରାଯାଇ ପାରେ। ଯଦି ଆମେ ଶରତ ରେଡ୍ଡୀଙ୍କ ଉପରେ ଚାପ ପକାଇଥାନ୍ତୁ ସେ ସମ୍ପୂର୍ଣ୍ଣ ଅଲଗା ବୟାନ ଦେଇଥାନ୍ତେ। ଶରତ ରେଡ୍ଡୀ କେବଳ କହିଥିଲେ ଯେ ସେ କେଜରିୱାଲଙ୍କୁ ଭେଟିଥିଲେ। ସେ ଏହା ମଧ୍ୟ କହିପାରିଥାନ୍ତେ ଯେ କେଜରିୱାଲ ତାଙ୍କୁ ୧୦୦ କୋଟି ଟଙ୍କା ମାଗିଥିଲେ। ଯାଞ୍ଚ ଏଜେନ୍ସୀ ସମ୍ପୂର୍ଣ୍ଣ ନିରପେକ୍ଷ। ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ଏଜେନ୍ସୀ କୌଣସି ରାଜନୀତି ପ୍ରେରିତ ନୁହନ୍ତି।
ଏଏସଜି ରାଜୁ କହିଥିଲେ ଯେ କେଜରିୱାଲ ମିଥ୍ୟା ବାହାନା କରି ସମନକୁ ଟାଳିଥିଲେ। ସେ ମାମଲାରେ ଅଭିଯୁକ୍ତ ବୋଲି ଏହା ଏକ ପ୍ରମାଣ ହୋଇପାରେ। ଆମ ପାଖରେ ପ୍ରମାଣ ଅଛି ବିଜୟ ନାୟର ଏହି ଦୁର୍ନୀତିରେ ସମ୍ପୂର୍ଣ୍ଣ ସାମିଲ। ସେ ମନ୍ତ୍ରୀମାନଙ୍କ ନିମନ୍ତେ ଆଲଟ କ୍ୱାର୍ଟରରେ ରହୁଥିଲେ। ହେଲେ ଏହି ଘର ସହ ତାଙ୍କର କୌଣସି ନେଣଦେଣ ନଥିଲା। ଏଥିରେ ଜଷ୍ଟିସ୍ ଖନ୍ନା କହିଥିଲେ ଯେ ଅନେକ ଲୋକ ମନ୍ତ୍ରୀଙ୍କ ଘରେ ରହନ୍ତି, ଆପଣ ଏହା କହିପାରିବେନି ସେ କାହିଁକି ରହୁଥିଲେ।
ସେହିପରି ଆପ୍ରୁଭରଙ୍କ ବୟାନର ବିଶ୍ୱାସନୀୟତା ମାନଦଣ୍ଡ ଅଲଗା। କାରଣ ସ୍ୱୀକାରୋକ୍ତିରୁ ତାଙ୍କୁ ଲାଭ ମିଳିଥାଏ, ଏହା ପୁଷ୍ଟି ହେବା ଦରକାର। ଏଥିରେ ଏଏସଜି ରାଜୁ କହିଥିଲେ ଯେ ଯେତେବେଳେ କେଜରିୱାଲଙ୍କୁ ଗିରଫ କରାଯାଇଥିଲା ସେତେବେଳେ ମାଜିଷ୍ଟ୍ରେଟ୍ ତଥ୍ୟର ଯାଞ୍ଚ କରିଥିଲେ। ମାଜିଷ୍ଟ୍ରେଟ୍ ପିଏମଏଲଏର ଧାରା ୧୯ ଲାଗୁ ହୋଇଥିବାରୁ ସନ୍ତୁଷ୍ଟ ଥିଲେ। ଏଥିରେ ଜଷ୍ଟିସ୍ ଖନ୍ନା ତର୍କ ପାଇଁ ଆପଣଙ୍କୁ କେତେ ସମୟ ଦରକାର ବୋଲି ଇଡି ଓକିଲଙ୍କୁ ପଚାରିଥିଲେ। ଏଥିରେ ଇଡି ୧୫ ମିନିଟ୍ ମାଗିଥିଲେ। ସିଂଘଭୀ କହିଥିଲେ ଯେ ତାଙ୍କୁ ୪୫ ମିନିଟ୍ ଦରକାର।
ସୁପ୍ରିମକୋର୍ଟ କହିଥିଲେ ଯେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର ମଧ୍ୟାହ୍ନ ସାଢେ ୨ଟାରେ ହେବ। ଏଥିରେ ସିଂଘଭୀ କହିଥିଲେ ଯେ ଆମେ କାଲି ଆମର ପକ୍ଷ ରଖିବୁ। ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟରୁ ଅରବିନ୍ଦ କେଜରିୱାଲଙ୍କୁ ମେ ୧୦ ତାରିଖ ଦିନ ଅନ୍ତରୀଣ ଜାମିନ ମିଳିଥିଲା। ନିର୍ବାଚନ ପ୍ରଚାର ନିମନ୍ତେ ସୁପ୍ରିମକୋର୍ଟ କେଜରିୱାଲଙ୍କୁ ୧ ଜୁନ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ମୁକ୍ତ କରିବା ପାଇଁ ଆଦେଶ ଦେଇଥିଲେ। ତାଙ୍କୁ ଜୁନ ୨ ତାରିଖରେ ଆତ୍ମ ସମର୍ପଣ କରିବାକୁ ହେବ। କିଛି ସର୍ତ୍ତରେ କେଜରିୱାଲଙ୍କୁ ମୁକ୍ତ କରାଯାଇଛି।