ବିମାନର ଏମରଜେନ୍ସି ଡୋର ଖୋଲି ଆତଙ୍କ ଖେଳାଇଥିଲେ ଯାତ୍ରୀ, ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ
17/01/2023 at 5:39 PM

ନୂଆଦିଲ୍ଲୀ: ନିକଟରେ ନେପାଳର ପୋଖରାରେ ବିମାନ ଦୁର୍ଘଟଣାରେ ୭୨ ଜଣଙ୍କ ପ୍ରାଣହାନୀ ଘଟିଛି। ଏହି ଘଟଣା ପୁଣି ଥରେ ବିମାନ ଦୁର୍ଘଟଣାର ଅତୀତକୁ ମନେ ପକାଇ ଦେଇଛି। ତେବେ ଏହା ମଧ୍ୟରେ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ(ଡିଜିସିଏ)ର ନିର୍ଦ୍ଦେଶକ ଗତ ବର୍ଷ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ଵାର ଖୋଲା ରହିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରଥମେ ଖବର ପ୍ରକାଶ ପାଇଥିଲା ଯେ, ଇଣ୍ଡିଗୋ ୬ଇ ବିମାନ-୭୩୩୯ ଗତ ବର୍ଷ ଚେନ୍ନାଇରୁ ତିରୁଚିରାପଲ୍ଲୀ ଯାତ୍ରା କରୁଥିଲା। ତେବେ ଏହା ତ୍ରିବେନ୍ଦ୍ରମ ଯାତ୍ରା କରୁଥିଲା ବୋଲି ପ୍ରଥମେ ଖବର ଆସିଥିଲା। ଏହି ଘଟଣା ଗତ ବର୍ଷ ଡିସେମ୍ବର ୧୦ରେ ଘଟିଥିଲା।

ଡିଜିସିଏ ଅନୁଯାୟୀ, ଚେନ୍ନାଇରୁ ତିରୁଚିରାପଲ୍ଲୀ ଯାତ୍ରା କରୁଥିବା ବିମାନରେ ଜଣେ ଉଦ୍ଧତ ଯାତ୍ରୀ ଆତଙ୍କ ଖେଳାଇଥିଲେ। ଯାତ୍ରୀ ବିମାନର ଜରୁରୀକାଲୀନ ଦ୍ଵାର ବା ଏମରଜେନ୍ସି ଡୋର ଖୋଲି ଦେଇଥିଲେ। ତେବେ ବିମାନ ଚାପ ଅନୁଭୂତ ହେବା ପରେ ଯାଞ୍ଚ କରାଯାଇଥିଲା ଏବଂ ପୁଣି ବିମାନ ଉଡାଣ ଭରିଥିଲା।