କୁନି ପୁଅର ଯନ୍ତ୍ରଣା ଅସହ୍ୟ: ବାପା-ମାଆ କହିଲେ, ଦିଓଳି-ଦିମୁଠା ଖାଇବା କଷ୍ଟକର, ପିଲାର ଚିକିତ୍ସା ପାଇଁ ଏତେ ଟଙ୍କା ଆଣିବୁ କେଉଁଠୁ'

Published By : Prameya-News7 Bureau | October 10, 2020 IST

ଯାଜପୁର୧୦/୧୦: ରୋଗଶର୍ଯ୍ୟାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି କୁନି ପୁଅ । ହେଲେ ଅର୍ଥାଭାବରୁ ବାଳକର ଚିକିତ୍ସା ସମ୍ଭବ ହେଉନି। ନିହାତି ଏକ ଗରିବ ଓ ଦଳିତ ପରିବାର ଟିଏ, ବାପା ଜଣେ ଦିନ ମଜୁରିଆ। ହେଲେ ପାଖରେ ପଇସା ନଥିବାରୁ ତାଙ୍କର ଗୋଟିଏ ବୋଲି ପୁଅର ଚିକିତ୍ସା ସମ୍ଭବ ହେଲାନି। ୬ ବର୍ଷ ତଳେ ହଠାତ୍ ଶିଶୁଟି ଗୁରୁତର ଭାବେ ଅସୁସ୍ଥ ହୋଇପଡିଥିଲା। ଫଳରେ ପ୍ରଥମ ଶ୍ରେଣୀରୁ ହିଁ ପାଠପଢାରେ ପୂର୍ଣ୍ଣଛେଦ ପଡିଯାଇଛି।  କଟକ ବଡ ଡାକ୍ତରଖାନାରେ ବି ଚିକିତ୍ସା ହୋଇ ଭଲ ହୋଇପାରିଲାନି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର କୋରାଇ ବ୍ଲକ୍ ଗୋପାଳପୁର ଗାଁର ଏକ ଗରିବ ଦଳିତ ପରିବାରରେ ।

 ଯାଜପୁର କୋରେଇ  ବ୍ଲକ୍ ରଣପୁର ପଞ୍ଚାୟତ ଗୋପାଳପୁର ଗାଁର ଏହି କରୁଣ ଚିତ୍ର ସମସ୍ତଙ୍କୁ ମର୍ମହାତ କରିଛି। ବାଳକଟି ଅତି ଦହନୀୟ ଅବସ୍ଥାରେ ରୋଗଶଯ୍ୟାରେ ପଡିରହିଛି। ବାଳକଟି ହେଲା ଏହି ଗାଁର ଦିଲ୍ଲିପ ମଲିକଙ୍କ ୧୨ ବର୍ଷର ଏକମାତ୍ର ପୁଅ ଓମପ୍ରକାଶ୍। ଏକ ଦଳିତ ନିସ୍ପେଷିତ ଗରିବ ପରିବାର। ବାପା ଦିଲ୍ଲିପ୍ ହେଲେ ଜଣେ ଦିନ ମଜୁରିଆ। ଦିନସାରା ଖଟି ଖଟି ଯାହା ରୋଜଗାର କରନ୍ତି, ସବୁ ପଇସା ପୁଅର ଚିକିତ୍ସାରେ ଖର୍ଚ୍ଚ ହୋଇଯାଏ । ବାଳକଟି ଶୈଶବାବସ୍ଥାରୁ ହିଁ ରୋଗଶଯ୍ୟାରେ ପଡି ଛଟପଟ ହେଉଛି, ହାତଗୋଡ ଚାଲୁନି । କଥା ବି କହିପାରୁନି । ପାଟିରୁ ଲାଳ ଗଡୁଛି । ବାଳକଟି ୬ ବର୍ଷ ବୟସରେ ହଠାତ୍ କୌଣସି ମସ୍ତିଷ୍କ ରୋଗରେ ପୀଡିତ ହୋଇଗଲା ।ପ୍ରଥମ ଶ୍ରେଣୀରୁ ହିଁ ପାଠପଢା ଠପ୍ ହୋଇଗଲା । ଏବେ ଅର୍ଥାଭାବ ଯୋଗୁଁ ବାଳକର ଚିକିତ୍ସା ସମ୍ଭବ ହେଉନି । ଏଥିପାଇଁ ସରକାରୀ ସହାୟତା ଲୋଡୁଛନ୍ତି ଏହି ଅସହାୟ ପରିବାର ।  

ପୁଅର ଚିକିତ୍ସା ପାଇଁ ବାପା ଅନେକ ଜାଗାକୁ ଯାଇଛନ୍ତି, ଅନେକଙ୍କୁ ଗୁହାରୀ ଜଣାଇଛନ୍ତି । ହେଲେ କେଉଁଠୁ ବି ଆଶ୍ବାସନା ପାଇନାହାନ୍ତି। କଟକ ବଡ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି, ହେଲେ ପୁଅକୁ ଭଲ କରିପାରିନାହାନ୍ତି। ବାଳକଟି ଗୁରୁତର ଭାବେ ଅସୁସ୍ଥ ଥିବାରୁ ତାର ଚିକିତ୍ସା ପାଇଁ ଅର୍ଥ ହିଁ ବାଧକ ସାଜିଛି । ସହଜେ କୋଭିଡ୍ ସମୟରେ କାମଧନ୍ଦା ମିଳୁନଥିବାକୁ ପରିବାର ପ୍ରତିପୋଷଣ ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି। ପୁଅର ଚିକିତ୍ସା ବା କରିବେ କେମିତି? ବାଳକଟି ବିଛଣାରେ ଖାଉଛି । ଆଉ ବିଛଣାରେ ହିଁ ମଳତ୍ୟାଗ କରୁଛି ।

ବାପା ମା ଦୁହେଁ ଶିଶୁର ଯତ୍ନ ନେବାରେ ସମୟ ବିତିଯାଉଛି। ସରକାରୀ ସାହାଯ୍ୟ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହଯୋଗ କଲେ ବାଳକର ଚିକିତ୍ସା ସମ୍ଭବ ହୋଇପାରନ୍ତା ବୋଲି ଆଶା ବାନ୍ଧି ରହିଛନ୍ତି ପରିବାର। ତାକୁ କୌଣସି ମହଲରୁ ସହଯୋଗ ଯୋଗାଇ ଦେବାକୁ ଆପତ୍ତି ଜଣାଇଛନ୍ତି ପଡୋଶୀ ଓ ଗ୍ରାମବାସୀ । ସେପଟେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ କହିଲେ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇ ଏଥିପାଇଁ ପଦକ୍ଷେପ ନିଆଯିବ ।  

ଗରିବ ଦଳିତ ପରିବାରର ଏହି ଡଉଲ ଡାଉଲ ଶିଶୁଟିକୁ ସରକାରୀ କିମ୍ବା ବେସରକାରୀ ସ୍ତରରୁ ଉପଯୁକ୍ତ ଚିକିତ୍ସା ସହାୟତା ଯୋଗାଇଦେଲେ ଶିଶୁଟି ଉପସମ ହେବା ସହ ପରିବାରର ଦୁଃଖ ଦୂର ହୋଇପାରନ୍ତା । ଏକମାତ୍ର ପୁଅକୁ ଆରୋଗ୍ୟ କରି ବାପା ମା ହସଖୁସିରେ ଦିନ କାଟନ୍ତେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.