ଅଦାନୀ ପ୍ରୋଜେକ୍ଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଚାଞ୍ଚଲ୍ୟକର ଅଭିଯୋଗ କରିଥିଲେ ଶ୍ରୀଲଙ୍କା ଅଧିକାରୀ, ପଦରୁ ଦେଲେ ଇସ୍ତଫା

Published By : Prameya-News7 Bureau | June 13, 2022 IST

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଏକ ବଡ ପାୱାର ପ୍ରୋଜେକ୍ଟକୁ ଗୌତମ ଅଦାନୀଙ୍କୁ ଦେବା ପାଇଁ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଉପରେ ଚାପ ପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏମିତି ଚାଞ୍ଚଲ୍ୟକର ଦାବି କରିଥିଲେ ଶ୍ରୀଲଙ୍କାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ । ହେଲେ ପରବର୍ତ୍ତୀ ସମୟରେ ଅଧିକାରୀ ନିଜର ବୟାନରୁ ଓହରି ଯାଇଥିଲେ । ଆଉ ଏବେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅପରପକ୍ଷେ ରାଷ୍ଟ୍ରପତି ରାଜପକ୍ଷେ ଅଧିକାରୀଙ୍କ ଏମିତି ଦାବିକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ।

ଯେଉଁ ପ୍ରକଳ୍ପକୁ ନେଇ ଅଧିକାରୀ ଏତେ ବଡ ଦାବି କରିଥିଲେ ତାହା ଶ୍ରୀଲଙ୍କାର ମନ୍ନାର ଜିଲ୍ଲାରେ ଅବସ୍ଥିତ । ସେଠାରେ ୫୦୦ ମେଗାୱାଟର ନବୀକରଣ ପ୍ରକଳ୍ପ ସ୍ଥାପନ କରିବାର ଯୋଜନା ରହିଛି । ଶ୍ରୀଲଙ୍କାର ସିଲୋନ ଇଲେକ୍ଟ୍ରିସିଟି ବୋର୍ଡ(ସିଇବି)ର ସଭାପତି ଏମଏମସି ଫର୍ଡିନେଣ୍ଡୋ ଶୁକ୍ରବାର ଏକ ସଂସଦୀୟ କମିଟିକୁ ଜଣାଇଥିଲେ ଯେ, ପ୍ରକଳ୍ପକୁ ସିଧାସଳଖ ଅଦାନୀ ଗ୍ରୁପକୁ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଉପରେ ଚାପ ପକାଇଥିଲେ । ଖୋଦ୍ ରାଷ୍ଟ୍ରପତି ମୋତେ ଏହା କହିଥିବା ଅଧିକାରୀ ଦାବି କରିଥିଲେ । ପରେ ସେ ନିଜ ବୟାନକୁ ଓହରିଯିବା ସହ ଏବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ତେବେ ରାଷ୍ଟ୍ରପତି ଟୁଇଟ୍ କରି ଏହି ଧରଣର ଦାବିକୁ ଖଣ୍ଡନ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଏହି ପ୍ରକଳ୍ପ ପ୍ରଦାନ ପାଇଁ ମୋ ଉପରେ କେହି ଚାପ ପକାଇ ନାହାନ୍ତି । ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବୟାନ ଜାରି କରାଯାଇଛି । ସେଥିରେ କୁହାଯାଇଛି ଯେ, ସଂପ୍ରତି ଶ୍ରୀଲଙ୍କାରେ ବିଜୁଳିର ଘୋର ଅଭାବ ରହିଛି ଏବଂ ରାଷ୍ଟ୍ରପତି ଚାହାନ୍ତି ଶୀଘ୍ର କେମିତି କାମ ସରିବ । ଏହି ପ୍ରକଳ୍ପ ପ୍ରଦାନରେ କୌଣସି ଅନୁଚିତ୍ ପ୍ରଭାବ କିମ୍ବା ଚାପ ଦିଆଯିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.