ପର୍ଯ୍ୟଟକଙ୍କୁ ରାଜ୍ୟ ସରକାରଙ୍କ ପରାମର୍ଶ: ବାତ୍ୟା ଆସିବା ପୂର୍ବରୁ ପୁରୀ ଛାଡ଼ି ଚାଲିଯାଆନ୍ତୁ, ସ୍ଥାନାନ୍ତର ହେବେ ହବିଷ୍ୟାଳି

Published By : Prameya-News7 Bureau | October 21, 2024 IST

News7

ଭୁବନେଶ୍ୱର: ଉପକୂଳକୁ ମାଡ଼ିଆସୁଛି ବାତ୍ୟା। ପୁରୀ-ସାଗରଦ୍ୱୀପ ମଧ୍ୟରେ ଯେକୌଣସି ସ୍ଥାନରେ ମାଡ଼ ହୋଇପାରେ ବାତ୍ୟା। ଏନେଇ ସଜାଗ ଓଡ଼ିଶା। ଏହାରି ଭିତରେ ପୁରୀରେ ଥିବା ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ରାଜ୍ୟ ସରକାର ପରାମର୍ଶ ଜାରି କରିଛନ୍ତି।  

ବାତ୍ୟା ଆସୁଥିବାରୁ ପୁରୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦିଆଯାଇଛି।୨୩ ତାରିଖ ରାତି ପୂର୍ବରୁ ପୁରୀରେ ଥିବା ଭକ୍ତ ଓ ବାହାର ଲୋକଙ୍କୁ ପୁରୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ୨୪ ଓ ୨୫ ତାରିଖରେ ଭକ୍ତଙ୍କୁ ପୁରୀ ଯିବା ମନା କରାଯାଇଛି। ଯେଉଁମାନେ ବାହାରୁ ଆସିଛନ୍ତି ସେମାନଙ୍କୁ ପୁରୀ ଛାଡିବାକୁ କୁହାଯିବ।

ଆଉ ଯେଉଁମାନେ ରହିବେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ସେହିଭଳି ପୁରୀରେ ଥିବା ହବିଷ୍ୟାଳିଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏହି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସୁରେଶ ପୂଜାରୀ। 

ସୂଚନାଯୋଗ୍ୟ ଯେ ସୋମବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ତେବେ ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖରେ ଅବପାତରେ ପରିଣତ ହେବ। ପରେ ଏହା ୨୩ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ। ପରେ ଏହା ୨୪ ରାତି କିମ୍ବା ୨୫ ଭୋର ସମୟରେ ପୁରୀରୁ ସାଗରଦ୍ୱୀପ ମଧ୍ୟରେ ଭୀଷଣ ଝଡ଼ ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ଓ ଝଟକା ୧୨୦ କିମି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.