ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ରାଜ୍ୟସଭାରେ ହ୍ରାସ ପାଇଲା ବିଜେପିର ସଦସ୍ୟଙ୍କ ସଂଖ୍ୟା, ଜାଣନ୍ତୁ କଂଗ୍ରେସ ସମେତ ଅନ୍ୟ ପାର୍ଟିର ସ୍ଥିତି

11/06/2022 at 11:04 PM

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ସଂପନ୍ନ ପରେ ଉଚ୍ଚ ସଦନରେ ଶାସକ ଭାରତୀୟ ଜନତା ପାର୍ଟି(ବିଜେପି)ର ସଦସ୍ୟଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଦଳର ବର୍ତ୍ତମାନ ସାଂସଦ ସଂଖ୍ୟା ୯୫ରୁ ୯୨କୁ ଖସି ଆସିଛି। ଅନ୍ୟପଟେ କଂଗ୍ରେସର ସଦସ୍ୟ ସଂଖ୍ୟା ୨୯ରୁ ବଢି ୩୧ ହୋଇଛି। ବିଜେପି ଏବଂ କଂଗ୍ରେସ ଉଭୟ ଚଳିତ ରାଜ୍ୟସଭା ନିର୍ବାଚନରେ ନୂତନ ଏବଂ ଯୁବ ଚେହେରା ଉପରେ ଭରସା ପ୍ରକଟ କରିଛନ୍ତି। ଏଥିରେ କିଛି ଜଣଙ୍କୁ ପ୍ରଥମ ଥର ରାଜ୍ୟସଭାକୁ ମନୋନୀତ କରାଯାଇଛି। ସଂସଦର ଉଚ୍ଚସଦନରେ ଏବେ କଂଗ୍ରେସ ଯୁବ ଚେହେରାଙ୍କୁ ମନୋନୀତ କରି ଅଧିକ ଶକ୍ତି ସହ ଆଗାମୀ ଦିନରେ ବିଜେପି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ଉଦ୍ୟମ କରିବ।

ଶୁକ୍ରବାର ସଂପନ୍ନ ରାଜ୍ୟସଭା ନିର୍ବାଚନରେ ଚାରୋଟି ରାଜ୍ୟ ରାଜସ୍ଥାନ, ହରିୟାଣା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ କଡା ଟକ୍କର ଦେଖିବାକୁ ମିଳିଛି। ବିଜେପି ୫୭ ସିଟରୁ ୨୨ଟି ଜିତିବାରେ ସଫଳ ହୋଇଥିବା ବେଳେ କଂଗ୍ରେସ ଖାତାକୁ ନଅଟି ସିଟ୍ ଯାଇଛି। କାର୍ଯ୍ୟକାଳ ସରୁଥିବା ୫୭ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୨୫ ସଦସ୍ୟ ବିଜେପିର ଏବଂ ସାତ ସଦସ୍ୟ କଂଗ୍ରେସର ଥିଲେ। ଏହି ସବୁ ସାଂସଦ ଆସନ୍ତା ମାସରେ ଅବସର ନେବେ ଏବଂ ତାଙ୍କ ସ୍ଥାନ ନୂତନ ସଦସ୍ୟ ନେବେ।

ଅନ୍ୟ ଆଞ୍ଚଳିକ ଦଳ ମଧ୍ୟରେ ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଓ୍ଵାଇଏସଆର କଂଗ୍ରେସର ଶକ୍ତି ବଢିଛି। ଦଳର ରାଜ୍ୟସଭା ସଦସ୍ୟ ସଂଖ୍ୟା ଛଅରୁ ନଅକୁ ବୃଦ୍ଧି ଘଟିଛି। ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭାରେ ସଦସ୍ୟ ସଂଖ୍ୟା ୧୦କୁ ବୃଦ୍ଧି ଘଟିଛି। ଡିଏମକେ, ବିଜେଡି, ଟିଆରଏସ, ଜେଡିୟୁ, ଏନସିପି ଏବଂ ଶିବସେନା ପରି ଆଞ୍ଚଳିକ ଦଳର ଶକ୍ତି ପୂର୍ବ ପରି ସ୍ଥିର ରହିଛି। ଏହି ଦଳଗୁଡିକର ସେତିକି ପ୍ରାର୍ଥୀ ଜିତିଛନ୍ତି, ଯେତିକି ସଦସ୍ୟଙ୍କ କାର୍ଯ୍ୟକାଳ ସରୁଛି।

ଡିଏମକେର ୧୦ ଏବଂ ବିଜେଡିର ୯

ରାଜ୍ୟସଭାରେ ଡିଏମକେର ୧୦, ବିଜେଡିର ୯, ଟିଆରଏସର ୭, ଜେଡିୟୁର ୫, ଏନସିପିର ୪ ଏବଂ ଶିବସେନାର ୩ ସଦସ୍ୟ ରହିଛନ୍ତି। ଟିଏମସି ଏବଂ ବାମପନ୍ଥୀ ଦଳର ସଦସ୍ୟ ସଂଖ୍ୟା କ୍ରମଶଃ ୧୩ ଏବଂ ୫ ରହିଛି। ରାଜ୍ୟସଭାରେ ଏଆଇଡିଏମକେର ବର୍ତ୍ତମାନ ସଦସ୍ୟ ସଂଖ୍ୟା ରହିଛି ୫। ସେହି ପରି ଜେଡିୟୁର ସଦସ୍ୟ ସଂଖ୍ୟା ୫ରୁ ବଢି ୬  ହେବ। ଉଚ୍ଚସଦନରେ ସମାଜବାଦୀ ପାର୍ଟିର ମାତ୍ର ଜଣେ ସଦସ୍ୟ ରହିଥିବା ବେଳେ ବିଏସପିର ୩ ସଦସ୍ୟ ରହିଛନ୍ତି। ଜେଏମଏମର ସଦସ୍ୟ ସଂଖ୍ୟା ଦୁଇକୁ ବୃଦ୍ଧି ଘଟିଛି। ବର୍ତ୍ତମାନ ରାଜ୍ୟସଭାରେ ଶିରୋମଣି ଅକାଳୀ ଦଳର କୌଣସି ପ୍ରତିନିଧି ରହିବେ ନାହିଁ। କାରଣ ଏହାର ଦୁଇ ସଦସ୍ୟଙ୍କ କାର୍ଯ୍ୟକାଳ ସରୁଛି।

ପୁଣି ଥରେ ମନୋନୀତ ହେଲେ ଏହି ନେତା

କେନ୍ଦ୍ରୀୟ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପିୟୂଷ ଗୋଏଲ, କଂଗ୍ରେସର ପି ଚିଦାମ୍ବରମ, କପିଲ ସିବ୍ବଲ, ମୀସା ଭାରତୀ(ଆରଜେଡି), ପ୍ରଫୁଲ ପଟେଲ୍(ଏନସିପି), ସଞ୍ଜୟ ରାଉତ(ଶିବସେନା) ରାଜ୍ୟସଭାକୁ ପୁଣି ଥରେ ଫେରିଛନ୍ତି। ଏହା ବ୍ୟତୀତ କଂଗ୍ରେସର ରଣଦୀପ ସୁରଜେଓ୍ଵାଲା ଏବଂ ଇମ୍ରାନ ପ୍ରତାପଗଢି ମଧ୍ୟ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି।

   Related Posts