କମିବ 2G ଗ୍ରାହକଙ୍କ ସଂଖ୍ୟା, ୨୦୨୪ ସୁଦ୍ଧା 5G ବ୍ୟବହାର କରିବେ ୧୫ କୋଟି ୟୁଜର୍ସ: ରିପୋର୍ଟ
16/02/2023 at 6:50 PM

ନୂଆଦିଲ୍ଲୀ, ୧୬/୦୨: ଭାରତରେ ଏବେବି ୫ଜି ସେବା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଟେଲିକମ୍ କମ୍ପାନୀମାନେ ସମସ୍ତଙ୍କ ନିକଟରେ ୫ଜି ସେବା ପହଞ୍ଚାଇବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହାରି ମଧ୍ୟରେ ୫ଜି ୟୁଜର୍ସଙ୍କୁ ନେଇ ନୋକିଆର ଏକ ରିପୋର୍ଟ ସାମ୍ନାକୁ ଆସିଛି। ନୋକିଆ ଏହାର ଇଣ୍ଡିଆ ମୋବାଇଲ ବ୍ରଡବ୍ୟାଣ୍ଡ୍ ଇଣ୍ଡେକ୍ସ ରିପୋର୍ଟ ୨୦୨୩ ଜାରି କରିଛି। ଯେଉଁଥିରେ କୁହାଯାଇଛି ୨୦୨୪ ବେଳକୁ ଦେଶରେ ୧୫ କୋଟି ୫ଜି ୟୁଜର୍ସ ହୋଇଥିବେ। ଖାଲି ସେତିକି ନୁହେଁ ୨୦୨୪ ବେଳକୁ ଭାରତରେ ୨ଜି ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଖୁବ୍ ହ୍ରାସ ପାଇବ ବୋଲି ଏହି ରିପୋର୍ଟରେ କୁହାଯାଇଛି।
ଗୁରୁବାର ଟେଲିକମ୍ ସରଞ୍ଜାମ ପ୍ରସ୍ତୁତକାରୀ କମ୍ପାନୀ ନୋକିଆ ଦେଇଥିବା ରିପୋର୍ଟରେ, ୨୦୨୪ ସୁଦ୍ଧା ଉଭୟ ୪ଜି ଏବଂ ୫ଜି ୟୁଜର୍ସଙ୍କ ସଂଖ୍ୟା ୯୯ କୋଟି ହେବା ନେଇ କୁହାଯାଇଛି। ନୋକିଆର ଓଏମଡିଆଇଏ ଦ୍ବାରା କରାଯାଇଥିବା ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ୨୦୨୪ ବେଳକୁ ଭାରତରେ ୧୫ କୋଟି ୨ଜି ୟୁଜର ହିଁ ରହିଥିବାେ। ସୂଚନାଥାଉ ବର୍ତ୍ତମାନ ଭୋଡାଫୋନ୍-ଆଇଡିଆ, ବିଏସଏନଏଲ୍ ଏବଂ ଏୟାରଟେଲର ୩୫ କୋଟି ୨ଜି ୟୁଜର ରହିଛନ୍ତି।
ଏବେ ଅଛନ୍ତି ୨ କୋଟି ୫ଜି ୟୁଜର୍ସ:
ନିକଟରେ ମିଳିଥିବା ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ୫ଜି ଲଞ୍ଚ ପରଠାରୁ ଏପର୍ଯ୍ୟନ୍ତ ୨ କୋଟି ୟୁଜର ୫ଜି ସହ ଯୋଡ଼ି ହେଲେଣି । ରିଲାଏନ୍ସ ଜିଓ ୨୦୨୪ ସୁଦ୍ଧା ୧୦ କୋଟି ୟୁଜର୍ସଙ୍କୁ ୫ଜି ସେବା ଯୋଗାଇବା ନେଇ ଯୋଜନା ରଖିଛି।
୮.୫ କୋଟି ୟୁଜର୍ସ କରୁଛନ୍ତି ୫ଜି ଯୁକ୍ତ ସ୍ମାର୍ଟଫୋନ୍ ବ୍ୟବହାର:
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଦେଶକୁ ୨୦୨୩ ଦ୍ବିତୀୟ ତ୍ରୈମାସିକ ସୁଦ୍ଧା ଭାରତକୁ ୫ଜି ସ୍ମାର୍ଟଫୋନ୍ ରପ୍ତାନୀ ୧୦ କୋଟି ଛୁଇଁଯିବ। ଯାହାକି ୨୦୨୩ ଶେଷ ସୁଦ୍ଧା ୪ଜି ସ୍ମାର୍ଟଫୋନ୍ ରପ୍ତାନୀକୁ ଟପିବ। ରିପୋର୍ଟରେ କୁହାଯାଇଛି ୨୦୨୨ରେ ଭାରତକୁ ୭ କୋଟି ରୁ ଅଧିକ ୫ଜି ଡିଭାଇସ୍ ପଠାଯାଇଛି। ବର୍ତ୍ତମାନରେ ଥିବା ୭୩ କୋଟି ୪ଜି ୟୁଜର୍ସଙ୍କ ମଧ୍ୟରେ ୮.୫ କୋଟି ୟୁଜର୍ସ ୫ଜି ଯୁକ୍ତ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। ସେବାରେ ଉନ୍ନତି ଆସିବା ସହ ୫ଜି ସେବା ଆହୁରି ସୁଲଭ ହେବ।
୨୦୨୭ ବେଳକୁ ପ୍ରତି ଗ୍ରାହକଙ୍କ ମାସିକ ଡାଟା ହେବ ୪୬ ଜିବି:
ଏହା ସହ ନୋକିଆ କହିଛି ୫ଜି ରୋଲ୍ଆଉଟ ପରେ ଡାଟା ବ୍ୟବହାରରେ ମଧ୍ୟ ବୃଦ୍ଧି ପାଇବ। ପ୍ରତି ଗ୍ରାହକଙ୍କ ମାସିକ ଡାଟା ବ୍ୟବହାର ୧୩୬ ପ୍ରତିଶତ ବୃଦ୍ଧି ପାଇବ । ୨୦୨୨ ରେ ପ୍ରତି ଗ୍ରାହକଙ୍କ ମାସିକ ଡାଟା ଖର୍ଚ୍ଚ ୧୯.୫ ଜିବି ରହିଥିଲା ଯାହା ୨୦୨୭ ବେଳକୁ ଏହା ୪୬ ଜିବି ହୋଇଯିବ। ସେତେବେଳକୁ ମୋବାଇଲ ବ୍ରଡବ୍ୟାଣ୍ଡ୍ ମଧ୍ୟ ୮୨ ପ୍ରତିଶତ ବୃଦ୍ଧି ପାଇଥିବ।
ଏହା ସହ ଭାରତ ପୂର୍ବ ଭଳି ଡାଟା ଖର୍ଚ୍ଚ କରିବାରେ ଅନ୍ୟ ଦେଶ ତୁଳନାରେ ବିଶ୍ବରେ ଉପରେ ରହିବ। ନୋକିଆର ରିପୋର୍ଟରେ କୁହାଯାଇଛି ୨୦୧୮ ରୁ ୨୦୨୨ ମଧ୍ୟରେ ଡାଟା ଟ୍ରାଫିକ୍ ୩.୨ ଗୁଣା ବଢ଼ିଛି। ଯାହାକି ୪.୫ ଏକ୍ସାବାଇଟ୍ରୁ ୧୪.୪ ଏକ୍ସାବାଇଟ୍ ପ୍ରତିମାସ ହୋଇଛି