ଭୁବନେଶ୍ଵର: ପ୍ରଥମ ପଯ୍ୟାୟ ନିର୍ବାଚନ ଲାଗି ୧୮ରେ ବିଜ୍ଞପ୍ତି ପ୍ରକାଶ ପାଇବ । ହେଲେ ଏ ଯାଏ ତିନି ଦଳର ଟିକେଟ ଘୋଷଣା ସରୁନି। ଏମିତିକି ବିଜେଡି- ବିଜେପି ଆଉ କଂଗ୍ରେସର ଅନକେ ବଡ ବଡ ନେତାଙ୍କ ନାଁ ପ୍ରାର୍ଥୀ ତାଲିକାକୁ ଚଢୁନଥିବାରୁ ସେହିନେତାମାନେ ବି ଦୋ ଦୋ ପାଞ୍ଚରେ ରହିଛନ୍ତି। ଏଭଳି ଅବସ୍ଥାରେ ହେଭିୱେଟଙ୍କ ହାର୍ଟ ବିଟ ବଢିବାରେ ଲାଗିଛି ।
ବଢୁଛି ହେଭି ୱେଟଙ୍କ ହାର୍ଟ ବିଟ । ଟିକେଟ ଘୋଷଣା ହେଉ ନଥିବାରୁ ଟେନସନରେ ବରିଷ୍ଠ ନେତା । ବିଜେଡିର ୩୦, ବିଜେପିର ୩୫ କଂଗ୍ରେସର ୯୮ ବିଧାନସଭା ସିଟ ଝୁଲିକି । ଟିକେଟ ମିଳିବା ନ ମିଳିବା ଆଶା ଆଶଙ୍କାରେ ଜଣେ କେନ୍ଦ୍ର ମନ୍ତ୍ରୀ, ୨ ଜଣ ମନ୍ତ୍ରୀ ଏବଂ ଅନେକ ପୂର୍ବତନ ମନ୍ତ୍ରୀ ଏବଂ ବହୁ ବରିଷ୍ଠ ନେତା ଅଛନ୍ତି । ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ୧୯୯୦ରୁ ଲଗାତର ନିର୍ବାଚନ ଲଢି ୬ ଥର ବିଧାୟକ ଏବଂ ମନ୍ତ୍ରୀ ହୋଇଛନ୍ତି । ବିଜେଡିର ୧୧୭ ବିଧାନସଭା ସିଟ ପାଇଁ ନାଁ ଘୋଷଣା ହୋଇଥିଲେ ବି ତାଙ୍କ ପାଳି କାହିଁକି ପଡୁନି ସେ କନଫ୍ୟୁଜ୍ଡ।
Also read: ବିଜେଡ଼ି କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ପୁତ୍ର ମନ୍ମଥଙ୍କ ସପକ୍ଷରେ ଭୋଟ୍ ଦେବାକୁ କଲେ ଅପିଲ୍
କରଞ୍ଜିଆ ଆସନରୁ ଜିତି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଥିବା ବାସନ୍ତି ହେମ୍ବ୍ରମଙ୍କ ନାଁ ବି ପ୍ରାର୍ଥୀ ତାଲିକାକୁ ଚଢ଼ିନି। କାକଟପୁର ବିଧାୟକ ତଥା କ୍ରୀଡା ଏବଂ ଗୃହ ରାଷ୍ଠ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ନିମାପଡା ବିଧାୟକ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଭୋଗରାଇ ବିଧାୟକ ପୂର୍ବତନ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସଙ୍କ ମଧ୍ୟ ସେଇ ସମାନ ଅବସ୍ଥା । ସେପଟେ ଜଗତସିଂହପୁର ବାଲିକୁଦା ଏରସମା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ଦାସ, ଅନୁଗୋଳ ଚାରି ଚାରି ଥରର ବିଧାୟକ , ପୂର୍ବତନ ଖଣି ମନ୍ତ୍ରୀ ରଜନୀକାନ୍ତ ସିଂହ ଟିକେଟ ପାଇଁ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିବା ସତ୍ବେ ତାଲିକାରେ ନାଁ ଯୋଡ଼ି ହେଉନି। ସେମିତି ପ୍ରଥମ ପର୍ଯ୍ୟାୟରେ ଥିବା ଜୟପୁର ଆସନରେ ପ୍ରାର୍ଥୀ ହେବାକୁ ଅନେଇ ବସିଛନ୍ତି ରବି ନନ୍ଦ। ହେଲେ ତାଲିକାକୁ ନେଇ ସେ ବି କନଫ୍ୟୁଜ୍ଡ।
ବିଜେପିରେ ବି ବହୁ ହେଭିୱେଟ ନେତାଙ୍କ ଟିକେଟ କସରତ ଏ ଯାଏ ଛିଡୁନାହିଁ। ତାଲିକାରେ ପ୍ରଥମ ନାଁ ରହିଛି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କର ନାଁ। ଏଥର ଦଳ ତାଙ୍କୁ ସାଂସଦ ତାଲିକାରୁ ବାଦ୍ ଦେଇଥିବା ବେଳେ ସେ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ସିନା ହେଉଛି କିନ୍ତୁ ତାଲିକା ପ୍ରକାଶ ପାଉନି। ବିଜେପିରେ ପ୍ରାୟ ସବୁ ବିଧାୟକ ଟିକେଟ ନେଇ ଗ୍ରାଉଣ୍ଡ ଓହ୍ଲାଇଥିବା ବେଳେ ସାରସ କଣା ବିଧାୟକ ଡାକ୍ତର ବୁଧାନ ମୁର୍ମୁଙ୍କ ଅପେକ୍ଷାରେ ରହିଛନ୍ତି । ଜଗତସିଂହପୁର ବିଜେପି ଜିଲ୍ଲା ସଭାପତି ଥିବା ସତ୍ୟବ୍ରତ ମହାପାତ୍ରଙ୍କ ତାଙ୍କ ସମର୍ଥକଙ୍କ ସହ ଆସି ରାଜ୍ୟ ସଭାପତିଙ୍କ ଆଗରେ ଶକ୍ତି ପ୍ରଦର୍ଶନ କରିଥିଲେ ବି ଚିତ୍ର ସ୍ପଷ୍ଟ ହେଉନି ।
କଂଗ୍ରେସର ବହୁ ହେଭିୱେଟ ନେତାଙ୍କ ଆସନ କ୍ଲିଅର ହେଉନି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତଥର ଭଣ୍ଡାରୀ ପୋଖରୀରୁ ଲଢିଥିଲେ । ହେଲେ ଏବେବି ତାଲିକାରେ ଅଲେଖ ନିରଞ୍ଜନ। ତଥାପି ବି ସେ ଭଣ୍ଡାରୀ ପୋଖରୀରେ ନିଜର ଶକ୍ତି ପଦର୍ଶନ କରିଛନ୍ତି। ତାଙ୍କ ଭଳି ଜୟଦେବ ଜେନା ଆନନ୍ଦପୁର ଆସନ ଲାଗି ଗ୍ରାଉଣ୍ଡରେ କାମ ଆରମ୍ଭ କରିଥିଲେ ବି ତାଙ୍କ ନାଁ ଝୁଲିକି ରହିଛି । ପୁରୀ ବିଧାନସଭା ସିଟ ଲାଗି ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ପୂର୍ବତନ ମନ୍ତ୍ରୀ ଶରତ ରାଉତ ସୁକିନ୍ଦା ସିଟ ପାଇଁ ଦ୍ବନ୍ଦ୍ବରେ ରହିଛନ୍ତି। ଏ ମଧ୍ୟରେ କିଛି ସ୍ଥାନରେ ପରସ୍ପରକୁ ଛକିଛନ୍ତି ତିନି ଦଳ। ଯେଉଁଥି ପାଇଁ ଟିକେଟ ଘୋଷଣାରେ ବିଳମ୍ବ ହେଉଛି ।