କଂଗ୍ରେସର ନୂତନ ଅଧ୍ୟକ୍ଷ ଗାନ୍ଧୀ ପରିବାରର ରିମୋଟ୍ କଣ୍ଟ୍ରୋଲରେ ଚାଲିବେ ? ଏମିତି ଜବାବ ଦେଲେ ରାହୁଲ ଗାନ୍ଧୀ

Published By : Prameya-News7 Bureau | October 08, 2022 IST

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସକୁ ମିଳିବ ନୂତନ ଅଧ୍ୟକ୍ଷ। ତେବେ ପ୍ରଥମ ଥର ଅଣ ଗାନ୍ଧୀ ପରିବାରର ଅଧ୍ୟକ୍ଷ କଣ ସ୍ଵାଧୀନ ଭାବେ କାମ କରି ପାରିବେ ? ଏହି ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଛି। ଆଉ ଶନିବାର ଏହାର ଉତ୍ତର ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସେ କହିଛନ୍ତି, ଅଧ୍ୟକ୍ଷ ନିର୍ବାଚନ ଲଢୁଥିବା ଦୁଇ ବ୍ୟକ୍ତି ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର ଉଭୟ ବୁଦ୍ଧିମାନ ଏବଂ ବିଚାରବନ୍ତ ବ୍ୟକ୍ତି। ଉଭୟଙ୍କ ବିଷୟରେ  ଏମିତି ଚର୍ଚ୍ଚା କରିବା ସେମାନଙ୍କ ପ୍ରତି ଅପମାନ କରିବା ସହ ସମାନ।

କଂଗ୍ରେସ ପାର୍ଟିର ନୂତନ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରାଜନୈତିକ ବିଶ୍ଳେଷକଙ୍କ ମତରେ ପାର୍ଟିର ନୂତନ ଅଧ୍ୟକ୍ଷ ଯିଏ ହେଉନା କାହିଁକି ସେ ଗାନ୍ଧୀ ପରିବାରର ରିମୋଟ୍ କଣ୍ଟ୍ରୋଲରେ ଚାଲିବେ। ରାହୁଲ କହିଛନ୍ତି, ଖଡଗେ ଏବଂ ଥରୁରଙ୍କ ପରି ସ୍ପଷ୍ଟବାଦୀ ନେତା କାହାରି ରିମୋଟ୍ କଣ୍ଟ୍ରୋଲରେ ପରିଚାଳିତ ହେବେ ଭାବିବା ଭୁଲ୍। ଉଭୟଙ୍କୁ ଅପମାନିତ କରିବା ପାଇଁ ଏମିତି ସବୁ ଟିପ୍ପଣୀ କରାଯାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ନିକଟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିଷେଧ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଏବଂ କଂଗ୍ରେସ ମଧ୍ୟରେ ସମ୍ବନ୍ଧକୁ ନେଇ ବିଜେପିର ଅଭିଯୋଗ ଉପରେ ରାହୁଲ କହିଛନ୍ତି, ଘୃଣା ଏବଂ ହିଂସାକୁ ପ୍ରୋତ୍ସାହନ ଦେଉଥିବା  ଲୋକଙ୍କ ବିରୋଧରେ ଆମେ ଲଢେଇ କରିବୁ। ଏଥିରେ କୌଣସି ଫରକ ପଡେ ନାହିଁ ଯେ, ହିଂସା ଏବଂ ଘୃଣାକୁ ଉସୁକାଉଥିବା ବ୍ୟକ୍ତି କିଏ ଏବଂ କେଉଁ ସମୁଦାୟରୁ ଆସିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ନାନା କସରତ ପରେ ମଇଦାନରେ ବର୍ତ୍ତମାନ ଅଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ କେରଳର କଂଗ୍ରେସ ସାଂସଦ ଶଶି ଥରୁର। ତେବେ ଖଡଗେଙ୍କ ପ୍ରତି ପାର୍ଟିର ଅଧିକାଂଶ ସଦସ୍ୟଙ୍କ ସମର୍ଥନ ରହିଛି। ସୂଚନାଯୋଗ୍ୟ, ଅଦ୍ୟାବଧି ଭାରତଯୋଡ ଯାତ୍ରାକୁ ୩୦ ଦିନ ପୂରିଛି। ଏହି ସମୟରେ ରାହୁଲ ଲୋକଙ୍କ ସହ ମିଶି ସେମାନଙ୍କର ସମସ୍ୟା ଜାଣିବାକୁ ଚେଷ୍ଟା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.