ଗାଁ’ର ନାଁ ଦମାଦନପୁରବା, ଜ୍ୱାଇଁମାନଙ୍କ ପାଇଁ ରହିଛି ସ୍ୱତନ୍ତ୍ର ପରମ୍ପରା
22/08/2022 at 12:20 PM

ନୂଆଦିଲ୍ଳୀ ୨୨।୦୮: ସାଧାରଣତଃ ଭୌଗୋଳିକ ସ୍ଥିତି, ଐତିହାସିକ ସ୍ଥାନ, କୌଣସି ବଡ଼ ଉପଲବ୍ଧି କିମ୍ବା ଲୋକକଥାର ଚରିତ୍ରଙ୍କ ଅନୁସାରେ ଗାଁଗୁଡ଼ିକର ନାମକରଣ ହେଉଥିବା ଆପଣମାନେ ଶୁଣିଥିବେ । ହେଲେ ଉତ୍ତରପ୍ରଦେଶରେ ଏଭଳି ଏକ ଗାଁ ରହିଛି । ଯାହାର ନାମକରଣ ପଛର କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସେହି ଗାଁଟି ହେଉଛି ଦମାଦନପୁରବା ।
ସେଠାକାର ଅଧିକାଂଶ ଘରର ଜ୍ୱାଇଁମାନଙ୍କର ହୋଇଥିବାରୁ ଗାଁର ନାମ ଏଭଳି ରଖାଯାଇଛି । ଦମାଦନପୁରବା କାନପୁର ଦେହାତର ଆକବରପୁର ତହସିଲ କ୍ଷେତ୍ରରେ ରହିଛି । ସେଠାରେ ଥିବା ୭୦ଟି ଘର ମଧ୍ୟରୁ ୫୦ଟି ଘର ହେଉଛି ଗାଁର ଜ୍ୱାଇଁମାନଙ୍କର । ସେମାନଙ୍କ ମଧ୍ୟରୁ ଅଧିକାଂଶ ନିକଟବର୍ତ୍ତୀ ଗାଁରୁ ଆସି ସେଠାରେ ରହିଛନ୍ତି । ଗାଁର ବୟସ୍କ ଲୋକଙ୍କ ମୁତାବକ, ୧୯୭୦ ମସିହାରୁ ସେଠାରେ ଏହି ପରମ୍ପରା ଆରମ୍ଭ ହୋଇଥିଲା । ଗାଁର ଜଣେ ଝିଅ ରାଜରାଣୀଙ୍କର ବିବାହ ନିକଟବର୍ତ୍ତୀ ଗାଁର ସାଁବରେ କଠୋରିୟାଙ୍କ ସହ ହୋଇଥିଲା ।
କଠୋରିୟା ପ୍ରଥମରୁ ବି ବିବାହ ପରେ ଶ୍ୱଶୁରଘରେ ରହିବାକୁ ଲାଗିଲେ । ପରେ ତାଙ୍କର ଜାଗାର ଆବଶ୍ୟକତା ପଡ଼ିବାରୁ ସେ ସେହି ଗାଁରେ ଜମି କିଣିଲେ । ତା’ ପରଠାରୁ ଧୀରେ ଧୀରେ ଏହି ପରମ୍ପରା ବଢ଼ିବାକୁ ଲାଗିଲା । ଗାଁର ଅନ୍ୟ ଝିଅମାନେ ମଧ୍ୟ ବିବାହ ପରେ ସ୍ୱାମୀଙ୍କ ସହ ସେଠାରେ ରହିବାକୁ ଆରମ୍ଭ କଲେ । ଏହାପରେ ଲୋକମାନେ ଗାଁଟିକୁ ଜ୍ୱାଇଁମାନଙ୍କର ଗାଁ ଭାବେ ଦମାଦନପୁରବା ବୋଲି କହିବାକୁ ଆରମ୍ଭ କଲେ । ସରକାରୀ କାଗଜପତ୍ରରେ ବି ଗାଁର ସେହି ନାମକୁ ସ୍ୱୀକୃତି ମିଳିଛି ।