ଖେପୁପାରା ନିକଟରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ଘୂର୍ଣ୍ଣିବାତ୍ୟା ‘ମିଧିଲୀ’
17/11/2023 at 6:02 PM

ନୂଆଦିଲ୍ଲୀ ୧୭।୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୧୭ ନଭେମ୍ବର ଶୁକ୍ରବାର ଘୂର୍ଣ୍ଣିବାତ୍ୟା ‘ମିଧିଲୀ’ରେ ରୂପାନ୍ତରିତ ହୋଇଛି। ଘଣ୍ଟାପ୍ରତି ଅଧିକତମ ୮୦ କିଲୋମିଟରରୁ ଅଧିକ ବେଗରେ ଏହା ବାଂଲାଦେଶ ଉପକୂଳକୁ ପହଞ୍ଚିବା ପୂର୍ବରୁ ପଶ୍ଚିମବଙ୍ଗର ସୁନ୍ଦରବନ ଦେଇ ପ୍ରବାହୀତ ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ବୁଲେଟିନରେ ଏହି ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ଘୂର୍ଣ୍ଣିବାତ୍ୟା ମିଧିଲୀ ୧୭ ନଭେମ୍ବର ରାତି ଅଥବା ୧୮ ନଭେମ୍ବର ସକାଳେ ବାଂଲାଦେଶ ଉପକୂଳ ପାର କରିବ।

ଜାତୀୟ ପାଣିପାଗ ଏଜେନ୍ସୀଙ୍କ ଅନୁସାରେ ଘୂର୍ଣ୍ଣିବାତ୍ୟା ମିଧିଲୀ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ବଢୁଛି। ଏହା ୧୭ ନଭେମ୍ବର ରାତି ଅଥବା ୧୮ ନଭେମ୍ବର ସକାଳେ ୬୦ରୁ ୮୦ କିଲୋମିଟର ବେଗର ପବନ ସହ ଖେପୁପାରା ନିକଟରେ ଉପକୂଳ ପାର କରିବ। ଏହି ଘୂର୍ଣ୍ଣିବାତ୍ୟାକୁ ମାଲଦୀଭ ‘ମିଧିଲୀ’ ନାମକରଣ କରିଛି। ଆରବ ସାଗର ଓ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାକୁ ଦେଶମାନେ ପ୍ରତିଥର ନାମକରଣ କରିଥାନ୍ତି।

ଆଇଏମଡିଙ୍କ ଅନୁସାରେ ଘୂର୍ଣ୍ଣିବାତ୍ୟା ମିଧିଲୀର ଓଡିଶା ଉପରେ କୌଣସି ପ୍ରଭାବ ରହିବ ନାହିଁ। କାରଣ ଏହା ଓଡ଼ିଶା ଉପକୂଳରୁ ୧୫୦ କିଲୋମିଟର ଦୂରରେ ଅତିକ୍ରମ କରିବ। ତେବେ ଆଇଏମଡି ବୈଜ୍ଞାନିକ ଉମାଶଙ୍କର ଦାସ ଜଗତସିଂହପୁର ଓ କେନ୍ଦ୍ରାପଡା ଭଳି ରାଜ୍ୟର କିଛି ଅଞ୍ଚଳରେ ଏହା ପ୍ରଭାବରେ ଶୁକ୍ରବାର ବର୍ଷା ଆଶଙ୍କା କରିଥିଲେ। ତେବେ ଆଇଏମଡି ପୂର୍ବାନୁମାନରେ ପଶ୍ଚିମବଙ୍ଗର ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, ହାୱଡା, ପୂର୍ବ ମେଦିନୀପୁର ଓ କୋଲକାତା ଭଳି ଉପକୂଳ ଜିଲ୍ଲାମାନଙ୍କରେ ବର୍ଷା ଆଶଙ୍କା କରିଥିଲେ। ଚଳିତ ଋତୁର ଏହା ଦ୍ୱିତୀୟ ଗଭୀର ଲଘୁଚାପ ଥିଲା ବୋଲି କୁହାଯାଇଛି।