ଖୁବ୍ ଶୀଘ୍ର ସରକାରୀ କାଗଜ ପତ୍ରରେ ଦେଖିବାକୁ ମିଳିବ ’ଭାରତ’ ନାମ, ପିଛିଲା ତାରିଖରୁ ହେବନାହିଁ ପରିବର୍ତ୍ତନ
8/09/2023 at 7:23 PM

ନୂଆଦିଲ୍ଲୀ ୮।୯: ସରକାରୀ କାର୍ଯ୍ୟକ୍ରମ ସମ୍ପର୍କିତ ଅଧିକାରୀକ କାଗଜପତ୍ର, ଜାତୀୟ ଓ ଅନ୍ତର୍ଜାତୀୟ ନିମନ୍ତ୍ରଣ ତଥା ସମ୍ପର୍କିତ କାଗଜପତ୍ରରେ ଏଥିରେ ‘ଭାରତ’ ନାମ ଦେଖିବା ଆରମ୍ଭ ହୋଇପାରେ। ଜନୈକ ବରିଷ୍ଠ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତେବେ ପିଛିଲା ଭାବେ ଏହା ଲାଗୁ ହେବ ନାହିଁ। ଯୋଜନା ଓ କାର୍ଯ୍ୟକ୍ରମ ଅନୁସାରେ ସରକାରୀ କାଗଜପତ୍ରରେ ‘ଭାରତ’ ନାମ ପୂର୍ବରୁ ବ୍ୟବହାର ହେଉଛି ଯେପରି ‘କର୍ମଯୋଗୀ ଭାରତ’। ହେଲେ ଏବେ ଏହି ମାମଲା ଅଧିକ ଗୁରୁତର ହୋଇଯାଇଥିବା ଅଧିକାରୀ କହିଛନ୍ତି।
ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ପେନାଲ କୋଡ ସଂଶୋଧନ ପ୍ରସ୍ତାବ ରଖିଲେ ସେଥିରେ ଇଣ୍ଡିଆନ ପେନାଲ କୋଡ ଭାରତୀୟ ନ୍ୟାୟ ସଂହିତା ଉଲ୍ଲେଖ ଥିଲା। ସେହିପରି କୋଡ୍ ଅଫ କ୍ରିମିନାଲ ପ୍ରୋସିଜିୟର ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ପରିବର୍ତ୍ତିତ ହୋଇଥିଲା। ଏହା ଛଡା ଇଣ୍ଡିଆନ ଏଭଡିଏନ୍ସ ଆକ୍ଟ ଭାରତୀୟ ସାକ୍ଷ ବିଲ୍ ବନି ଯାଇଛି। ‘ଭାରତ’ ଶବ୍ଦର ବ୍ୟବହାର ଏବେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମରେ ପ୍ରାୟ ଦେଖିବାକୁ ମିଳିବ।

ଅଧିକାରୀଙ୍କ କହିବା କଥା ହେଉଛି ସରକାରୀ କାଗଜପତ୍ରରେ ‘ଭାରତ’ ଶବ୍ଦର ବ୍ୟବହାର ନେଇ କୌଣସି ପ୍ରକାରର ଆଇନଗତ ସମସ୍ୟା ନାହିଁ। କାରଣ ‘ଇଣ୍ଡିଆ’ ଓ ‘ଭାରତ’ ଉଭୟ ଶବ୍ଦ ସମ୍ବିଧାନ ଓ ଆଇନତଃ ମାନ୍ୟ। ପାସପୋର୍ଟରେ ‘ରିପବ୍ଲିକ୍ ଅଫ ଇଣ୍ଡିଆ’ ଓ ‘ଭାରତ ସରକାର’ ଉଭୟ ଉଲ୍ଲେଖ ରହିଛି। ଏଥିରେ କୌଣସି ପ୍ରକାରର ଆଇନଗତ ଅଥବା ସାମ୍ବିଧାନିକ ଉଲ୍ଲଂଘନର ପ୍ରଶ୍ନ ନାହିଁ। ଏଣୁ ପିଛିଲା ତାରିଖରୁ ଏଥିରେ କୌଣସି ପରିବର୍ତ୍ତନର ମଧ୍ୟ ଆବଶ୍ୟକତା ଦେଖାଯାଉନି।
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ଭାରତ’ର ଉଲ୍ଲେଖକୁ ନେଇ ବିବାଦ ଉପୁଜିଛି। ରାଜନୈତିକ ଲାଭ ନିମନ୍ତେ ମୋଦି ସରକାର ଦେଶର ନାମ ବଦଳାଇବା ପାଇଁ ଉଦ୍ୟମ କରୁଥିବା ବିରୋଧୀ ଦଳ ଅଭିଯୋଗ କରୁଛନ୍ତି। କାରଣ ବିରୋଧୀ ମେଣ୍ଟ ସେମାନଙ୍କ ନାମ ସହ ଇଣ୍ଡିଆ ଶବ୍ଦ ଯୋଡିଛନ୍ତି। ତେବେ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ମାମଲାରେ ବିରୋଧୀ ମେଣ୍ଟଙ୍କ ନାମକୁ ନେଇ କୌଣସି ସମସ୍ୟା ନାହିଁ। ଅଧିକାରୀମାନେ କହିଛନ୍ତି ଯେ ‘ଇଣ୍ଡିଆ’କୁ ବଦଳାଇ ଭାରତ କରିବା ପାଇଁ ଦୀର୍ଘ ସମୟରୁ ମନ୍ଥନ ଚାଲିଥିଲା। କାରଣ ସରକାର ଏହି ନାମକୁ ଅଧିକ ଭାରତୀୟ ବୋଲି ଭାବୁଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟିର ସଦସ୍ୟ ତଥା ଐତିହାସିକ ସଞ୍ଜିବ ସାନ୍ୟାଲ ଉଭୟ ନାମ ‘ଭାରତ’ ଓ ‘ଇଣ୍ଡିଆ’ ଉଭୟ ନାମ ମାନ୍ୟ ଓ ଏହାକୁନେଇ କୌଣସି ପ୍ରକାରର ସନ୍ଦେହ ରହିବା ଉଚିତ ନୁହେଁ ବୋଲି କହିଛନ୍ତି। ତେବେ ଭାରତ ଶବ୍ଦର ଉତ୍ପତି ଏହି ଦେଶରେ ହୋଇଛି ଏଣୁ ଏହା ଅଧିକ ମାନ୍ୟ। ସେ କହିଛନ୍ତି ଯେ ଭାରତ ଆମର ସ୍ଥାନୀୟ ନାମ ତେବେ ପ୍ରାଚୀନ କାଳରେ ବିଦେଶୀଙ୍କ ତ୍ରୁଟିପୂର୍ଣ୍ଣ ଉଚ୍ଚାରଣର ପରିଣାମ ହେଉଛି ଇଣ୍ଡିଆ। ସନ୍ୟାଲ ଭାରତ ଶବ୍ଦର ବ୍ୟବହାର ଐତିହାସିକ ଦୃଷ୍ଟିରୁ ମଧ୍ୟ ବ୍ୟାକ୍ଷା କରିଛନ୍ତି।
ସେ କହିଛନ୍ତି ଯେ ଭାରତ ଏକ ପ୍ରାଚୀନ ନାମ, ଯାହାକୁ ଋଗବେଦରୁ ଗ୍ରହଣ କରାଯାଇଛି। ବୈଦିକ ପରମ୍ପରା ଅନୁସାରେ ଭାରତ ନାମକ ସମୂଦାୟ ଏହି ଦେଶରେ ପ୍ରଥମ ସାମ୍ରାଜ୍ୟ ଛିଡା କରିଥିଲେ। ଜୈନ ପୁରାଣ ପରମ୍ପରାରେ ରାଜା ଭରତଙ୍କ ଉଲ୍ଲେଖ ରହିଛି। ଯିଏ ରାଜା ଋଷଭଙ୍କ ନାତି ଥିଲେ। ବୈଦିକ ପରମ୍ପରା ପାଖାପାଖି ୫ହଜାର ବର୍ଷ ପ୍ରାଚୀନ। ତେବେ ପୁରାଣ ପରମ୍ପରା ୨୫୦୦ ବର୍ଷ ପୁରୁଣା ବୋଲି ସାନ୍ୟାଲ କହିଛନ୍ତି।
ପାକିସ୍ତାନୀ ଗଣମାଧ୍ୟମରେ ‘ଇଣ୍ଡିଆ ବନାମ ଭାରତ’ ଚର୍ଚ୍ଚା, ଜାଣନ୍ତୁ କହୁଛନ୍ତି କ’ଣ?