ସରିଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ୧୮ରୁ ମାନୁଆଲ ପ୍ରୋସେସ୍‌ରେ ଆରମ୍ଭ ହେବ ଖାତା ଦେଖା

Published By : Prameya-News7 Bureau | March 02, 2020 IST

କଟକ୨/୩: ଶେଷହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । କାଁ ଭାଁ କେତୋଟି ଘଟଣାକୁ ଛାଡିଦେଲେ ଏଥର ପରୀକ୍ଷା ବେଶ୍ ଶାନ୍ତି ଶୃଙ୍ଖଳାରେ ହୋଇଛି । ଆସନ୍ତା ୧୮ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ମୂଲ୍ୟାୟନ କରିବେ ବୋଲି ସୂଚନା ଦେିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ।

ସରିଲା ମାଟ୍ରିକ ପରୀକ୍ଷା । ଏବେ ପିଲାଙ୍କ ମୁଣ୍ଡରୁ ବୋଝ ହାଲୁକା ହୋଇଛି । ପରୀକ୍ଷା ଲାଗି ପିଲାଙ୍କ ମନରେ ଯେଉଁ ଛନକା ରହିଥିଲା ସେଥିରେ ପଡିଛି ଜବନିକା । ଶେଷ ଦିନରେ ସାମାଜିକ ବିଜ୍ଞାନରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ବେଶ୍  କିଛି ଦିନ ପରୀକ୍ଷାର ଟେନ୍ ସନ ନେଇ ରହିଥିବା ଛାତ୍ରଛାତ୍ରୀ  ନିଶ୍ଚିତ ହାଲୁକା ହୋଇଛନ୍ତି ।

ଏଥର ମୋଟ୍‌ ୨ ହଜାର ୮ ଶହ ୮୮ ଟି କେନ୍ଦ୍ରରେ  ପରୀକ୍ଷା ଦେଇଛନ୍ତି  ୫ ଲକ୍ଷ ୬୦ ହଜାର ୯୦୫ ଜଣ ପରୀକ୍ଷାର୍ଥୀ। ଚଳିତ ବର୍ଷ ପ୍ରଥମ ଥର ଲାଗି ପରୀକ୍ଷାର୍ଥୀ ଏବଂ ଏକଜାମିନେସନ ଅବଜରଭରଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲା ଯାଇଥିଲା । ଶୃଙ୍ଖଳା ଲାଗି ୧ ହଜାର ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିଲା । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ୍‌କୁ ସମ୍ପୁର୍ଣ୍ଣ ବ୍ୟାନ୍ କରାଯାଇଥିଲା । ଏହା ସତ୍ତ୍ବେ ମାତୃଭାଷା ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା, ଯାହାକୁ ବୋର୍ଡ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ । ତେବେ ଆସନ୍ତା ୧୮ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ମୂଲ୍ୟାୟନ କରିବେ ।

ଗତବର୍ଷ ମେ ୨୧ ତାରିଖରେ ଆସିଥିଲା ରେଜଲ୍ଟ । ଏଥର କିନ୍ତୁ ରେଜଲ୍ଟ ବାହାରିବାରେ ହୁଏତ ସାମାନ୍ୟ ବିଳମ୍ବ ହୋଇପାରେ। ଏଥର ପରୀକ୍ଷାରେ ଓଏମଆର ସିଟ୍ ବ୍ୟବସ୍ଥା ନଥିଲା । ତେଣୁ ମାନୁଆଲ ପ୍ରୋସେସ୍‌ରେ ଖାତା ଦେଖାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.