ସୁରଟ: ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ର ନବମ ମୁକାବିଲାରେ ଆଜି ମୁହାଁମୁହିଁ ହୋଇଛନ୍ତି ଇଣ୍ଡିଆ କ୍ୟାପିଟାଲ୍ସ ଓ କୋଣାର୍କ ସୂର୍ଯ୍ୟସ ଓଡ଼ିଶା। ତେବେ ସୁରଟରେ ଖେଳା ଥିବାକୁ ଏହି ମ୍ୟାଚ୍ ଓଦା ଆଉଟ୍ ଫିଲ୍ଡ ଏବଂ ପଡ଼ିଆ ଖେଳ ଉପଯୋଗୀ ନ ଥିବାରୁ ରଦ୍ଦ ଘୋଷଣା କରାଯାଇଛି। ଗତ ଦୁଇ ଦିନ ହେବ ଲଗାତାର ବର୍ଷା ଯୋଗୁଁ ଆଉଟ୍ ଫିଲ୍ଡ ଖରାପ ଥିଲା। ପଡ଼ିଆ କର୍ମଚାରୀଙ୍କ ଶତ ଚେଷ୍ଟା ସତ୍ତ୍ଵେ ପଡ଼ିଆ ଖେଳ ଉପଯୋଗୀ ହୋଇ ପାରି ନ ଥିଲା। ଶେଷରେ ମ୍ୟାଚ୍ ରେଫରୀ ମ୍ୟାଚ୍ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ମ୍ୟାଚ୍ ରଦ୍ଦ ପରେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। କୋଣାର୍କ ସୂର୍ଯ୍ୟସ ଓଡ଼ିଶା ୩ ମ୍ୟାଚ୍ରୁ ୪ ପଏଣ୍ଟ ସହ ଅଙ୍କ ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଇଣ୍ଡିଆ କ୍ୟାପିଟାଲ୍ସ ୩ ମ୍ୟାଚ୍ରେ ୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। କୋଣାର୍କ ସୂର୍ଯ୍ୟସ ନିଜର ପରବର୍ତ୍ତୀ ମ୍ୟାଚ୍ ବୁଧବାର ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ସାଉଦର୍ଣ୍ଣ ସୁପରଷ୍ଟାର ବିପକ୍ଷରେ ଖେଳିବ। ଏହି ମୁକାବିଲା ସନ୍ଧ୍ୟା ୭ଟାରେ ଖେଳାଯିବ।
ଏହା ପୂର୍ବରୁ ପ୍ରଥମ ମ୍ୟାଚ୍ରେ କୋଣାର୍କ ସୂର୍ଯ୍ୟସ୍ ଓଡ଼ିଶା ୨ ଓ୍ଵିକେଟ୍ରେ ମଣିପାଲ୍ ଟାଇଗର୍ସକୁ ହରାଇଥିଲା। ସେପ୍ଟେମ୍ବର ୨୭ ତାରିଖରେ କୋଣାର୍କ ସୂର୍ଯ୍ୟର ଆଉ ଏକ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। କୋଣାର୍କ ସୂର୍ଯ୍ୟ ଓଡ଼ିଶାର ନେତୃତ୍ଵ ନେଉଛନ୍ତି ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ।