ରତ୍ନଭଣ୍ଡାର ଖୋଲିବା ପ୍ରସ୍ତାବକୁ ପରିଚାଳନା କମିଟିର ଅନୁମୋଦନ, ଏବେ ସଭିଙ୍କ ନଜର ସରକାରଙ୍କ ଉପରେ

Published By : Prameya-News7 Bureau | July 10, 2024 IST

ପୁରୀ: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ରତ୍ନଭଣ୍ଡାର ତଦାରଖ କମିଟି।ଏବଂ ରତ୍ନଭଣ୍ଡାର ତଦାରଖ କମିଟିର ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ମଞ୍ଜୁରୀ ଦେଇଛି।ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତଦାରଖ କମିଟି ପ୍ରସ୍ତାବକୁ ପରିଚାଳନା କମିଟି ଅନୁମୋଦନ କରିଥିବା ବେଳେ ରାଜ୍ୟ ସରକାରଙ୍କ ନିକଟକୁ ରିପୋର୍ଟ ପଠାଯିବ।ଆଉ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ। 

Also read: ବଡ଼ ଠାକୁର ପଡ଼ିଯିବା ଘଟଣା: ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି, ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ

ଆସନ୍ତା ୧୪ ତାରିଖରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଅଗଣିତ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷାର ହେବ ଅନ୍ତ। ରତ୍ନଭଣ୍ଡାର ସ୍ଥିତି କିଭଳି ଅଛି, କ'ଣ କ'ଣ ଅଳଙ୍କାର ରହିଛି ସେ ବିଷୟରେ କୋଟି କୋଟି ଜଗନ୍ନାଥ ପ୍ରେମୀ ଅବଗତ ହେବେ। ରତ୍ନଭଣ୍ଡାର ଖୋଲିବା ନେଇ ଥିବା ପ୍ରତିବନ୍ଧକ ବା ସମସ୍ତ ଅଡୁଆ ଦୂର ହୋଇଛି। ରତ୍ନଭଣ୍ଡାର ଖୋଲିବା ନେଇ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ଏନେଇ ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ। ରତ୍ନଭଣ୍ଡାର ତଦାରଖ କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଅନୁମୋଦନ କରିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। 

ରତ୍ନଭଣ୍ଡାର ଖୋଲିବା ସହ ଏହାର ମରାମତି, ରତ୍ନ ଅଳଙ୍କାର ଗଣତିମଣତି ପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି।୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଏହି ଉଚ୍ଚସ୍ତରୀୟ କମିଟି। ସରକାର ଯଦି ରତ୍ନଭଣ୍ଡାର ଖୋଲିବା ନେଇ ଅନୁମତି ଦିଅନ୍ତି ତାହାଲେ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବ ବୋଲି ଆଶା ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ରତ୍ନଭଣ୍ଡାର ଦୀର୍ଘ ୪୫ ବର୍ଷ ପରେ ଖୋଲିବା ନେଇ ଆଶା ସଞ୍ଚାର ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଏବେ ସମସ୍ତଙ୍କ ଅପେକ୍ଷା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.