Pfizerଙ୍କ ଟିକା ସୁରକ୍ଷିତ ଘୋଷଣା ପରେ ଇତିହାସର ସବୁଠୁ ବଡ ଟିକାକରଣ ଲାଗି ଆରମ୍ଭ ହେଲା ବ୍ରିଟେନର ପ୍ରସ୍ତୁତି

Published By : Prameya-News7 Bureau | December 06, 2020 IST

ଲଣ୍ଡନ ୬।୧୨: କୋଭିଡ-୧୯ ବିରୋଧରେ ଫାଇଜର ଓ ବାୟୋ ଏନ୍ ଟେକ୍‌ ପ୍ରସ୍ତୁତ ଟିକା ସୁରକ୍ଷିତ ଘୋଷଣା ପରେ ବ୍ରିଟେନ୍‌ ଇତିହାସର ସବୁଠୁ ବଡ ଟିକାକରଣର ପ୍ରସ୍ତୁତି କରୁଛି। ଏଥିଲାଗି ଦେଶର ୫୦ଟି ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏଚଏସ୍) ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଗଧାଡିର ସମସ୍ତ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ୮୦ ବର୍ଷରୁ ଅଧିକ ବୟସ୍କ ଲୋକେ ଓ କେୟାର ହୋମର କର୍ମଚାରୀଙ୍କୁ ମଙ୍ଗଳବାରଠାରୁ ଟିକାକରଣ କରାଯିବ।

ଔଷଧ ଏବଂ ସ୍ୱାସ୍ଥ୍ୟ ସେବା ଉତ୍ପାଦକ ନିୟାମକ (ଏମଏଚଆରଏ) କୋଭିଡ-୧୯ ବିରୋଧରେ ଫାଇଜର ଟିକାର କଠୋର ଯାଞ୍ଚ କରି   ନଭେଲ କରୋନା ଭାଇରସ ବିରୋଧରେ ଟିକା  ୯୫ ପ୍ରତିଶତ ସୁରକ୍ଷିତ ଘୋଷଣା କରିଛନ୍ତି। ମାନବ ଉପଯୋଗ ଲାଗି ଟିକା ନିରାପଦ ଘୋଷଣା ପରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏଣୁ  ଆଗାମୀ ସପ୍ତାହ ବ୍ରିଟେନ ଲାଗି ଐତିହାସିକ ମୁହୂର୍ତ୍ତ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍‌ ହାନକକ୍‌ ।  

ସେ କହିଛନ୍ତି ଯେ ଭୂତାଣୁ ଦମନ ଲାଗି ସମସ୍ତେ ନିଜନିଜର ଦାୟିତ୍ୱ ନିର୍ବାହ କରିବା ସହ  ଏନଏଚଏସ୍ ଯେଉଁ ଜଟିଳ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଏହାକୁ ସଫଳ କରିବା ପାଇଁ ସ୍ଥାନୀୟ କଟକଣାକୁ କଡାକଡି ପାଳନ କରନ୍ତୁ। ମନ୍ତ୍ରୀ କହିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା ଲାଗି ଯାହା ସମ୍ଭବ ସବୁ କରିବା ଲାଗି ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି।  

ଟିକାକରଣରେ ୮୦ ବର୍ଷ ବୟଷ୍କ ସବୁ ଲୋକେ, ରୋଗୀ ଓ ଯେଉଁମାନେ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ସମସ୍ତଙ୍କୁ ଟିକାକରଣ ଲାଗି ଆମନ୍ତ୍ରଣ କରାଯିବ। କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୯୪ ବର୍ଷ ବୟଷ୍କା ରାଣୀ ଏଲିଜାବେଥ ଓ ୯୯ ବର୍ଷ ବୟଷ୍କ ପ୍ରିନ୍ସ ଫିଲିପ ମଧ୍ୟ ଏହି ଟିକାକରଣରେ ଟିକା ଗ୍ରହଣ କରିପାରନ୍ତି। ଯେଉଁମାନେ ଟିକା ଗ୍ରହଣ କରିବେ ୨୧ ଦିନ ପରେ ସେମାନଙ୍କୁ ବୁଷ୍ଟର ଟିକା ଦିଆଯିବ। ବହୁ ଜଟିଳତା ସତ୍ତ୍ୱେ ହସ୍ପିଟାଲମାନଙ୍କରେ ୮ ଡିସେମ୍ବର ମଙ୍ଗଳବାର ଦେଶର ସର୍ବ ବୃହତ୍ତ ଟିକାକରଣ ଆରମ୍ଭ ହେବ ବୋଲି କୁହାଯାଇଛି।

ଏହି ଟିକାକରଣ ଲାଗି ସୋମବାର ପ୍ରଥମ ପର୍ଯ୍ୟାୟ ଟିକା  ସମସ୍ତ ପ୍ରସ୍ତୁତି  ସହ ହସ୍ପିଟାଲମାନଙ୍କରେ ପହଞ୍ଚି  ଯିବ ବୋଲି  ଏନଏଚଏସ୍ ମେଡିକାଲ ଡାଇରେକ୍ଟର ପ୍ରଫେସର ଷ୍ଟିଫେନ ପୋଇସ୍‌ କହିଛନ୍ତି। ଅତୀତରେ ଫ୍ଲୁ ଲାଗି ଦେଶରେ ଟିକାକରଣର ଏନଏଚଏସଙ୍କ ବ୍ୟାପକ ଅଭିଜ୍ଞତା ରହିଛି। ପରିଶ୍ରମୀ ସ୍ୱାସ୍ଥ୍ୟ କର୍ମୀମାନେ ପୁଣି ଥରେ ମୂଲ୍ୟବାନ ଜୀବନ ରକ୍ଷା ଲାଗି ସମାନ ଆହ୍ୱାନର ସଫଳ ମୁକବିଲା କରିବେ ବୋଲି ଜାତୀୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆଶାବ୍ୟକ୍ତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.