ଗୋପାଳର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ରାଇମ୍ବ୍ରାଞ୍ଚ ଆବେଦନକୁ ଖାରଜ କଲେ ଜେଏମଏଫସି କୋର୍ଟ
20/02/2023 at 8:50 PM

ଝାରସୁଗୁଡ଼ା ୨୦/୦୨: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା। ପୁଣି ଗୋପାଳ ଦାସର ଡାକ୍ତରୀ ପରୀକ୍ଷା ପାଇଁ ଝାରସୁଗୁଡ଼ା ଫାଷ୍ଟକ୍ଲାସ୍ ଯୁଡ଼ିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟଙ୍କୁ କ୍ରାଇମବ୍ରାଞ୍ଚ ଅନୁମତି ମାଗିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ସୋମବାର ଯୁଡ଼ିସିଆଲ୍ ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ତଦନ୍ତ ଅଧିକାରୀ ଆବେଦନ କରିଛନ୍ତି। କିନ୍ତୁ କ୍ରାଇମବ୍ରାଞ୍ଚର ଆବେଦନକୁ କୋର୍ଟ ଖାରଜ କରିଛନ୍ତି।
ସୂଚନାଥାଉକି, ହତ୍ୟା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଓ ତା ପରିବାରକୁ ସୁରକ୍ଷା ଦେବା ପାଇଁ ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଛି। ଆଇନଜୀବୀ ସୁମନ୍ତ କୁମାର ସ୍ୱାଇଁଙ୍କ ଏହି ମାମଲା ଦାୟର କରିଛନ୍ତି। ଯେଉଁଥିରେ ସେ ଦର୍ଶାଇଛନ୍ତି ଯେ, ଜେଲ୍ରେ ଗୋପାଳକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯାଉ। ଏବଂ କୋର୍ଟ ତାର ସୁରକ୍ଷା ବ୍ୟବସ୍ଥାର ମନିଟରିଙ୍ଗ କରନ୍ତୁ। ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଜେଲ୍ ମହାନିର୍ଦ୍ଦେଶକ, ଚୌଦ୍ୱାର ଜେଲ୍ ଅଧିକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଅନ୍ୟପଟେ, ସୋମବାର ସକାଳେ ଗୋପାଳ ଚୌଦ୍ୱାର ଜେଲ୍ରେ ନିତ୍ୟ କର୍ମସାରି ଚା ପିଇ ଜଳଖିଆ ଖାଇଛି। ଖାଇବା ପରେ ସେ ଖବରକାଗଜ ପଢ଼ିଥିଲା। ଏହା ପରେ ଦ୍ୱିପ୍ରହରେ ଗୋପାଳ ଭାତ, ଡାଲି, ସୋୟାବୀନ ତର୍କାରି ଖାଇଛି। ଗତ ୨ ଦିନ ହେଲା ଗୋପାଳ ରହୁଥିବା ୩ ନଂ ସେଲରେ ଯୋଗ କରୁଛି। ଏହା ସହିତ ଭଗବାନଙ୍କ ନାଁ ଧରି ତାଙ୍କୁ ମନେ ପକାଉଛି। କିନ୍ତୁ ଏସବୁ ଭିତରେ ସେ ମନ୍ତ୍ରୀଙ୍କ ହତ୍ୟାର ପ୍ରଶ୍ଚାତାପ କରୁନାହିଁ।
ସେପଟେ ସ୍ୱଗର୍ତ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାରେ ତଦନ୍ତ ଶେଷ ପର୍ଯ୍ୟାୟରେ। ଗୋପାଳର ନାର୍କୋ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟରୁ କ୍ରାଇମବ୍ରାଞ୍ଚକୁ ଅନେକ ତଥ୍ୟ ମିଳିଛି। ଏହା ଆଗରୁ ଗୋପାଳର ଲେୟର୍ଡ ଭଏସ ଟେଷ୍ଟ ମଧ୍ୟ କରାଯାଇଛି। ଏସବୁ ପରୀକ୍ଷାରୁ କ୍ରାଇମବ୍ରାଞ୍ଚକୁ ହତ୍ୟା ସମ୍ପର୍କିତ ଅଧିକ ତଥ୍ୟ ମିଳିଛି। ବ୍ୟକ୍ତିଗତ ଅକ୍ରୋଶ ହିଁ ହତ୍ୟାର କାରଣ ବୋଲି ପ୍ରାଥମିକ ପର୍ଯ୍ୟୟ ତଦନ୍ତରୁ ପୋଲିସ ସୂତ୍ରରୁ ଜଣାପଡ଼ିଛି। ସେପଟେ ହତ୍ୟାକାଣ୍ଡର ତଦନ୍ତ ପାଇଁ ହୋଇଥିବା ସାଇଣ୍ଟିଫିକ୍ ପରୀକ୍ଷାର ରିପୋର୍ଟ କେତେବେଳେ ଆସିବ ସେଥିପାଇଁ ସାରା ରାଜ୍ୟର ନଜର ରହିଛି।