୬୮ କୋଟି କୋଭିଡ୍‌ ଟିକା କିଣିବେ ଭାରତ ସରକାର: ଭାରତୀୟମାନଙ୍କୁ ମାଗଣାରେ ଦିଆଯିବ ଟିକା

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ୨୩/୮: କରୋନା ଟିକା ଆସିଲେ ଭାରତୀୟମାନଙ୍କୁ ମାଗଣାରେ ଦିଆଯିବ। ଏଥିପାଇଁ ଭାରତ ସରକାର ୬୮ କୋଟି ଟିକା କିଣିବେ ।  ଦେଶକୁ କରୋନା ମୁକ୍ତ କରିବା ଦିଗରେ ଏହା ବିଶେଷ ଭାବେ ସହାୟକ ହେବ ।  ତେବେ ୭୩ ଦିନରେ  ଏହି ଟିକା ବଜାରରେ ଉପଲବ୍ଧ ହେବା ଖବରକୁ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ ଖଣ୍ଡନ କରାଯାଇଛି।

ଭାରତର ନାଗରିକଙ୍କୁ ଦିଆଯିବ ମାଗଣା ଟିକା।  ଏହି ବର୍ଷ ଶେଷ ଆଡକୁ ଆସିଯିବ ଟିକା।  ୬୮ କୋଟି କୋଭିଡ ଟିକା ଭାରତ ସରକାର କିଣିବେ।  ଅକ୍ସଫୋର୍ଡ ସହଯୋଗିତାରେ ଭାରତର ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରୁଥିବା ଟିକାର ଆରମ୍ଭ ହୋଇଯାଇଛି । ଦେଶରେ ଏବେ ତିଟିନି ଟିକା ତିନି ପର୍ଯ୍ୟାୟରେ ପରୀକ୍ଷା ଚାଲିଛି। ଯେବେ ଟିକାର ପରୀକ୍ଷା ଶେଷ ହୋଇଯିବ ସେତେବେଳେ ଏହାକୁ ସାଧାରଣ ବ୍ୟବହାର ପାଇଁ ଉପଲବ୍ଧ କରାଯିବ ବୋଲି କେନ୍ଦ୍ର ସ୍ବସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି।  ଦେଶକୁ କରୋନା ମୁକ୍ତ କରିବା ଦିଗରେ ଏହା ଏକ ବଡ ପଦକ୍ଷେପ ହେବ।

ଭାରତରେ କରୋନା ଟିକା ରେସରେ  ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ  ସବା ଆଗରେ ରହିଛି। ଅକ୍ସଫୋର୍ଡ ୟୁନିଭରସିଟି –ଆଷ୍ଟ୍ରା ଜେନେକା ଦ୍ବାରା ମିଳିତ ଭାବେ ବିକଶିତ ହେଉଥିବା ଟିକାର ମାନବୀୟ ପରୀକ୍ଷଣ ଓ ପ୍ରଡକ୍ସନ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପରିଚାଳନା କରୁଛି। ସେରମ କମ୍ପାନୀକୁ ମଧ୍ୟ ଭାରତ ସରକାର ଟିକା ପ୍ରଡକ୍ସନ ପାଇଁ ମଞ୍ଜୁରି ଦେଇଛନ୍ତି।

ତେବେ ଏହି ଅନୁମତି କେବଳ ଭବିଷ୍ୟତରେ ବ୍ୟବହାର ପାଇଁ ମିଳିଛି। କିଛି ଗଣମାଧ୍ୟମରେ ଖବର ଆସିଥିଲା ଯେ ୭୩ ଦିନ ଭିତରେ ଏହି ଟିକା ବଜାରରେ ଉପଲବ୍ଧ  ହେବ। ତେବେ କମ୍ପାନୀ ପକ୍ଷରୁ ଏଭଳି ଖବରକୁ ଖଣ୍ଡନ କରାଯାଇଛି।ଟ୍ବିଟ କରି କମ୍ପାନି ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଟିକା ସେତେବେଳେ ବଜାରରେ ଉପଲବ୍ଧ ହେବ ଯେତେବେଳେ ଏହାର ମାନବୀୟ ପରୀକ୍ଷଣ ସଫଳ ହେବ ଏବଂ ବ୍ୟବହାର ପାଇଁ  ରେଗୁଲେଟରି ଆପ୍ରୁଭାଲ ମିଳିବ  ବୋଲି ସେରମ କମ୍ପାନି ପକ୍ଷରୁ କୁହାଯାଇଛି। ଏବେ କୋଭିସେଲ୍ଡର ତୃତୀୟ ପର୍ଯ୍ୟୟ ମାନବୀୟ ପରୀକ୍ଷଣ ଚାଲିଛି।

ଏପଟେ ଭାରତରେ ୩୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୬୯ ହଜାର ୨୩୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ୯୧୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଭାରତରେ କରୋନାରୁ ସୁସ୍ଥ ହେଉଥିବା ସଂଖ୍ୟା ୭୫ ପ୍ରତିଶତକୁ ଟପିଯାଇଛି। ଦିଲ୍ଲୀରେ ସ୍ଥିତି ନିୟନ୍ତ୍ରଣକୁ ଆସିଲାଣି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ୪୪ ହଜାର ୯୪୧କୁ ବୃଦ୍ଧି ପାଇଛି । ଦେଶରେ ୭ ଲକ୍ଷ ୭ ହଜାର ୬୬୮ ଆକ୍ଟିଭ କେସ ଥିବା ବେଳେ ୨୨ ଲକ୍ଷ ୮୦ ହଜାର ୫୬୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.