ଦୁର୍ଘଟଣା ପୀଡିତଙ୍କୁ ଭେଟିବା ସମୟରେ ନିଜ ଲୁହ ଅଟକାଇ ପାରିଲେନି ଆଇଏଏସ ଅଧିକାରୀ, ଦେଖନ୍ତୁ Video

Published By : Prameya-News7 Bureau | September 29, 2022 IST

ଲକ୍ଷ୍ମୌ: ବୁଧବାର ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ-ବସ୍ ମୁହାଁମୁହିଁ ଧକ୍କାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ମୌ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ହସ୍ପିଟାଲ୍‌ରେ ବାକି ଆହତଙ୍କ ଚିକିତ୍ସା ଜାରି ରହିଛି।

ଏହି ସମୟରେ ଏମିତି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି, ଯେଉଁଥିରେ ପୀଡିତ ପରିବାର ଲୋକଙ୍କ ସହ ଆଲୋଚନା ବେଳେ ଲକ୍ଷ୍ମୌ ଡିଭିଜନାଲ କମିଶନର ରୋଶନ ଜାକୋବ ନିଜ କୋହ ସମ୍ଭାଳି  ନପାରି କାନ୍ଦୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଆହତ ଜଣେ ଛୋଟ ପିଲାର ଅବସ୍ଥା ପଚାରିବା ସମୟରେ ତାଙ୍କ ଆଖି ଲୁହରେ ଛଳ ଛଳ ହୋଇ ଉଠିଛି। ଆହତଙ୍କ ଚିକିତ୍ସା ସୁନିଶ୍ଚିତ କରିବାକୁ ସେ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

wp:html /wp:html

ତିରୁଅନନ୍ତପୁରମରେ ଜନ୍ମିତ ଜାକୋବ ହେଉଛନ୍ତି ୨୦୦୪ ବ୍ୟାଚ୍‌ର ଆଇଏଏସ ଅଫିସର। ନିକଟରେ ଲକ୍ଷ୍ମୌରେ ଏକ ଜଳବନ୍ଦୀ ଅଞ୍ଚଳ ପାଣି ଭିତରେ ବୁଲି ସ୍ଥିତି ପରିଖିଥିଲେ ଜାକୋବ। ତାଙ୍କର ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଥିଲା। କମିଶନରଙ୍କ ଏମିତି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ଉତ୍ତର ପ୍ରଦେଶ ପୋଲିସ୍ ଅନୁଯାୟୀ, ଏହି ଘଟଣା ଜାତୀୟ ରାଜପଥ ୭୩୦ ଏରା ବ୍ରିଜରେ ଘଟିଛି। ବସ୍‌ଟି ଧଉରହରାରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୀଡିତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.