କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23/03/2023 at 11:10 PM

କେନ୍ଦୁଝର, ୨୩/୦୩: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ କମାରମରା ଗାଁକୁ ପଶିଆସିଥିବା ଏକ କୁଟୁରାକୁ ମାରିବା ଅଭିଯୋଗରେ ବନ ବିଭାଗ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ସାହାରପଡା ବ୍ଲକ ମାଛଗଡ଼ ପଞ୍ଚାୟତ କମାରମରା ଗାଁର ସଞ୍ଜୟ ମହାନ୍ତ l
ସୂଚନା ଅନୁଯାୟୀ କୁଟୁରା ଟି ଗାଁ ପାଖ ଶିମିଳିପାଳ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଥିବା ବେଳେ ତାକୁ ମାରି ଖାଇବା ପାଇଁ ଠେଙ୍ଗା ବାଡ଼ି ଧରି ଗୋଡ଼ାଇଥିଲେ ଫଳରେ କୁଟୁରାଟିର ମୃତ୍ୟୁ ହୋଇଥିଲା । ଖବର ପାଇ ବନ ବିଭାଗ ସେଠାରେ ପହଞ୍ଚି ସଞ୍ଜୟ ମହାନ୍ତ ଏକ ବସ୍ତା ଭିତରେ ଭର୍ତ୍ତି କରିଥିବା ମୃତ କୁଟୁରାକୁ ଉଦ୍ଧାର କରିବା ସହ ବନ ବିଭାଗ ସଞ୍ଜୟକୁ ଗିରଫ କରିଛି l ମୃତ କୁଟୁରାକୁ ବ୍ୟବଛେଦ ପରେ ରେଞ୍ଜ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିବା ରେଞ୍ଜର ଘାସିନାଥ ପାତ୍ର କହିଛନ୍ତି।