ରାଜ୍ୟରେ ଅପରାଧ ନେଇ ଶ୍ବେତ ପତ୍ର ଜାରି କଲା ଗୃହ ବିଭାଗ, ୨୦୨୩ରେ କେତେ ହୋଇଛି ଅପରାଧ ଆସିଲା ତଥ୍ୟ

Published By : Prameya-News7 Bureau | August 30, 2024 IST

ଭୁବନେଶ୍ବର: ଶୁକ୍ରବାର ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ ହୋଇଛି । ଯେଉଁଥିରେ ରାଜ୍ୟରେ ଅପରାଧ, ଆଇନ ଶୃଙ୍ଖଳା ନେଇ ତଥ୍ୟ ଦିଆଯାଇଛି । ଶ୍ବେତପତ୍ରରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଗତ ବର୍ଷ ଅର୍ଥାତ ୨୦୨୩ରେ ୨,୮୨୬ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଏଥିରୁ ୨୭୬୨ ମାମଲା ସତ୍ୟ ରହିଥିଲା । ଯେଉଁଥିରୁ ୧୮୪୭ ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଛି । ୧୬୫୫ଟି ଦଙ୍ଗା ମାମଲା ମଧ୍ୟରୁ ୧୬୧୯ ସତ୍ୟ ।  ବର୍ଷ ଶେଷ ସୁଦ୍ଧା ୯୨୯ଟି ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି I ୨୦୨୩ରେ ବାମପନ୍ଥୀ ଉଗ୍ରବାଦ ସ୍ଥିତି ନିୟନ୍ତ୍ରଣାଧୀନ । ୩ ମାଓବାଦୀଙ୍କ ମୃତ୍ୟୁ, ୧୩ ମାଓବାଦୀ ଗିରଫ ହୋଇଛନ୍ତି। 

ଆହୁରି ମଧ୍ୟ, ୨୦୨୩ ମସିହାରେ ରାଜ୍ୟରେ ମୋଟ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତବ୍ୟ ଅପରାଧିକ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୧୩୬୨ଟି ହତ୍ୟା, ୩୭୦ ଡକାୟତି, ୨୯୬୧ଟି ଲୁଣ୍ଠନ, ୬୦୭୧ଟି ସିନ୍ଧିଚୋରୀ, ୧୬୮୫୧ଟି ଚୋରି, ୬୧୯୬ଟି ପ୍ରତାରଣା, ୧୬୫୫ଟି ଦଙ୍ଗା, ୨୮୨୬ଟି ଦୁଷ୍କର୍ମ, ୧୧୯୯୨ଟି ମୋଟର ଯାନ ଦୁର୍ଘଟଣା, ୧ଲକ୍ଷ ୪୯ ହଜାର ୬୭୦ ବିଭିନ୍ନ ମାମଲା ରହିଛି।


ସେପଟେ ଶ୍ବେତପତ୍ର ତଥ୍ୟକୁ ନେଇ ପୂର୍ବ ସରକାରଙ୍କୁ ଘେରିଛି ବିଜେପି। ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ‘‘ପୂର୍ବ ସରକାରରେ ଏତେ ଅପରାଧ ବଢ଼ିଥିବା ସ୍ପଷ୍ଟ ହୋଇଛି, ଯାହା ଆଜି ଶ୍ୱେତ ପତ୍ରରେ ପ୍ରକାଶ ପାଇଛି। ଏଥିରୁ ସ୍ପଷ୍ଟ ଜଣା ପଡୁଥିଲା ରାଜନୈତିକ ହସ୍ତକ୍ଷେପ କାରଣରୁ ପୋଲିସ ସରକାର ଦ୍ୱାରା କବଳିତ ହୋଇ ରହିଥିଲା। ଯାହାର ପ୍ରମାଣ ହେଉଛି ଶ୍ୱେତ ପତ୍ର। ତେବେ ସେ ଆହୁରି କହିଛନ୍ତି ଏବେ ରାଜ୍ୟରେ ମୋହନ ସରକାର ଆସିଛି ସବୁ ନିୟନ୍ତ୍ରଣକୁ ଆସିବ। ଅପରାଧୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’ 

ଅବଶ୍ୟ ଶ୍ବେତ ପତ୍ର ପ୍ରସଙ୍ଗରେ ବିଜେଡି କହିଛି ଅପରାଧ ନିୟନ୍ତ୍ରଣାଧୀନ ରହିଛି ଶ୍ୱେତ ପତ୍ରରେ ଉଲ୍ଲେଖ ରହିଛି। ଏଥିରୁ ଜଣା ପଡ଼ୁଛି ନବୀନ ପଟ୍ଟନାୟକଙ୍କ ଶାସନ କେତେ ସ୍ଵଚ୍ଛ ଥିଲା। ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା। ସେହିଭଳି, ଶ୍ବେତପତ୍ରକୁ ନେଇ ପ୍ରତିକ୍ରୟାରେ ରଖି, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ‘‘ଶ୍ୱେତ ପତ୍ରରେ ଅନୁଯାୟୀ, ଦୁଷ୍କର୍ମ, ଡ଼ଙ୍ଗା, ଶବୁ ବଢିଛି। ରାଜ୍ୟରେ ନୂଆ ସରକାର ହୋଇଛି, ସରକାରଙ୍କୁ ଅନୁରୋଧ ପୋଲିସ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ଯେଉଁଠି ଅନ୍ୟାୟ ଅତ୍ୟାଚାର ହେଉଛି ନିୟନ୍ତ୍ରଣକୁ ଆଣନ୍ତୁ।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.