ନୂଆଦିଲ୍ଲୀ୪/୩: ଆସନ୍ତାକାଲି ଘୋଷଣା ହେବ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ମାନଙ୍କ ଫାଶୀ ପାଇବାର ଶେଷ ତାରିଖ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଶେଷ ହୋଇଯାଇଛି ଅଭିଯୁକ୍ତମାନଙ୍କ ସମସ୍ତ ବଞ୍ଚିବା ରାସ୍ତା । ଏବେ ୪ ଅଭିଯୁକ୍ତଙ୍କ ଫାଶୀ ପ୍ରକ୍ରିୟାକୁ ପୁଣିଥରେ ତିହାର ଜେଲ କର୍ତ୍ତୃପକ୍ଷ ତ୍ୱରାନ୍ୱିତ କରିଛନ୍ତି।
ରାଷ୍ଟ୍ରପତିଙ୍କ ନିକଟରୁ ଅଭିଯୁକ୍ତ ପବନର ରାଜକ୍ଷମା ଆବେଦନ ଖାରଜ ହୋଇଯିବା ପରେ, ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଆଜି ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟରେ ନୂଆ ଡେଥ ୱାରେଣ୍ଟ ଜାରି କରିବାକୁ ନିବେଦନ କରିଛନ୍ତି । କୋର୍ଟ ଏହାକୁ ଗ୍ରହଣ କରି ୪ ଦୋଷୀଙ୍କୁ ନୋଟିସ କରିଛନ୍ତି। ଆସନ୍ତାକାଲି ଦିନ ୨ଟାରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ପୂର୍ବରୁ ରାଷ୍ଟ୍ରପତି ନିର୍ଭୟା ଦୋଷୀ ଅକ୍ଷୟ, ମୁକେଶ ଓ ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ତେଣୁ ଏମାନଙ୍କ ପାଖରେ ଫାଶୀରୁ ବର୍ତ୍ତିବା ପାଇଁ କୌଣସି ଆଇନଗତ ଉପାୟ ନାହିଁ।