ଟମାଟୋ ପରେ ଏବେ ବଢ଼ିବ କି’ ପିଆଜ ଦାମ୍ ? ବଫର ଷ୍ଟକ୍ ବଢ଼ାଇଲେ ସରକାର
17/07/2023 at 6:35 PM

ନୂଆଦିଲ୍ଲୀ, ୧୭/୦୭: ଦେଶରେ ଟମାଟୋ, ଅଦା ଏବଂ କଞ୍ଚାଲଙ୍କାର ବର୍ଦ୍ଧିତ ଦାମ୍ ରୋଷେଇ ଘର ବଜେଟ୍କୁ ପ୍ରଭାବିତ କରିଛି। ଫଳରେ ସାଧାରଣ ଲୋକଙ୍କୁ ଏହା ବେଶ୍ ମାତ୍ରାରେ ପ୍ରଭାବିତ କରିବାରେ ଲାଗିଛି। ଅବଶ୍ୟ ଟମାଟୋ ମୂଲ୍ୟ ୮୦ ଟଙ୍କା ହେବା ନେଇ ସରକାରଙ୍କ ତରଫରୁ କୁହାଯାଇଛି। ଏମିତିରେ ଏବେ ସରକାର ପିଆଜର ବଫର ଷ୍ଟକ କରିଛନ୍ତି। ଏଥିପାଇଁ ପ୍ରାୟ ୩ ଲକ୍ଷ ଟନ୍ ପିଆଜ କିଣିଛନ୍ତି କେନ୍ଦ୍ର ସରକାର। ଯାହା ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ। କୁହାଯାଉଛି ଯେ ଯଦି ପିଆଜର ଦାମ ବଢ଼େ ତେବେ ସରକାର ଶସ୍ତାରେ ଲୋକଙ୍କୁ ଉପଲବ୍ଧ କରାଇପାରିବେ।
ରବିବାର ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂ କହିଛନ୍ତି ଯେ, ପିଆଜ ସଂରକ୍ଷଣ ପାଇଁ ସରକାର ଭାବା ଆଣବିକ ଗବେଷଣା କେନ୍ଦ୍ର (BARC) ସହିତ ଏକ ବୈଷୟିକ ପରୀକ୍ଷଣ କରୁଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ବଫର ଷ୍ଟକ୍ରେ ୨.୫୧ ଲକ୍ଷ ଟନ୍ ରଖିଥିଲେ। ଯଦି କମ୍ ଯୋଗାଣ ଋତୁରେ ଦର ଯଥେଷ୍ଟ ବୃଦ୍ଧି ହୁଏ ତେବେ କୌଣସି ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରାଇସ୍ ଷ୍ଟାବିଲାଇଜେସନ୍ ଫଣ୍ଡ (PSF) ଅଧୀନରେ ଏକ ବଫର୍ ଷ୍ଟକ୍ ରଖାଯାଇଥାଏ।
ପାର୍ବଣ ଋତୁରେ ପିଆଜର ଅଭାବ ରହିବ ନାହିଁ:
ପିଟିଆକୁ ରୋହିତ ସିଂ ପିଆଜର ବଫର ଷ୍ଟକ୍କୁ ନେଇ କହିଛନ୍ତି ଯେ, ପାର୍ବଣ ଋତୁରେ ପିଆଜର ଅଭାବ ରହିବ ନାହିଁ। କାରଣ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ସରକାର ଚଳିତବର୍ଷ ୩ ଲକ୍ଷ ଟନ୍ ପିଆଜ ବଫର ଷ୍ଟକ୍ ରଖିଛନ୍ତି, ଫଳରେ ପିଆଜକୁ ନେଇ କୌଣସି ସମସ୍ୟା ରହିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଯେଉଁ ପିଆଜ ସରକାର କିଣିଛନ୍ତି, ତାହା ନିକଟରେ ରବି ଋତୁରେ ଉତ୍ପାଦିତ ହୋଇଥିବା ପିଆଜ ଅଟେ। ବର୍ତ୍ତମାନ ଖରିଫ ପିଆଜ ଚାଷ ଚାଲିଛି, ଏହା ଅକ୍ଙଟୋବରରେ ଉତ୍ପାଦନ ହେବ।
ଆହୁରି ପଢ଼ନ୍ତୁ: ୧୪% ଲୋକେ ଖାଇବାରେ ଛାଡି ଦେଇଛନ୍ତି ଟମାଟୋ, କେଜି ପିଛା ୧୫୦ ଟଙ୍କା ଦର ହେଲେବି କିଣୁଛନ୍ତି ୪୬%
ରୋହିତ ସିଂ ପୁଣି କହିଛନ୍ତି ଯେ, ’ସାଧାରଣତଃ ପିଆଜ ମୂଲ୍ୟ ଖୁଚୁରା ବଜାରରେ ୨୦ ଦିନ ପର୍ଯ୍ୟନ୍ତ ଉଚ୍ଚ ଦରରେ ରହିଥାଏ କିମ୍ବା ତାଜା ଖରିଫ ଫସଲ ବଜାରକୁ ଆସିବା ପର୍ଯ୍ୟନ୍ତ ମହଙ୍ଗା ଥାଏ। କିନ୍ତୁ ଏଥର କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି। ଆଣବିକ ଶକ୍ତି ବିଭାଗ ଏବଂ BARCର ମିଳିତ ଉଦ୍ୟମରେ ଊପଭୋକ୍ତା ମନ୍ତ୍ରାଳୟ ମଝିରେ ମଝିରେ ପିଆଜକୁ ସଂରକ୍ଷିତ କରି ରଖିବା ପାଇଁ ଏକ ବୈଷୟିକ ପରୀକ୍ଷଣ କରୁଛନ୍ତି।
ସରକାରୀ ରିପୋର୍ଟ ମୁତାବକ, ୧୫ ଜୁଲାଇରେ ଦେଶସାରା ପିଆଜ କିିଲୋଗ୍ରାମ ପିଛା ୨୬ ଟଙ୍କା ୭୯ ପଇସାରେ ବିକ୍ରି ହୋଇଥିଲା। ଅନ୍ୟପକ୍ଷରେ କିଛି ସ୍ଥାନରେ ପିଆଜ କେଜିପିଛା ୬୫ ଟଙ୍କାରେ ବିକ୍ରି ହେଊଥିବା ବେଳେ ସର୍ବନିମ୍ନ ଦର କେଜିପିଛା ୧୦ ଟଙ୍କାରେ ବିକ୍ରି ହୋଇଛି।