କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତା ୪% ବଢ଼ାଇଲେ ସରକାର
24/03/2023 at 9:34 PM

ନୂଆଦିଲ୍ଲୀ, ୨୪/୦୩: କେନ୍ଦ୍ରୀୟ କର୍ମଚାରୀ ଏବଂ ବେତନଭୋଗୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ରେ ୪% ବୃଦ୍ଧି କରିଛନ୍ତି। ଡିଏ ଏବଂ ଡିଆରରେ ଏହି ବୃଦ୍ଧି ପିଛିଲା ଭାବେ ଜାନୁଆରୀ ୨୦୨୩ ରୁ ଲାଗୁ ହେବ। ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ କେନ୍ଦ୍ର ସରକାରଙ୍କ ପ୍ରାୟ ୪୭.୫୮ ଲକ୍ଷ କର୍ମଚାରୀ ଏବଂ ୬୯.୭୬ ଲକ୍ଷ ବେତନଭୋଗୀ ଉପକୃତ ହେବେ।
ମୋଦୀ ସରକାରଙ୍କ କ୍ୟାବିନେଟ୍ଙ୍କ ଏହି ନିଷ୍ପତ୍ତି ପରେ ମହଙ୍ଗା ଭତ୍ତା ୩୮% ରୁ ୪୨% ହୋଇଛି। ଏହା ସହ କର୍ମଚାରୀ ଏବଂ ବେତନଭୋଗଙ୍କୁ ଏରିୟର ମଧ୍ୟ ମିଳିବ। ଏହି ଘୋଷଣା ଦ୍ବାର ସରକାରଙ୍କ ଉପରେ ପ୍ରତିବର୍ଷ ୧୨,୮୧୫ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ।
ଏତିକି ବଢ଼ିବ ଦରମା:
ଯଦି କେନ୍ଦ୍ରୀୟ କର୍ମଚାରୀଙ୍କ ମୂଳ ଦରମା ୨୫୫୦୦ ଟଙ୍କା ରହିଛି ତେବେ ତାଙ୍କୁ ବୃଦ୍ଧି ପରେ ପ୍ରତି ମାସର ଭତ୍ତା ଭାବରେ ୧୦,୧୭୦ ଟଙ୍କା ମିଳିବ। ଯେତେବେଳେକି ବର୍ତ୍ତମାନ ୩୮ ପ୍ରତିଶତ ହିସାବରେ ୯୬୯୦ ଟଙ୍କା ଭତ୍ତା ହେଉଛି।
ଉଜ୍ବଳା ଯୋଜନାକୁ ନେଇ ବଡ଼ ଘୋଷଣା:
ଏହା ବ୍ୟତୀତ ଅନୁରାଗ ଠାକୁର ଉଜ୍ବଳା ଯୋଜନା ଉପରେ ମଧ୍ୟ ବଡ଼ ଘୋଷଣା କରିଛନ୍ତି। ୨୦୨୨ ରେ ଉଜ୍ଳଳା ଲାଭାର୍ଥୀଙ୍କୁ ବର୍ଷକୁ ୧୨ ସିଲିଣ୍ଡରରେ ୨୦୦ ଟଙ୍କାର ସବସିଡି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଅନ୍ତରାଷ୍ଟ୍ରୀୟ ଦାମ୍ରେ ଏବେ କୌଣସି ବଡ଼ ପରିବର୍ତ୍ତନ ଆସିନାହିଁ ତେଣୁ ଏହି ସବସିଡି ଏକ ବର୍ଷ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି।