୧୫୦ଫୁଟ ଗଭୀର ଖାଇରେ ଖସି ପଡ଼ିଲା ବାଇକ୍ , ୨ବର୍ଷର ଶିଶୁ କନ୍ୟା ସୁରକ୍ଷିତ ଉଦ୍ଧାର ; ପିତାଙ୍କ ମୃତ୍ୟୁ

Published By : Prameya-News7 Bureau | July 05, 2025 IST

ନୂଆଦିଲ୍ଲୀ : କଥାରେ ଅଛି ଯାହାକୁ ରଖିବେ ସାଇଁ ମାରି ପାରେନା କେହି । ଏହା ପୁଣିଥରେ ପ୍ରମାଣିତ ହୋଇଛି। ହିମାଚଳ ପ୍ରଦେଶରେ ବାପା-ଝିଅ ବାଇକ୍‌ରେ ଯାଉଥିଲେ। ରାସ୍ତାରେ ତାଙ୍କର ବାଇକ୍ ୧୫୦ ଫୁଟ ଗଭୀର ଖାଇରେ ଖସି ପଡ଼ିଲା। ଏହି ଦୁର୍ଘଟଣାରେ ପିତାଙ୍କର ମୃତ୍ୟୁ ହୋଇଥିବା ବେଳେ ୨ବର୍ଷିୟା ଶିଶୁ କନ୍ୟାକୁ ହାଲକା ଆଘାତ ଲାଗିଛି ଏବଂ ସେ ସଂପୂର୍ଣ୍ଣ ସୁରକ୍ଷିତ ଅଛି। 

ଲାଇଭ ହିନ୍ଦୁସ୍ତାନ ଡଟ୍‌ କମ୍‌ରେ ପ୍ରକାଶିତ ତଥ୍ୟ ଆଧାରରେ , ହିମାଚଳ ପ୍ରଦେଶର ହମିରପୁର ଜିଲ୍ଲାର ଏକ ଗାଁରେ ୧୫୦ ଫୁଟ ଗଭୀର ଖାଇରେ ଖସିବା ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଦୁଇ ବର୍ଷର ଶିଶୁ କନ୍ୟା ଆହତ ହୋଇଛି। ପୁଲିସ ଶନିବାର କହିଛି ଯେ , ସୁଜାନପୁର ଅଞ୍ଚଳର ଆନ୍ସଲା ଗାଁରେ ଶୁକ୍ରବାର ରାତିରେ ଦୁହେଁ ଏକ ବାଇକରେ ଯାଉଥିଲେ। ରାସ୍ତାଟି ପାହାଡିଆ ଓ ଖସଡ଼ା ଥିଲା। 

ପୁଲିସର କହିବାନୁସାରେ, ଶନିବାର ସକାଳେ ତାଙ୍କୁ ଗଭୀର ଖାଇରୁ ଉଦ୍ଧାର କରାଯାଇ ଥିଲା। ଏହି ଦୁର୍ଘଟଣାରେ ଶିଶୁକନ୍ୟାକୁ ସାମାନ୍ୟ ଆଘାତ ଲାଗିଛି , ହେଲେ ଜୀବନ ବଞ୍ଚି ଯାଇଛି। କିନ୍ତୁ ତାଙ୍କର ବାପା ମନସୁଖ କୁମାରଙ୍କର ମୃତ୍ୟୁ ହୋଇଛି। ମନସୁଖ, ତାଙ୍କର ବନ୍ଧୁ କଞ୍ଚନ କୁମାର ଓ ତାଙ୍କର ଦୁଇ ବର୍ଷିୟା ଝିଅ ବାଇକ୍‌ରେ ଯାଉ ଥିଲେ। ଖସଡ଼ା ରାସ୍ତା ଦେଖି କଞ୍ଚନ ବାଇକ୍‌ରୁ ଓହ୍ଲାଇ ପଡ଼ିଲେ। ସେ ମନସୁଖଙ୍କୁ କହିଲେ ସେ କିଛି ଦୂର ଚାଲି ଚାଲି ଯିବେ ଏବଂ କିଛି ବାଟ ଆଗକୁ ଯାଇ ବାଇକ୍‌ରେ ବସିବେ।

ଯେବେ ବହୁ ସମୟ ପରେ ମଧ୍ୟ ସେ ଦୁହେଁ ଆଉ ମିଳିଲେ ନାହିଁ , ତ କଞ୍ଚନ ତାଙ୍କୁ ଖୋଜିବା ଆରମ୍ଭ କରି ଦେଲେ। ପରେ ନିଜ ଗାଁର ଲୋକେ ଓ ପୁଲିସକୁ ସୂଚନା ଦେଲେ। ପୁଲିସ ଓ ହୋମଗାର୍ଡ ରାତି ୯ଟାରେ ଘଟଣା ସ୍ଥଳରେ ପହଞ୍ଚିଲେ । ତଲାସୀ ଅଭିଯାନ ଆରମ୍ଭ କରାଗଲା ଏବଂ ତାପର ଦିନ ମନସୁଖଙ୍କର ଶବ ଓ ଆହତ ଶିଶୁକନ୍ୟା ଏକ ଖାଇରୁ ମିଳିଲେ। ଝିଅକୁ ସୁଜାନପୁର ନିଆଯାଇ ଥିଲା ଏବଂ ପୁଣି ହମିରପୁର ଜିଲ୍ଲା ହସ୍ପିଟାଲ ରେଫର କରି ଦିଆ ଗଲା। ଏହି ସମ୍ୱନ୍ଧରେ ମାମଲା ରୁଜୁ କରାଗଲା। ଅଧିକାରୀ ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.