ଜୁଲାଇ ୨୩ରେ ମୋଦୀ ୩.୦ର ପ୍ରଥମ ବଜେଟ୍, ମଧ୍ୟବିତ୍ତଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

Published By : Prameya-News7 Bureau | July 06, 2024 IST

ନୂଆଦିଲ୍ଲୀ: ଜୁଲାଇ ୨୩ରେ ଆସିବ ମୋଦୀ ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ। ଲୋକସଭାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶନିବାର ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।ସେ କହିଛନ୍ତି ରାଷ୍ଟ୍ରପତି ଭାରତ ସରକାରଙ୍କ ସୁପାରିଶ କ୍ରମେ ୨୦୨୪ ଜୁଲାଇ ୨୨ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବଜେଟ ଅଧିବେଶନ ମଞ୍ଜୁରୀ ଦେଇଛନ୍ତି। ଜୁଲାଇ ୨୩ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ ହେବ। 

ତେବେ ଏହା ଷଷ୍ଠ ଥର ଯେତେବେଳେ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିବେ। ସେ ଏପର୍ଯ୍ୟନ୍ତ ଅନ୍ତରୀଣ ବଜେଟ ସହ ଛଅ ବଜେଟ ଉପସ୍ଥାପିତ କରିସାରିଛନ୍ତି। ଆଉ ଜୁଲାଇରେ ଆସିବାକୁ ଥିବା ବଜେଟ ତାଙ୍କର ୭ମ ବଜେଟ ଉପସ୍ଥାପନ ହେବ। ଏହା ସହ ସେ ସବୁଠୁ ଅଧିକ ଥର ବଜେଟ ପ୍ରସ୍ତୁତ କରିଥିବା ଅର୍ଥମନ୍ତ୍ରୀ ଭାବରେ ମୋରାଜି ଦେସାଇଙ୍କ ରେକର୍ଡ ମଧ୍ୟ ଭାଙ୍ଗିବେ।

ମଧ୍ୟବିତ୍ତଙ୍କ ବଜେଟରେ ରହିବ କ’ଣ ?

ଏହି ସାଧାରଣ ବଜେଟରେ ବଡ଼ ଉପହାର ମିଳିବା ନେଇ ଆଶା ରହିଛି। ଇନକମ୍ ଟ୍ୟାକ୍ସ ସ୍ଲାବ୍‌ରେ ପରିବର୍ତ୍ତନ ନେଇ ଆଶା ରଖିଛନ୍ତି ଦରମା ପାଉଥିବା ଚାକିରିଆ। ସେହିଭଳି ଷ୍ଟାଣ୍ଡାର୍ଡ ଡିଡକ୍ସନରେ ଆଶ୍ବସ୍ତି ମିଳିପାରେ। ଏହା ବ୍ୟତୀତ ବଜେଟରେ ମହିଳା ଏବଂ ଲାଭାର୍ଥୀ ବର୍ଗଙ୍କ ପାଇଁ କିଛି ବଡ଼ ଘୋଷଣା ହୋଇପାରେ। ଅବଶ୍ୟ ଇନଫ୍ରା ଏବଂ ଏନର୍ଜୀ କ୍ଷେତ୍ରରେ ଉପରେ ସରକାରଙ୍କ ଫୋକସ୍ ରହିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.