Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଚତୁର୍ଥ ଟେଷ୍ଟ ଡ୍ର, ୨-୧ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଭାରତ, ଏବେ WTC ଫାଇନାଲ୍‌ରେ କଙ୍ଗାରୁ ସହ ମୁକାବିଲା

13/03/2023 at 3:54 PM

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ୍ ଡ୍ର ଭାବେ ସମାପ୍ତ ହୋଇଛି। ଏଥିସହ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି। ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨ ଓ୍ଵିକେଟ୍ ହରାଇ ୧୭୫ ରନ କରିବା ସହ ପଞ୍ଚମ ଦିନର ଖେଳ ଶେଷ ହୋଇଛି। ଚତୁର୍ଥ ଟେଷ୍ଟ ଡ୍ର ହେବା ସହ ଭାରତ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ରେ କ୍ରମାଗତ ଦ୍ଵିତୀୟ ଥର ପ୍ରବେଶ କରିଛି। ଏବେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ୍‌ରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ। ଏହି ମୁକାବିଲା ଲଣ୍ଡନର ଦ ଓଭାଲରେ ଜୁନ ୭ରେ ଖେଳାଯିବ। ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ ଲାବୁସେନ ୬୩ ରନ ଏବଂ ଷ୍ଟିଭ୍ ସ୍ମିଥ ୧୦ ରନ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆର ଦ୍ଵିତୀୟ ଇନିଂସରେ ଟ୍ରେଭିସ୍ ହେଡ୍ ସର୍ବାଧିକ ୯୦ ରନ କରିଛନ୍ତି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୪୮୦ ରନ ଜବାବରେ ଭାରତ ପ୍ରଥମ ଇନିଂସରେ ୫୭୧ ରନ କରିଥିଲା। ଦଳ ପକ୍ଷରୁ ବିରାଟ କୋହଲି ୧୮୬ ରନର ଦମଦାର ଇନିଂସ ଖେଳିଥିବା ବେଳେ ଶୁଭମନ ଗିଲ୍ ୧୨୮ ରନ କରିଥିଲେ। ଅକ୍ଷର ପଟେଲ୍ ୭୯ ରନ କରିଥିଲେ। ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ରବିଚନ୍ଦ୍ରନ ଅଶ୍ଵିନ ୬ ଓ୍ଵିକେଟ୍ ଦଖଲ କରିଥିଲେ। ୧୮୬ ରନର ଦମଦାର ଇନିଂସ ଖେଳିଥିବା ବିରାଟ କୋହଲି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିବା ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ଵିନ ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି।

ଚତୁର୍ଥ ଦିନର ଅସମାପ୍ତ ଖେଳ ୩/୦ରୁ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା।କ୍ରିଜରେ ଟ୍ରେଭିସ ହେଡ(୩) ଏବଂ ମାଥ୍ୟୁ କୁହନେମନ(୦) ରନ କରି ଖେଳୁଥିଲେ। ତେବେ ୧୪ ରନ ସ୍କୋରରେ ନାଇଟ୍‌ ଓ୍ଵାଚମ୍ୟାନ ଭାବେ ବ୍ୟାଟିଂ କରିଥିବା କୁହନେମନ ୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଟ୍ରେଭିସ୍ ହେଡ ଏବଂ ମାର୍ନସ ଲାବୁସେନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଅଷ୍ଟ୍ରେଲିଆର ସ୍କୋରକୁ ୧୫୩ ରନରେ ପହଞ୍ଚାଇବା ସହ ମ୍ୟାଚ୍‌କୁ ଡ୍ର ସ୍ଥିତିକୁ ନେଇ ଆସିଥିଲେ। ଶତକ ଆଡକୁ ଅଗ୍ରସର ଟ୍ରେଭିସ ହେଡ୍ ୯୦ ରନ କରି ବିଦାୟ ନେଇଥିଲେ। ଏଥିରେ ୧୦ ଚୌକା ଏବଂ ୨ ଛକା ସାମିଲ୍। ଲାବୁସେନ ଅର୍ଦ୍ଧଶତକୀୟ ଇନିଂସ ଖେଳି ୬୩ ରନ ଏବଂ ଷ୍ଟିଭ୍ ସ୍ମିଥ୍ ୧୦ ରନ କରି ଅପରାଜିତ ଥିଲେ। ପଞ୍ଚମ ଦିନର ଖେଳ ସମାପ୍ତ ସହ ଚତୁର୍ଥ ଟେଷ୍ଟ ଡ୍ର ହୋଇଛି। ଏଥିସହ ଭାରତ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି।

ମ୍ୟାଚ୍‌ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳ ୪୮୦ ରନ କରିଥିଲା। ଉସ୍ମାନ ଖ୍ଵାଜା ୨୧ ଚୌକା ସହ ୧୮୦ ରନ କରିଥିବା ବେଳେ କ୍ୟାମେରୁନ ଗ୍ରୀନ ୧୧୪ ରନର ଶତକୀୟ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୯୧ ରନ ଦେଇ ସର୍ବାଧିକ ୬ ଓ୍ଵିକେଟ୍ ଦଖଲ କରିଥିଲେ। ଜବାବରେ ଭାରତ ନିଜର ପ୍ରଥମ ଇନିଂସରେ ୫୭୧ ରନ କରି ୯୧ ରନର ଅଗ୍ରଣୀ ହାସଲ କରିଥିଲା। ଦଳ ପକ୍ଷରୁ ବିରାଟ କୋହଲି ୧୮୬ ରନର ଦମଦାର ଇନିଂସ ଖେଳିଥିବା ବେଳେ ଶୁଭମନ ଗିଲ୍ ୧୨୮ ରନ କରିଥିଲେ। ଅକ୍ଷର ପଟେଲ୍ ୭୯ ରନ କରିଥିଲେ।

ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା

ପ୍ରଥମ ମ୍ୟାଚ୍(ନାଗପୁର)- ଭାରତ ଇନିଂସ ଏବଂ ୧୩୨ ରନରେ ବିଜୟୀ

ଦ୍ଵିତୀୟ ମ୍ୟାଚ୍(ଦିଲ୍ଲୀ)- ଭାରତ ୬ ଓ୍ଵିକେଟ୍‌ରେ ବିଜୟୀ

ତୃତୀୟ ମ୍ୟାଚ୍(ଇନ୍ଦୋର)- ଅଷ୍ଟ୍ରେଲିଆ ୯ ଓ୍ଵିକେଟ୍‌ରେ ବିଜୟୀ

ଚତୁର୍ଥ ମ୍ୟାଚ୍(ଅହମ୍ମଦାବାଦ)- ମ୍ୟାଚ୍ ଡ୍ର

   Related Posts