ନୂଆଦିଲ୍ଲୀ, ୨୩/୦୩: ବ୍ରିଟେନରେ ପାର୍ଟିଗେଟ ମାମଲାକୁ ନେଇ ପୂର୍ବ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପୁଣି ଥରେ କ୍ଷମା ମାଗିଛନ୍ତି। କରୋନା ଲକଡାଉନ୍ ସମୟରେ ନିଜ ସରକାରୀ ବାସଭବନ ଅର୍ଥାତ୍ ଡାଉନିଙ୍ଗ ଷ୍ଟ୍ରିଟ୍ରେ ପାର୍ଟି କରିବାକୁ ନେଇ ଆଗରୁ ଦେଇଥିବା ବୟାନ ଉପରେ ସଫେଇ ଦେଇଛନ୍ତି। କହିଛନ୍ତି ଯେ ସେ ଜାଣିଶୁଣି ଭ୍ରମିତ କରିନାହାନ୍ତି। ତାହା ଅଜାଣତରେ କରିଛନ୍ତି।
ଏହା ପୂର୍ବରୁ ଜନସନ୍ ହାଉସ ଅଫ୍ସ କମନ୍ସ ପ୍ରଭିଲେଜ୍ କମିଟି ଅର୍ଥାତ୍ ବିଶେଷାଧିକାରୀ ସମିତି ବୁଧବାର ପ୍ରାୟ ଚାରି ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲେ। ଏହି କମିଟି ଏକଥାର ଯାଞ୍ଚ କରୁଛି ଯେ ବୋରିସ୍ ଜନସନ ପାର୍ଟିଗେଟ୍ ମାମଲରେ ସଂସଦରେ କାହିଁକି ମିଛ କହିଥିଲେ ?
ବିଶେଷାଧିକାର କମିଟି ଦ୍ବାରା ପଚରାଉଚରା ସମୟରେ ବୋରିସ୍ କ୍ଷମା ମାଗିବା ସହ, ସଫେଇ ଦେଇ କହିଥିଲେ ‘ମୁଁ ଛାତିରେ ହାତ ଦେଇ କହୁଛି, ମୁଁ ସଦନରେ ମିଛ କହିନାହିଁ।’ ସେ କହିଛନ୍ତି ସରକାରୀ ବିଭାଗ ଅଧିକାରୀଙ୍କୁ ଗର୍ବ କରିବା କଥା ଯେ ସେ ଦେଶକୁ କୋଭିଡ୍ରୁ ବଞ୍ଚାଇଛନ୍ତି। ଜନସନ ଜୋର୍ ଦେଇ କହିଛନ୍ତି ଯଦି କାହାକୁ ଲାଗୁଛି ସେ ଲକ୍ଡାଉନରେ ପାର୍ଟି କରୁଥିଲେ ତେବେ ସେ ସଂପୂର୍ଣ୍ଣ ଭୁଲ୍ । ସେ କୌଣସି ପାର୍ଟି କରୁନଥିଲେ।
ବୋରିସ୍ ଜନସନ କହିଛନ୍ତି ‘ଅଜାଣତରେ ସଦନକୁ ଭ୍ରମିତ କରିଥିବାରୁ କ୍ଷମା ପ୍ରାର୍ଥୀ, କିନ୍ତୁ ଏହାକୁ ହେୟଜ୍ଞାନ ବୋଲି କହିବା ବା ଜାଣିଣୁଣି କହିଛି ବୋଲି କହିବା ତାହା ମିଥ୍ୟା’। ସେ କହିଛନ୍ତି ଯେ ଏହା ସତ୍ୟ ପାର୍ଟି ମାମଲାରେ ସାମାଜିକ ଦୂରତା ରଖାଯାଇନଥିଲା।
ସୂଚନାଯୋଗ୍ୟ, ଯେତେବେଳେ କରୋନା ଭାଇରସ ଶୀର୍ଷରେ ଥିଲା ସେତେବେଳେ ବ୍ରିଟେନ୍ରେ ସଂପୂର୍ଣ୍ଣ ଲକଡାଉନ୍ ଥିଲା। ଏହି ଲକ୍ଡାଉନ୍ ମଧ୍ୟରେ ବୋରିସ୍ ଜନ୍ସନ୍ଙ୍କ ୫୬ ତମ ଜନ୍ମଦିନ ପାଳିଥିଲେ ଏବଂ ଏକ ପାର୍ଟିର ଆୟୋଜନ କରାଯାଇଥିଲା। କିନ୍ତୁ କରୋନା ଲକଡାଉନ୍ ପ୍ରତିବନ୍ଧକ ଅନୁଯାୟୀ ଏଭଳି କିଛି ଆୟୋଜନ ପାଇଁ ଅନୁମତି ନଥିଲା। ଆହୁରି ପୁଣି ଦୁଇରୁ ଅଧିକ ଲୋକଙ୍କୁ ଏକାଠି ହେବାର ଅନୁମତି ନଥିଲା। କିନ୍ତୁ ଏହି ପାର୍ଟିରେ ୩୦ ଲୋକ ସାମିଲ୍ ହୋଇଥିଲା। ଏହି ଘଟଣା ପାର୍ଟୀଗେଟ ଘୋଟାଲା ନାମରେ ଜଣା।