ଟେଣ୍ଡର ଅନିୟମିତତା ଅଭିଯୋଗ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟକ
21/08/2022 at 9:14 PM

ନୀଳଗିରି ୨୧/୦୮: ଚଳିତ ବର୍ଷ ଜୁନ ୧୮ରେ ନୀଳଗିରି ଉପଜିଲ୍ଲାପାଳ ତଥା ଆଇଟିଡିଏ ପିଏଙ୍କ ଅଧ୍ୟକ୍ଷତାରେ ନୀଳଗିରି ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ପିଏଲସି ବୈଠକ ହୋଇଥିଲା। ଏହି ବୈଠକରେ ଏହି ବିଭାଗର ଚେୟାରମ୍ୟାନ ତଥା ତତ୍କାଳୀନ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗ ଦେଇଥିଲେ। ଏହି ବୈଠକରେ ବହୁ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ୧୩ ନମ୍ବର ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ ୫ ଲକ୍ଷରୁ ଅଧିକ ଟଙ୍କାର କାର୍ଯ୍ୟଗୁଡିକ ସଂସ୍ଥା ନିଜ ତରଫରୁ ଆଗରୁ ହେଉଥିଲା କିନ୍ତୁ ଏବେ କଣପାଇଁ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ। ଏବେ ସ୍ଵଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲ୍ଲାପାଳ ଏହାର ଉତ୍ତରରେ କହିଥିଲେ।କିନ୍ତୁ ଜିଲ୍ଲାପାଳଙ୍କ ଏଭଳି ଉତ୍ତର ପାଣିର ଗାର ପାଲଟିଛି ବୋଲି ପୂର୍ବତନ ଜନପ୍ରତିନିଧି କହିଛନ୍ତି।
ସୂଚନାଯୋଗ୍ୟ, ନୀଳଗିରି ଆଦିବାସୀ ଉନ୍ନୟନ ସଂସ୍ଥା ପାଖରେ ପୂର୍ବରୁ ସମସ୍ତ କାର୍ଯ୍ୟ ଟେଣ୍ଡର କରିଥିବା ବେଳେ ଆଶ୍ରମ ବିଦ୍ୟାଳୟଗୁଡିକ ୫ଟି ଯୋଜନାର କାର୍ଯ୍ୟଗୁଡିକ ଏବେ ସଂସ୍ଥା ନିଜେ କରୁଛି। ପାଖାପାଖି ଗୋଟିଏ ସ୍କୁଲପିଛା ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏସବୁ କାର୍ଯ୍ୟପିଛା ସରକାର ଟେଣ୍ଡର ପେପର, ଇମଡି ଓ ଅନ୍ୟ ଆକାରରେ ଲକ୍ଷଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ପାଖାପାଖି ୮ଟି ସ୍କୁଲର କାର୍ଯ୍ୟ ୨ କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ଏହାକୁ କେଉଁ ସ୍ୱାର୍ଥରେ ଟେଣ୍ଡର ନକରି ନିଜେ ବିଭାଗ କରୁଛି ଏନେଇ ଅଭିଯୋଗ ଉଠିଛି। ସେହିପରି ବ୍ଲକ, ପୂର୍ତ୍ତବିଭାଗ ମଧ୍ୟ ଟେଣ୍ଡର ନକରି ସ୍ୱଚ୍ଛତା ନରଖି ବିଭାଗ ନିଜ ନାମରେ ରଖି ନେତାଙ୍କ ଇଙ୍ଗିତରେ ସବୁ କାମ ବାଣ୍ଟିଦେଇଥିବା ଅଭିଯୋଗ ହୋଇଛି।
ଆଇଟିଡିଏ ପିଏଲସି ବୈଠକରେ ଯାହା ସ୍ଥିର ହୋଇଥିଲା ତାହାକୁ ଅବମାନନା କରି କିଭଳି ବେଆଇନ କାମ ହୋଇଛି ଏନେଇ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲାକୁ ଆସିଥିବା ନୂଆ ଜିଲ୍ଲାପାଳ ଜଣେ ସଚ୍ଚୋଟ ଦକ୍ଷ ଅଧିକାରୀ ହୋଇଥିବା ବେଳେ ତାଙ୍କ ଅଗୋଚର ବିନା ଏଭଳି କାମ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ଅଭିଯୋଗ କରି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବିକରି ପୂର୍ବତନ ବିଧାୟକ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଓ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି।