ପରୀ ହତ୍ୟା ମାମଲାର ଏସଆଇଟି ତଦନ୍ତକୁ ପ୍ରଶ୍ନ କଲେ ପୂର୍ବତନ ଡିଜିପି, ପଚାରିଲେ- ପୁଲିସ ପାଓ୍ଵାର ନଥାଇ ଓଏସଆରଟିସି ଏମଡି କିପରି କରୁଛନ୍ତି ତଦନ୍ତ

Published By : Prameya-News7 Bureau | December 07, 2020 IST

ଭୁବନେଶ୍ଵର ୦୭।୧୨: ପରୀ ହତ୍ୟା ଘଟଣାରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଏତେ ଦିନ ବିତିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ପାରିନି ସ୍ଵତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି)। ଅରୁଣ ବୋଥ୍ରାଙ୍କ ନେତୃତ୍ଵରେ ଏସଆଇଟି ଟିମ୍‌ ନୟାଗଡରେ ଡେରା ପକାଇ ମାମଲାର ତଦନ୍ତ କରୁଛନ୍ତି। ସନ୍ଦିଗ୍ଧଙ୍କୁ ପଚରାଉଚୁରା ଚାଲିଛି। ହେଲେ ଏବେ ମଧ୍ୟ ଏସଆଇଟିର ହାତ ଖାଲି। ମାମଲାକୁ ନେଇ ରାଜନୀତି ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଗତକାଲି ଓଡିଶା କଂଗ୍ରେସ ପ୍ରଭାରୀ ଏହି ଘଟଣାରେ ବିଜେଡି ଓ ବିଜେପି ମଧ୍ୟରେ ସଲାସୁତୁରା ହୋଇଥିବା ଆରୋପ ଲଗାଇଥିବା ବେଳେ ଆଜି ବିଜେପି ନେତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଏସଆଇଟିର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏହାର ତଦନ୍ତ ରିପୋର୍ଟ କୋର୍ଟ ଦ୍ଵାରା ଗ୍ରହଣୀୟ ହେବ ନାହିଁ ଏବଂ ମାମଲାରେ ସିବିଆଇ ତଦନ୍ତ ଦରକାର ବୋଲି ମିଶ୍ର କହିଛନ୍ତି।

ପରୀ ମାମଲାରେ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ପ୍ରକାଶ ମିଶ୍ର ଏସଆଇଟି ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏସଆଇଟି ତଦନ୍ତରେ କୌଣସି ଅସ୍ଥିତ୍ଵ ନଥିବା ସେ କହିଛନ୍ତି। ଅରୁଣ ବୋଥ୍ରା କେମିତି ଏହି ଘଟଣାର ତଦନ୍ତ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସିଆରପିସି ଅନୁସାରେ ଘଟଣାର ଅନୁସନ୍ଧାନ କେବଳ ଥାନା ଓ ପୁଲିସ କରିବ। ଅରୁଣ ବୋଥ୍ରା ବର୍ତ୍ତମାନ ଓଏସଆରଟିସିର ଏମଡି ଅଛନ୍ତି। ତାଙ୍କ ପାଖରେ ସଂପ୍ରତି କୌଣସି ପୁଲିସ ପାଓ୍ଵାର ନାହିଁ। ସେ ଏହାର ତଦନ୍ତ କେମିତି କରିବେ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ଡିଜିପି।

ସେ କହିଛନ୍ତି ଯେ, ଏସଆଇଟି ତଦନ୍ତ ଯାହା କରିବ ତାକୁ କୋର୍ଟ ଗ୍ରହଣ କରିବେ ନାହିଁ। ଘଟଣାରେ ଏସଆଇଟି ତଦନ୍ତ କରିବାର କୌଣସି ଅଧିକାର ନାହିଁ। ତେଣୁ ଘଟଣାର ସିବିଆଇ ତଦନ୍ତ କରାଯାଉ। ସିବିଆଇ ତଦନ୍ତ ପାଇଁ ସୁପାରିସ କରାଯାଉ ବୋଲି ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ପରୀ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ଆଉ ଦୁଇ ସପ୍ତାହ ସମୟ ମାଗିଛନ୍ତି। ସେ ପାଞ୍ଚ ତାରିଖ କହିଥିଲେ ଯେ, ଏସ୍‌ଆଇଟି ଗଠନକୁ ମାତ୍ର ୪ରୁ ୫ ଦିନ ହୋଇଛି । ମୋ ଉପରେ ସମସ୍ତଙ୍କ ଭରସା ଅଛି । ଡିଜି ମୋତେ ଦାୟିତ୍ଵ ଦେଇଛନ୍ତି । ଆମ ଟିମ୍ ଆଗକୁ ବଢୁଛି । ଅନ୍ୟପଟେ ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ଲକ୍ଷେ ଟଙ୍କା ମିଳିବ ବୋଲି ଘୋଷଣା ହୋଇଛି। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗ୍ରାମବାସୀଙ୍କ ସହ ବୈଠକ କରିବା ପରେ ଏହି ଅର୍ଥ ରାଶି ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.