ଜାମ୍ମୁ-କାଶ୍ମୀର ନିର୍ବାଚନ: ପ୍ରଥମ ଥର ଭୋଟ୍ ଦେଲେ ପାକିସ୍ତାନୀ ଶରଣାର୍ଥୀ, କହିଲେ- ୭୦ ବର୍ଷ ପରେ ମିଳିଲା ନ୍ୟାୟ

Published By : Prameya-News7 Bureau | November 28, 2020 IST

ଶ୍ରୀନଗର ୨୮।୧୧: ଜାମ୍ମୁ-କାଶ୍ମୀରରେ ଶନିବାର ଡିଡିସିର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ମତଦାତାଙ୍କ ଉତ୍ସାହ ଚରମରେ ରହିଛି। ଧାରା ୩୭୦ ଉଚ୍ଛେଦ ଏବଂ ରାଜ୍ୟର ପୁର୍ନଗଠନ  ପରେ ଏଠାରେ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହେଉଛି। ଗୋଟିଏ ବର୍ଷରୁ ଅଧିକ ସମୟ ଭିତରେ ଉପତ୍ୟକାରେ ପ୍ରଥମ ଗଣତାନ୍ତ୍ରିକ ଉତ୍ସବ ପାଳନ ହୋଇଛି। ସ୍ଥାନୀୟ ନିର୍ବାଚନରେ ଅନେକ ସମୁଦାୟର ଲୋକ ପ୍ରଥମ ଥର ଭୋଟ୍ ଦେଇଛନ୍ତି। ଏଥିରେ ପଶ୍ଚିମ ପାକିସ୍ତାନରୁ ଆସିଥିବା ଶରଣାର୍ଥୀ, ବାଲ୍ମିକୀ, ଗୋରଖା ସମୁଦାୟର ଲୋକ ସାମିଲ।

ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ୭୦ ବର୍ଷରେ ପ୍ରଥମ ଥର ଏହି ସମୁଦାୟର ଲୋକଙ୍କୁ ସ୍ଥାନୀୟ ନିର୍ବାଚନରେ ଭୋଟ୍ ଦେବାର ସୁଯୋଗ ମିଳିଛି। ଏହି ଲୋକ ବର୍ତ୍ତମାନ କେବଳ ଜାମ୍ମୁ-କାଶ୍ମୀରରେ ଭୋଟ୍ ଦେବେ ନାହିଁ ବରଂ ରାଜ୍ୟରେ ଜମି କିଣିବା ସହିତ  ଚାକିରି ପାଇଁ ମଧ୍ୟ ଆବେଦନ କରି ପାରିବେ। ଗତ ବର୍ଷ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ। ରାଜ୍ୟକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଓ ଲଦାଖରେ ବିଭକ୍ତ କରାଯାଇଥିଲା।

୭ ଦଶନ୍ଧି ପରେ ମିଳିଲା ନ୍ୟାୟ

ସ୍ଥାନୀୟ ନିର୍ବାଚନରେ ପ୍ରଥମ ଥର ମତଦାନ କରିଥିବା ମତଦାତାମାନେ ଖୁସି ବ୍ୟକ୍ତ କରି କହିଛନ୍ତି, ଆମକୁ ନ୍ୟାୟ ମିଳିଛି। ସମାନତା ଓ ସ୍ଵାଧୀନତା ପରି ଶବ୍ଦ ଆମେ କେବଳ ଶୁଣିଥିଲୁ ମାତ୍ର, ପ୍ରଥମ ଥର ଆମେ ଏହାକୁ ଅନୁଭବ କରୁଛୁ। ପଶ୍ଚିମୀ ପାକିସ୍ତାନରୁ ଆସିଥିବା ଶରଣାର୍ଥୀ ସୁଜାତି ଭାରତୀ କହିଛନ୍ତି, ସେ ବର୍ତ୍ତମାନ ନିଜକୁ ସ୍ଵାଧୀନତା ଅନୁଭବ କରୁଛନ୍ତି, କାରଣ ସେ ସ୍ଥାନୀୟ ଲୋକଙ୍କ ସହିତ ଭୋଟ୍ ଦେବାକୁ ଧାଡିରେ ଛିଡା ହୋଇଥିଲେ। ସାତ ଦଶନ୍ଧିର ଲମ୍ବା ସଂଘର୍ଷ ପରେ ତାଙ୍କୁ ନ୍ୟାୟ ମିଳିଛି ବୋଲି ସେ କହିଛନ୍ତି।

ଏହି ସଂପ୍ରଦାୟରୁ ଆସିଥିବା ବିଶନ ଦାସ କହିଛନ୍ତି, ସେ ଅତୀତକୁ ଆଉ ମନେ ପକାଇବାକୁ ଚାହୁଁନାହାନ୍ତି। ଏହା ପରିବର୍ତ୍ତେ ସେ ନିଜର ଉଜ୍ଜ୍ଵଳ ଭବିଷ୍ୟତ ନେଇ ଆଶାନ୍ଵିତ ରହିଛନ୍ତି। ଏବେ ଆମେ ସଶକ୍ତ ଅନୁଭବ କରୁଛୁ। ପୂର୍ବେ ଆମ ପାଖକୁ କେହି ଭୋଟ୍ ମାଗିବାକୁ ଆସୁନଥିଲେ। କିନ୍ତୁ ବର୍ତ୍ତମାନ ପ୍ରାୟ ସମସ୍ତ ପ୍ରାର୍ଥୀ ଆମ ଦ୍ଵାର ବାଡେଇଛନ୍ତି ଏବଂ ଭୋଟ୍ ଦେବାକୁ ନିବେଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଭାଜନ ସମୟରେ ପଶ୍ଚିମ ପାକିସ୍ତାନରୁ ଆସିଥିବା ଅଧିକାଂଶ ବିସ୍ଥାପିତ ଶରଣାର୍ଥୀ ଆରଏସ ପୂରା, ଅଖନୁର, ସାମ୍ବା, ହୀରାନଗର ଓ ଜାମ୍ମୁରେ ବାସ କରୁଛନ୍ତି। ସଂପ୍ରତି ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ଦେଢ ଲକ୍ଷରୁ ଅଧିକ ଶରଣାର୍ଥୀ ରହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.