ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଆଲୋଚନା, ନିଜ ଜିଦ୍‌ରେ ଅଟଳ ଚାଷୀ ଜାରି ରଖିବେ ଆନ୍ଦୋଳନ

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧।୧୨: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନରତ କୃଷକ ଓ ସରକାର ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ମଙ୍ଗଳବାର  ବିଜ୍ଞାନ ଭବନରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସହିତ ତିନି ମନ୍ତ୍ରୀ ଓ କୃଷକ ସଂଗଠନର ୩୦ରୁ ଅଧିକ ପ୍ରତିନିଧିଙ୍କ ମଧ୍ୟରେ ବିଚାର ବିମର୍ଶ ପରେ କେବଳ ଏତିକି ସ୍ଥିର ହୋଇ ପାରିଛି ଯେ, ଉଭୟ ପକ୍ଷ ମଧ୍ୟରେ ପୁଣି ଥରେ ଡିସେମ୍ବର ୩ରେ ଆଲୋଚନା ହେବ। କୃଷକ ନେତା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଦାବି ପୂରଣ ନେଇ ଧାରଣା ଜାରି ରହିବ। ସରକାର କୃଷକଙ୍କ ପ୍ରସଙ୍ଗ ଉପରେ ବିଚାର କରିବା ଲାଗି ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ।

ସୂତ୍ର ଅନୁଯାୟୀ କୃଷକ ପ୍ରତିନିଧିଙ୍କ ସହ ସରକାରଙ୍କ ତରଫରୁ ରଖାଯାଇଥିବା ପ୍ରସ୍ତାବ ଉପରେ କୃଷକ ସଂଗଠନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। କିନ୍ତୁ ସମସ୍ତ କୃଷକ ପ୍ରତିନିଧି ତିନି ନୂତନ କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଏକମତ ଅଛନ୍ତି। କୃଷକ ପ୍ରତିନିଧିଙ୍କ ଅନୁଯାୟୀ ଏହି ନୂତନ କୃଷି ଆଇନ କୃଷକ ସମୁଦାୟଙ୍କ ହିତ ବିରୋଧରେ ରହିଛି।

କୃଷକ ସଂଗଠନଙ୍କ ସହିତ ବୈଠକ ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ବୈଠକରେ ଭଲ ଆଲୋଚନା ହୋଇଛି। ଉଭୟ ପକ୍ଷ ଡିସେମ୍ବର ୩ରେ ପୁଣି ଥରେ ଆଲୋଚନା କରିବେ। ସେ କହିଛନ୍ତି, ଆମେ ଚାହୁଁଥିଲୁ ଏକ ଛୋଟ ଗୋଷ୍ଠୀ ହେଉ, ମାତ୍ର କୃଷକ ନେତା ଚାହୁଁଛନ୍ତି ସମସ୍ତଙ୍କ ସହ ଆଲୋଚନା  କରାଯାଉ। ଆମକୁ ଏଥିରେ କୌଣସି ସମସ୍ୟା ନାହିଁ। ବିକେୟୁ ଅଧ୍ୟକ୍ଷ ଯୋଗୀନ୍ଦ୍ର ସିଂହ ଉଗରାହାଁ କହିଛନ୍ତି, ସରକାରଙ୍କ ସହ କୃଷକ ପ୍ରତିନିଧିଙ୍କ ବୈଠକ ବିଫଳ ହୋଇଛି।

କେନ୍ଦ୍ର ମନ୍ତ୍ରୀ ଓ ୩୦ରୁ ଅଧିକ କୃଷକ ସଂଗଠନର ପ୍ରତିନିଧିଙ୍କ ସହ ବୈଠକ ମଧ୍ୟରେ ସରକାର ବିଶ୍ଵାସ ପ୍ରକଟ କରିଛନ୍ତି ଯେ, ଆନ୍ଦୋଳନକାରୀ କୃଷକଙ୍କ ରହିଥିବା  ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିବା ପରେ କୌଣସି ସମାଧାନର ନିଷ୍କର୍ସରେ ପହଞ୍ଚି ପାରିବୁ। ବିଜ୍ଞାନଭବନରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସହିତ ରେଳ ଓ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋଏଲ ଏବଂ ବାଣିଜ୍ୟ ରାଷ୍ଟ୍ର ମନ୍ତ୍ରୀ ସୋମ ପ୍ରକାଶ ଉପସ୍ଥିତ ଥିଲେ।

ବୈଠକର କିଛି ଘଣ୍ଟା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅମିତ୍ ଶାହା, ନରେନ୍ଦ୍ର ସିଂହ ତୋମାର ଓ ପିୟୂଷ ଗୋଏଲ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ରର ନୂତନ କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନ ଉପରେ ଦୀର୍ଘ ସମୟ ଆଲୋଚନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.