ବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା, ଶାଶୁ ଘର ବିରୋଧରେ FIR ଦେଲେ ମୃତକଙ୍କ ପରିବାର

Published By : Prameya-News7 Bureau | February 07, 2023 IST

ବ୍ରହ୍ମପୁର: ବ୍ରହ୍ମପୁର ମିନାକ୍ଷୀ ନଗର ପ୍ରଥମ ଲାଇନରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ସୁଚିସ୍ମିତା ନାୟକ  ।  ଏନେଇ ଘର ଲୋକେ ଦେଖିବା ପରେ ଗୋଷାଣୀନୂଆଗାଁ ଥାନା ପୋଲିସକୁ ଖବର ଦେଇଥିଲେ  । ପୋଲିସ ଖବର ପାଇ ମୃତ ଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ  ।

ମୀନାକ୍ଷୀ ନଗର ପ୍ରଥମ ଲାଇନର ପ୍ରମୋଦ ନାୟକଙ୍କ ସାନ ଝିଅ ବାଲୁଗାଁ ଅଶୋକ ନଗର ଦ୍ୱିତୀୟ ଲାଇନର କୈଳାଶ ନାୟକଙ୍କ ପୁଅ ଅଜିତ ନାୟକଙ୍କୁ ୨୦୧୮ ମସିହା ଫେବୃଆରୀ ୧୮ ତାରିଖରେ ବିବାହ କରିଥିଲେ  । ବିବାହ ପରଠାରୁ ସୁଚିସ୍ମିତାଙ୍କୁ ଶ୍ଵଶୁର ଘର ଲୋକେ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଆସୁଥିଲେ  । ସୁଚିସ୍ମିତାଙ୍କ ସ୍ୱାମୀ ବେଙ୍ଗାଲୁରୁରେ ଆଇଟି ଇଂଜିନିୟର ଭାବେ କାର୍ଯ୍ୟରତ ଥିବା ବେଳେ ସ୍ତ୍ରୀଙ୍କୁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦେଇଆସୁଥିଲେ  । ଗତ ଦୁଇ ମାସ ତଳେ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ସୁଚିସ୍ମିତା ନିଜ ବାପା ଘରକୁ ଚାଲି ଆସିଥିଲେ ।

ଜାନୁଆରୀ ମାସରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ପାଇଁ କୋର୍ଟର ଆଶ୍ରୟ ନେଇଥିଲେ ସୁଚିସ୍ମିତା  । ଚଳିତ ମାସ ୪ ତାରିଖରେ କୋର୍ଟର ଶୁଣାଣି ଥିବା ବେଳେ ଅଜିତ କିମ୍ୱା ତାଙ୍କ ପରିବାର ଲୋକେ ଆସିନଥିଲେ। ତେବେ ମାନସିକ ଯନ୍ତ୍ରଣା ସହ୍ୟ କରିନପାରି ସୁଚିସ୍ମିତା ଆତ୍ମହତ୍ୟା କରିଥିବା କହିଛନ୍ତି ତାଙ୍କ ବାପା ଓ ଭଉଣୀ  ।

ଆଜି ସୁଚିସ୍ମିତାଙ୍କ ପରିବାର ଲୋକେ ଗୋଷାଣୀନୂଆଗାଁ ଥାନାରେ ସୁଚିସ୍ମିତାଙ୍କ ସ୍ୱାମୀ ଅଜିତ , ଶଶୁର ଓ ଦଅରଙ୍କ ବିରୋଧରେ ଏତଲା ଦେଇଛନ୍ତି  । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ମୃତ ସୁଚିସ୍ମିତାଙ୍କ ବାପା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.