ପୂର୍ବୋତ୍ତରରେ NDFBର ଅସ୍ତିତ୍ୱ ସମାପ୍ତ, ୩୪ ବର୍ଷ ହେଲା କରିଆସୁଥିଲା ସଶସ୍ତ୍ର ସଂଗ୍ରାମ
11/03/2020 at 1:34 PM

ଉଦାଲଗୁଡି ୧୧।୩: ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ ଅଫ ବୋଡୋ ଲ୍ୟାଣ୍ଡ (ଏନଡିଏଫବି)ର ସମସ୍ତ ଶାଖା ଗତ ୩୪ ବର୍ଷ ହେଲା ଚଳାଇ ଆସିଥିବା ସଶସ୍ତ୍ର ସଂଘର୍ଷରୁ ଓହରି ଯାଇଛନ୍ତି। ଏଥିଲାଗି ଉଦାଲଗୁଡିର ସୋନାଇ ଗାଁଓରେ ଥିବା ରଞ୍ଜନ ଦୈମାରୀ ଗୋଷ୍ଠୀଙ୍କ କ୍ୟାମ୍ପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସଙ୍ଗଠନର ଆର, ଏସ୍ ଏବଂ ଡି ଗୋଷ୍ଠୀ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ସଙ୍ଗଠନର ପତାକା ଅବତରଣ କରିବା ସହ ଏହାକୁ ଭଙ୍ଗ କରିଛନ୍ତି।

କାର୍ଯ୍ୟକ୍ରମରେ ଡି ଗୋଷ୍ଠୀ ଅଧ୍ୟକ୍ଷ ଧୀରେନ୍ ବୋଡୋ, ଏସ୍ ଗୋଷ୍ଠୀ ଅଧ୍ୟକ୍ଷ ସାରାଇ ଗୋଡା ଓ ଆର ଗୋଷ୍ଠୀର ସାଧାରଣ ସମ୍ପାଦକ ଅନଜାଲୁ ଆଦି ଯୋଗଦେଇଥିଲେ। ସଙ୍ଗଠନ ଭଙ୍ଗ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ସହ ହୋଇଥିବା ବୋଡୋଲ୍ୟାଣ୍ଡ ଟେରିଟରୀ ରିଜିୟନ ବୁଝାମଣା ଅନୁସାରେ ଏବେ କର୍ମୀ ଓ ନେତା ମାନେ ରାଜନୀତିରେ ଯୋଗଦେବେ ବୋଲି କହିଛନ୍ତି। ଏଣୁ ଆସାମର ବିଟିସି ଅଞ୍ଚଳରେ ଏବେସ୍ଥାୟୀ ଶାନ୍ତି ସ୍ଥାପିତ ହୋଇପାରିବ ବୋଲି ଆଶା କରାଯାଉଛି।

କ’ଣଥିଲା ବୁଝାମଣା?
ଗତ ୪୦ ବର୍ଷ ହେଲା ଚାଲିଆସୁଥିବା ବୋଡୋ ସମସ୍ୟାର ସମାଧାନ ଲାଗି ଗତ ଜାନୁୟାରୀ ୨୭ ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଏଥିଲାଗି ହୋଇଥିବା ଆଲୋଚନାରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ,ନର୍ଥ ଇଷ୍ଟ ଡେମୋକ୍ରାଟିକ୍ ଆଲାଏନ୍ସର ଅଧ୍ୟକ୍ଷ ହେମନ୍ତ ବିଶ୍ୱ ଶର୍ମା, ବୋଡୋଲ୍ୟାଣ୍ଡ ପ୍ରାଦେଶିକ ପରିଷଦ ମୁଖ୍ୟ ହଗ୍ରାମା ମୋହିଲାରୀ, ଏନଡିଏଫବିର ଗୋବିନ୍ଦା ବାସୁମତାରୀ, ଧୀରେନ୍ଦ୍ର ବୋଡୋ, ରଞ୍ଜନ ଦୈମାରୀ, ସରାୟଗାର ଏବଂ ସହଯୋଗୀମାନେ ଯୋଗଦେଇଥିଲେ।

ଆଲୋଚନାରେ ବୋଡୋ କ୍ଷେତ୍ରର ବିକାଶ ଲାଗି ଭାରତ ସରକାର ଓ ରାଜ୍ୟ ସରକାର ୧୫୦୦ କୋଟିର ଏକ ବିଶେଷ ପ୍ୟାକେଜ୍ କାର୍ଯ୍ୟକାରୀ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହା ଛଡା ବୋଡୋ ଆନ୍ଦୋଳନରେ ପ୍ରାଣ ହରାଇଥିବା ପ୍ରତି ସଦସ୍ୟଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଲାଗି ମଧ୍ୟ ସହମତି ହୋଇଥିଲା। ଏଣୁ ବୁଝାମଣା ସ୍ୱାକ୍ଷରିତ ହେବା ସହ ସଙ୍ଗଠନର ୧ହଜାର ୫ଶହରୁ ଅଧିକ ସଶସ୍ତ୍ର ସଦସ୍ୟ ହିଂସାର ରାସ୍ତା ଛାଡି ସାମାଜିକ ମୁଖ୍ୟଧାରାରେ ସାମିଲ ହୋଇଯାଇଛନ୍ତି।

ଆସାମ ରାଜ୍ୟର ଅଖଣ୍ଡତାକୁ ବଜାୟ ରଖି ବୋଡୋ ସଙ୍ଗଠନମାନଙ୍କ ସହିତ ସେମାନଙ୍କ ଦାବିର ଚୂଡାନ୍ତ ସମାଧାନ ଲାଗି ବ୍ୟାପକ ଆଲୋଚନା ହୋଇଥିଲା। ଏଥିରେ ଗହନ ବିଚାରବିମର୍ଷ ପରେ ଏନଡିଏଫବି ଗୋଷ୍ଠୀର ସଦସ୍ୟଙ୍କ ପୁନର୍ବାସ ନେଇ ମଧ୍ୟ ଆଲୋଚନା ହୋଇଥିଲା। ସମସ୍ତ ପକ୍ଷର ସହମତିରେ ଏହି ମେମୋରଣ୍ଡମ ଅଫ ସେଟେଲମେଣ୍ଟ (ଏମଓଏସ୍) ସ୍ୱାକ୍ଷରିତ ହୋଇଥିବା ବେଳେ ସଙ୍ଗଠନର ଅସ୍ତିତ୍ୱ ସମାପ୍ତ କରିଦିଆଯାଇଛି।